Advertisment

Plus Two Dropout Rate Increase: ଫର୍ମ ଫିଲପ୍ କଲେ, ହଲକୁ ଗଲେନି; ପ୍ଲସ୍-ଟୁରେ କାହିଁକି ବଢୁଛି ଡ୍ରପ୍ଆଉଟ୍ ହାର ?

ହଜାରେ କି ଦୁଇ ହଜାର ନୁହେଁ, ଏଥର ପ୍ଲସ୍ ଟୁ ପରୀକ୍ଷାରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୧ ହଜାର । ଉଦବେଗଜନକ ସ୍ଥିତିରେ ପ୍ଲୁସ-ଟୁ ଡ୍ରପ୍ ଆଉଟ୍ ହାର ।

ଅଦ୍ୟତନ ହୋଇଛି
Plus Two Dropout Rate Increase

Plus Two Dropout Rate Increase

Advertisment

ପ୍ଲସ୍-ଟୁରେ କାହିଁକି ବଢୁଛି ଡ୍ରପ୍ଆଉଟ୍ ହାର ? କାହିଁକି ଫର୍ମ ଫିଲପ୍ କରି ପରୀକ୍ଷା ଦେବାକୁ ଆସୁ ନାହାନ୍ତି ଛାତ୍ରଛାତ୍ରୀ ? ନିକଟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶନ ପରେ ଡ୍ରପଆଉଟ୍ ର ଯେଉଁ ତଥ୍ୟ ସାମ୍ନାକୁ ଆସୁଛି ତାହା ବିଭାଗର ହୋସ୍ ଉଡ଼ାଇଲା ଭଳି। କାରଣ ଗତବର୍ଷ ଯେଉଁଠି ୫ ହଜାରରୁ ଅଧିକ ପିଲା ପଞ୍ଜୀକରଣ କରି ପରୀକ୍ଷା ଦେଇ ନଥିଲେ, ଏଥର ସେ ସଂଖ୍ୟା ପାଖାପାଖି ଡବଲରେ ପହଞ୍ଚିଯାଇଛି। ବିଭାଗୀୟ ମନ୍ତ୍ରୀ ଏହାର କାରଣ ଖୋଜାଯିବ ବୋଲି କହିଥିଲା ବେଳେ, ଏତେମାତ୍ରାରେ ଅନୁପସ୍ଥିତି ହାର ବଢ଼ିବା ପଛରେ କିଛି ମୁଷ୍ଟିମେୟ ଘରୋଇ ଶିକ୍ଷାନୁଷ୍ଠାନଙ୍କ କାରନାମାକୁ ଦାୟୀ କରିଛନ୍ତି ଶିକ୍ଷାବିତ୍।

Advertisment

ଫର୍ମ୍ ଫିଲପ୍ କଲେ, କିନ୍ତୁ ପରୀକ୍ଷାରେ ବସିଲେନି । ହଜାରେ କି ଦୁଇ ହଜାର ନୁହେଁ, ଏଥର ପ୍ଲସ୍ ଟୁ ପରୀକ୍ଷାରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୧ ହଜାର । ଉଦବେଗଜନକ ସ୍ଥିତିରେ ପ୍ଲୁସ-ଟୁ ଡ୍ରପ୍ ଆଉଟ୍ ହାର । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ତଥ୍ୟ କହୁଛି- ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ 4 ଲକ୍ଷ 705 ଜଣ ପଞ୍ଜୀକରଣ କରିଥିଲେ। ହେଲେ ହଲକୁ ଯାଇଥିଲେ 3 ଲକ୍ଷ 82 ହଜାର 729। ମାନେ 10 ହଜାର 889 ଅର୍ଥାତ୍ ପ୍ରାୟ 3 ପ୍ରତିଶତ ପିଲା ଫର୍ମ୍ ପୂରଣ କରି ବି ଏଥର ପରୀକ୍ଷା ଦେଲେନି। ହେଲେ କାହିଁକି ? ଦୁଇ ବର୍ଷ ପାଠ ପଢ଼ି, ଫର୍ମ ଫିଲପ୍ କରି ପୁଣି ପରୀକ୍ଷା ବେଳକୁ ଏତେ ପିଲା ଘରେ ରହିଯିବାର କାରଣ କ'ଣ ? ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବି ଏତେ ସଂଖ୍ୟାରେ ପିଲାଙ୍କ ଅନୁପସ୍ଥିତିକୁ ନେଇ ଚିନ୍ତାରେ ଥିବା ବେଳେ ମନ୍ତ୍ରୀ କହିଛନ୍ତି ଏହାର କାରଣ ଖୋଜିବାକୁ ବିଭାଗ ନିଶ୍ଚୟ ପ୍ରୟାସ କରିବ।

ଅଧିକ ପଢ଼ନ୍ତୁ: କାଲିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, କେମିତି କରିବେ ଜାଣନ୍ତୁ...

ବଡ଼ କଥା ହେଉଛି ପ୍ଲସଟୁରେ ଡ୍ରପ୍ ଆଉଟ୍ ଦ୍ବିଗୁଣା ହାରରେ ବଢ଼ିଚାଲିଛି। ଗତବର୍ଷ ଫର୍ମ ଫିଲପ୍ କରି ୫ ହଜାର ୫୯୭ ଜଣ ପିଲା ପରୀକ୍ଷା ଦେଇନଥିଲେ। ଆଉ ଏବର୍ଷ ସଂଖ୍ୟା ପ୍ରାୟ ଡବଲ। ଡ୍ରପ୍ ଆଉଟ୍ ରୋକିବାକୁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ପରେ ବି ସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡ଼ିବା ଚିନ୍ତା ବଢ଼ାଇଛି। ଏମିତିକି ଫର୍ମ ଫିଲପ୍ ପର୍ଯ୍ୟନ୍ତ ନଯାଇ ବି ବହୁ ପିଲା ଅର୍ଥାଭାବରୁ ପାଠ ଛାଡୁଛନ୍ତି। ଏଇ ଯେମିତି ଗଜପତି ଜିଲ୍ଲା ମୋହନା ବ୍ଲକ ବୁଲଡପଙ୍କା ଗାଁର ସୁଷମା ଗମାଙ୍ଗ। ୨୦୨୩ରେ ମାଟ୍ରିକ ପାସ୍ କରିବାପରେ ପାଖ କଲେଜରେ ସେ ପ୍ଲସ ଟୁରେ ନାଁ ଲେଖାଇଥିଲେ। କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଦ୍ବିତୀୟ ବର୍ଷ ଆରମ୍ଭରୁ ହିଁ ପାଠରେ ଡୋରି ବାନ୍ଧି ପରିବାର ଇଚ୍ଛାରେ ବାହା ହୋଇଗଲେ।

Advertisment

ଅପରପକ୍ଷେ କେବଳ ଅର୍ଥାଭାବରୁ ଯେ ଏତେ ପିଲା ପରୀକ୍ଷା ଦେଉ ନଥିବା କଥାକୁ ମାନିବାକୁ ନାରାଜ୍ ଶିକ୍ଷାବିତ୍। ସେମାନଙ୍କ ମତରେ ୟା ପଛରେ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କ ଢେର ଭୂମିକା ରହୁଛି। ଏମିତିକି ସରକାରୀ ସ୍ବୀକୃତି ବଞ୍ଚେଇବା ପାଇଁ ଫଲ୍ସ ଫର୍ମ ଫିଲପ୍ କରାଯାଉଥିବାରୁ ଏଭଳି ସଂଖ୍ୟା ସାମ୍ନାକୁ ଆସୁଥିବା ଏବଂ ଏସବୁର ଅନୁଧ୍ୟାନ ହେବା ଆବଶ୍ୟକ ବୋଲି କହିଛନ୍ତି ଶିକ୍ଷାବିତ୍ ।

ତେବେ ବିଭାଗ କେବେ ଏସବୁର କାରଣ ଉପରେ ଜୋର ଦେଇ ଖୋଳତାଡ଼ କରୁଛି ଏବଂ ଡ୍ରପଆଉଟ୍ ହାରରେ ଏ ଚିନ୍ତାଜନକ ସ୍ଥିତିରେ ସୁଧାର ଆସୁଛି, ଏବେ ତା ଉପରେ ନଜର।

Advertisment
Plus Two Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ