ସ୍କୁଲର ଚିତ୍ର...ବିଚିତ୍ର ...! ରୋଗୀ ହୋଇ ସ୍କୁଲ ଆସିଥିଲେ ଶିକ୍ଷକ । ହାତରେ ଲାଗିଥିଲା ସାଲାଇନ । ଅନ୍ୟ ଜଣଙ୍କ ସହଯୋଗରେ ସାଲାଇନ ଲଗାଇ, ସ୍କୁଲ ଆସିଥିଲେ ଶିକ୍ଷକ । କିନ୍ତୁ କାହିଁକି ଓ କଣ ପାଇଁ ହାତରେ ସାଲାଇନ ଲଗାଇ ସ୍କୁଲ ଆସିଥିଲେ ଶିକ୍ଷକ ? ରୋଗ ହୋଇଥିଲେ, ଛୁଟି ନେଲେ ନାହିଁ କାହିଁକି...? କିନ୍ତୁ ଏଠି ଛୁଟିକୁ ନେଇ ବିବାଦ । ପରିବାରର ଜଣକର ମୃତ୍ୟୁ ପରେ, ଛୁଟି ଆବେଦନ କଲାପରେ, ଛୁଟି ବଦଳରେ ମିଲିଲା ଅଧିକ କାମର ଦାୟିତ୍ବ । ଶବ ସତ୍କାର ସହିତ ସ୍କୁଲର କାମ କରି ଅସୁସ୍ଥ ହେଲେ ଶିକ୍ଷକ । ତଥାପି ଛୁଟି ଦେଲେନି ପ୍ରିନିସିପାଲ । ତେଣୁ ସାଲାଇନ ଲଗାଇ, ଶିକ୍ଷକ ସ୍କୁଲ ଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଓଡିଶା ଆଦର୍ଶ ବିଦ୍ୟାଳୟ, ଭଇଁଷା । କିନ୍ତୁ ଦେଖିବାକୁ ମିଳିଛି ସ୍କୁଲ ଆଗରେ ରୋଗୀ । ହାତରେ ସାଲାଇନ ଲାଗିଛି । ମୁହଁ ଶୁଖିଯାଇଛି । ଦେଖିଲେ ଅସୁସ୍ଥ ରୋଗୀ ଭଳି ଲାଗୁଛି । ସତେ ଯେମିତି, ହସପିଟାଲକୁ ଆସିଛନ୍ତି । କିନ୍ତୁ ହସପିଟାଲ ବଦଳରେ କାହିଁକି ସ୍କୁଲ ଆସିଲେ ରୋଗୀ ଜଣକ । କଥା ବୁଝୁ ବୁଝୁ ଜଣାପଡିଲା, ଦୁଇ ଦିନ ଧରି ଛୁଟି ମାଗି ବିଫଳ ହେଲା ପରେ, ସାଲାଇନ ଲଗାଇ ସ୍କୁଲ ଆସିଛନ୍ତି ଶିକ୍ଷକ ।
ଭଇଁଷା ଆଦର୍ଶ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ଅଜବ ପ୍ରତିବାଦ । ଗତକାଲି ତାଙ୍କର ସଂର୍ପକୀୟ ଅଜାଙ୍କ ମୃତ୍ୟୁ ହୋଇଥିଲା । ଦାୟିତ୍ବରେ ଥିବା ପ୍ରିନସିପାଲଙ୍କୁ ଛୁଟି ମାଗିଥିଲେ । ହେଲେ ଛୁଟି ବଦଳରେ ଅଧିକ କାମ ଦେଲେ ମ୍ୟାଡମ । ଅସୁସ୍ଥ ହୋଇଗଲେ ପ୍ରକାଶ । ତଥାପି ଛୁଟି ଦେଲେନି ପ୍ରିନସିପାଲ ମ୍ୟାଡମ ବିଜୟଲକ୍ଷ୍ମୀ ପ୍ରଧାନ । ତେଣୁ ଆଜି ଗୁରୁତର ଅବସ୍ଥାରେ ସାଲାଇନ ଲଗାଇ ପରିବାର ସହିତ ସ୍କୁଲ ଆସିଥିଲେ ଶିକ୍ଷକ । କିନ୍ତୁ ସ୍କୁଲ ପରିସରରେ ଗୁରୁତର ହେବାରୁ, ନିକଟରେ ଥିବା ଭଇଁଷା ଡାକ୍ତରଖାନାରେ ପ୍ରକାଶଙ୍କୁ ଭର୍ତ୍ତି କଲେ ପରିବାର ଲୋକେ ।
ଏଠି ପ୍ରଶ୍ନ ଉଠୁଛି....ଛୁଟିକୁ ନେଇ କାହିଁକି ହୋଇଥିଲା ବିବାଦ । କ’ଣ ପାଇଁ ଅସୁସ୍ଥ ଶିକ୍ଷକଙ୍କୁ ଛୁଟି ଦେଲେ ନାହିଁ ଦାୟିତ୍ବରେ ଥିବା ପ୍ରିନସିପାଲ । କୁହାଯାଉଛି, ଗତକାଲି ମ୍ୟାଡମ ପ୍ରିନସିପାଲଙ୍କୁ ସ୍କୁଲ ହ୍ୱାଟସଆପ ଗ୍ରୁପରେ ଛୁଟି ଆବେଦନ କରିଥିଲେ ସଂପୃକ୍ତ ଶିକ୍ଷକ । ସ୍ପଷ୍ଟ ଭାବରେ ପ୍ରକାଶ ଲେଖିଥିଲେ, ମୋର ଅଜାଙ୍କର ମୃତ୍ୟୁ ହୋଇଥିବାରୁ ମୁଁ, ଅଫିସ କାମ କରିପାରିବି ନାହିଁ । ତେଣୁ ମୋର ଗୋଟିଏ ଦିନର ସି.ଏଲ ମଂଜୁର କରାଯାଉ ।
କିନ୍ତୁ ତୁରନ୍ତ ମ୍ୟାଡମ ବିଜୟଲକ୍ଷ୍ମୀ, ମେସେଜରେ ଉତ୍ତର ଦେଇ ଲେଖିଛନ୍ତି, ଆପଣ ଆଉ ଜଣଙ୍କୁ ଆପଣଙ୍କ କାମ ପାଇଁ ଦାୟିତ୍ବ ଦିଅନ୍ତୁ, ନହେଲେ ଆପଣଙ୍କ ଛୁଟି ମଂଜୁର ହେବ ନାହିଁ । ଯଦି ଏଥିରେ କିଛି ଖିଲାପ ହେବ, କିମ୍ବା କାମରେ ତୃଟି ହେବ, ଆପଣ ଏଥିପାଇଁ ଦାୟୀ ହେବେ । ବାସ୍, ଛୁଟି ପରିବର୍ତ୍ତେ, ଫାଇଲ ପତ୍ର ଦେଇ ଡି.ଇ.ଓ ଅଫିସକୁ ପ୍ରକାଶକୁ ପଠାଇଥିଲେ ମ୍ୟାଡମ ପ୍ରିନସିପାଲ ।
ଅଜାଙ୍କ ଦାହସଂସ୍କାର ଅଧାରେ ରଖି, ଫାଇଲ ନେଇ ଡି.ଇ.ଓ ଅଫିସ ଯାଇ ସଂନ୍ଧ୍ୟା ପର୍ଯ୍ୟନ୍ତ କାମ କରିଥିଲେ ପ୍ରକାଶ । ଅସୁସ୍ଥ ହେଲା ଶରୀର । ତଥାପି ଛୁଟି ନଦେବାରୁ, ଆଜି ସାଲାଇନ ଲଗାଇ ସ୍କୁଲ ଆସିଥିଲେ ପ୍ରକାଶ । ହେଲେ ସ୍କୁଲରେ ନଥିଲେ ପ୍ରିନସିପାଲ ମ୍ୟାଡମ । ଫୋନରେ କହିଥିଲେ, ମୋର ସ୍କୁଲ ନଆସିବା ନେଇ ଯଦି ଅଭିଯୋଗ ଅଛି, ମୁଁ ଚାକିରୀ ଛାଡିଦେବି । ତେବେ ଘଟଣାକୁ ନେଇ ପାଟଣାଗଡ ବ୍ଳକ ଶିକ୍ଷା ଅଧିକାରୀ କହିଛନ୍ତି, ଘଟଣାର ତଦନ୍ତ ହେବ, ଯିଏ ଦୋଷୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।