Advertisment

ବିନା ମୁରବୀରେ କେମିତି ଚାଲୁଛି ୟୁନିଭରସିଟି ?

ଖାଲି ଉଚ୍ଚଶିକ୍ଷା ନୁହେଁ ବୈଷୟିକ ଶିକ୍ଷା ବିଶ୍ୱବିଦ୍ୟାଳୟ, ବିପିୟୁଟି ଓ କୃଷି ବିଶ୍ୱବିଦ୍ୟାଳୟ, ଓୟୁଏଟିରେ ବି ସମାନ ସ୍ଥିତି।

Odisha Universities, Higher Education in shambles

Odisha Universities, Higher Education in shambles

Advertisment

ବିପଯର୍ୟସ୍ତ ଉଚ୍ଚଶିକ୍ଷା। ବିନା ମୁରବୀରେ ଚାଲୁଛି ବିଶ୍ୱବିଦ୍ୟାଳୟ। କେଉଁଠି କୁଳପତି ଦୁର୍ନୀତିରେ ଛନ୍ଦି ହୋଇଛନ୍ତି ତ ଆଉ କେଉଁଠି ମାସାଧିକ କାଳ ବ୍ୟକ୍ତିଗତ କାମରେ ଛୁଟିରେ ରହୁଛନ୍ତି। ସବୁଠାରୁ ଚର୍ଚ୍ଚାରେ ଅଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୀବ ମିତ୍ତଲ। ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇ ଦୀର୍ଘ ଦିନ ହେଲା ଛୁଟିରେ ବିନା କୁଳପତିରେ ଯାହା ଯେମିତି ଚାଲିଛି ବିଶ୍ୱବିଦ୍ୟାଳୟ। ସେପଟେ ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀର କୁଳପତି ଅପରାଜିତା ଚୌଧୁରୀ ମାସେରୁ ଅଧିକ ସମୟ ଧରି ବ୍ୟକ୍ତିଗତ କାମ ଲାଗି ବିଦେଶ ଯାଇଥିଲେ। ଯାହା ଫଳରେ ବିଶ୍ୱବିଦ୍ୟାଳୟ ବେଶୀ ପ୍ରଭାବିତ ହୋଇଛି। କୁଳପତିଙ୍କ ଅନୁପସ୍ଥିତି ଲାଗି ଗେଷ୍ଟ ଫାକଲ୍ଟି ମାନେ ଦୁଇ ହେବ ଦରମା ପାଇବାରେ ଅସୁବିଧା ହୋଇଛି। କେବଳ ଚାକିରିକୁ ଭୟ କରି କୌଣସି ଗେଷ୍ଟ ଫାକଲ୍ଟି କ୍ୟାମେରା ସାମନାରେ ମୁହଁ ଖୋଲି ନଥିଲେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Advertisment

ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କିଛି ଦିନ ତଳେ ଦୁଇ ଅଧ୍ୟାପକଙ୍କ ନାଁରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ। ସାମନାକୁ ଆସିଥିଲା ଭୁବନେଶ୍ୱର ଉପକଣ୍ଠ ଜୟଦେବ କଲେଜରେ ବି ଜଣେ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀଙ୍କୁ ଯୌନ ନିର୍ଯାତନ ଭଳି ସଙ୍ଗୀନ ଅଭିଯୋଗ ହୋଇ ତଦନ୍ତ ଚାଲିଛି। ତେବେ ସବୁଠାରୁ ଗୁରୁତର ଘଟଣା ହେଉଛି ରାଗିଂ ପାଇଁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା। ରାଜ୍ୟ ଉଚ୍ଚଶିକ୍ଷାର ସାମ୍ପ୍ରତିକ ଘଟଣାଗୁଡିକୁ ଦେଖିଲେ ସ୍ପଷ୍ଟ ଯେ ବ୍ୟବସ୍ଥା କିପରି ବିଗିଡି ଯାଇଛି। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ ସମସ୍ତେ ଏବେ ଚିନ୍ତାରେ। ଉଚ୍ଚଶିକ୍ଷା ମନ୍ତ୍ରୀ କିନ୍ତୁ ଏନେଇ ଚୁପ୍।

ଖାଲି ଉଚ୍ଚଶିକ୍ଷା ନୁହେଁ ବୈଷୟିକ ଶିକ୍ଷା ବିଶ୍ୱବିଦ୍ୟାଳୟ, ବିପିୟୁଟି ଓ କୃଷି ବିଶ୍ୱବିଦ୍ୟାଳୟ, ଓୟୁଏଟିରେ ବି ସମାନ ସ୍ଥିତି। ବିପିୟୁଟି କୁଳପତିଙ୍କ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣି ବର୍ଷ ତମାମ ବିଭିନ୍ନ ଛାତ୍ର ସଂଗଠନ କ୍ୟାମ୍ପସ ଠାରୁ ଆରମ୍ଭ କରି ରାଜଧାନୀ ଯାଏ ସବୁଠି ଆନ୍ଦୋଳନ କରୁଛନ୍ତି। ସେହିପରି ଓୟୁଏଟିରେ ତିନି ମାସ ହେବ କୁଳପତି ନାହାଁନ୍ତି। ପୂର୍ବତନ କୁଳପତିଙ୍କ ଅବସର ପରେ ନୂଆ କୁଳପତି ନିଯୁକ୍ତି ହୋଇନାହାଁନ୍ତି। ଯାହା ଫଳରେ ପ୍ରଭାବିତ ହେଉଛି ବିଶ୍ୱବିଦ୍ୟାଳୟର ଉନ୍ନତିମୂଳକ କାମ। କୃଷି ସଚିବ ଅରବିନ୍ଦ ପାଢୀ ଏବେ ଚାର୍ଜରେ ଅଛନ୍ତି। ତେବେ କୁଳପତିମାନଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଶିକ୍ଷାର ବିକାଶ ଲାଗି ସଂସ୍କାର ମୂଳକ ପଦକ୍ଷେପ ନିଆଯାଉଥିବା କହୁଛନ୍ତି ସରକାର। ହେଲେ ବାସ୍ତବ ଚିତ୍ର କଣ ଏବଂ କାହିଁକି ସରକାରୀ ଶିକ୍ଷାନୁଷ୍ଠାନ ଜାତୀୟ ରାଙ୍କରେ ବହୁ ପଛରେ ପଡୁଛନ୍ତି, ତାହା ଏଥିରୁ ସ୍ପଷ୍ଟ।

ରିପୋର୍ଟ: ସଞ୍ଜୟ ଜେନା ଓ ଜଗଦୀଶ ଦାସ

Odisha Universities Higher Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ