ସଂଘର୍ଷ କାହାଣୀ; କମାଲ୍ କଲେ ଓଡ଼ିଆ ପୁଅ ଅନିମେଶ, ବିନା କୋଚିଂରେ IAS

ସ୍ବପ୍ନ, ଆକାଶରେ ଉଡିବାକୁ ଡେଣା ସଞ୍ଚୁଥିଲା । ଦିନ ଗଡିଯାଉଥିଲା, ଏହାରି ଭିତରେ ବାପା ଚାଲିଗଲେ । ଘରର ମେରୁଦଣ୍ଡ ଦୋହଲିଗଲା । ମା’ ଏକା ଏକା ପୁରା ପରିବାରର ବୋଝ ସମ୍ଭାଳିଲା । ଜାଣନ୍ତୁ ଅନିମେଶଙ୍କ ସଂଘର୍ଷର କାହାଣୀ...

Animesh Pradhan

ଜୀବନର ଦୋ ଛକିରେ ଛିଡା ହୋଇଥିଲେ ସିଏ । କିନ୍ତୁ ସ୍ବପ୍ନ, ଆକାଶରେ ଉଡିବାକୁ ଡେଣା ସଞ୍ଚୁଥିଲା । ଦିନ ଗଡିଯାଉଥିଲା, ଏହାରି ଭିତରେ ବାପା ଚାଲିଗଲେ । ଘରର ମେରୁଦଣ୍ଡ ଦୋହଲିଗଲା । ମା’ ଏକା ଏକା ପୁରା ପରିବାରର ବୋଝ ସମ୍ଭାଳିଲା । ଆଉ ଏଇ ଅଭାବ ଭିତରେ ଟାଇମ୍‌ ମ୍ୟାନେଜମେଣ୍ଟ ଶିଖିଗଲେ ଅନିମେଶ । ରୋଜଗାର କରିବେ, ନିଜ ଖର୍ଚ୍ଚ ନିଜେ ଉଠେଇବେ। କିନ୍ତୁ ଏହାରି ଭିତରେ ନିଜ ସ୍ବପ୍ନ ବି ସାକାର କରିବେ। ଏହା ତାଙ୍କ ପାଇଁ କୌଣସି ଚ୍ୟାଲେଞ୍ଜଠାରୁ କମ୍ ନ ଥିଲା । ଆମେ କହୁଛୁ ଅନିମେଶ ପ୍ରଧାନଙ୍କ କଥା । ଯିଏ UPSC ପରୀକ୍ଷାରେ ୨ୟ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶାର ନାଁ ରଖିଛନ୍ତି ।

ଅନିମେଶଙ୍କ ଏ ସଫଳତାର ଯାତ୍ରା ସେତେ ସହଜ ନ ଥିଲା, ଯେମିତି ଆମେ କହିଯାଉଛୁ । ବାପା ଯିବାର ଦୁଇବର୍ଷ ପରେ, ମାନେ ୨୦୨୨ ବେଳକୁ ହଠାତ୍ ତାଙ୍କ ଉପରେ ଆଉ ଗୋଟିଏ ବିପଦ ଆସି ପହଞ୍ଚିଗଲା । ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ଚୁଡାନ୍ତ ହେଉଥିବା ବେଳେ ମା’ଙ୍କ ଦେହ ଖରାପ ହେଲା । ଆଉ ତମାମ ଡାଇଗ୍ନୋସିସ ପରେ ଜଣାପଡିଲା, ସିଏ ଏବେ କ୍ୟାନସରେ ପୀଡିତ। ଜୀବନର ଆଶା ବି କ୍ଷିଣ, କାରଣ ରୋଗଟା ଶେଷ ଅବସ୍ଥାରେ ପହଞ୍ଚିଥିଲା । 

 

ସବୁ ପିଲାମାନଙ୍କ ମା’ ଭଳି ଅନିମେଶଙ୍କ ମା’ ବି ପୁଅ ପାଇଁ କେତେ ସ୍ବପ୍ନ ଦେଖିଥିଲେ । ପୁଅକୁ ସାହାସ ଯୋଗାଇଦେଲେ। ମୁଁ ତୋ ସବୁଠାରୁ ବଡ ପ୍ରେରଣା ବାପା, ନିଜ ପରିଶ୍ରମ ହୃଦୟର ସହ କରିବୁ, ହୁଏତ ଏହା ହିଁ କହିଥିଲେ । ଅନିମେଶ ମଧ୍ୟ ଦ୍ୱିତୀୟବାର ଏହି ଚ୍ୟାଲେଞ୍ଜକୁ ସ୍ବୀକାର କରନ୍ତି । ସ୍ବଳ୍ପ ଜୀବନ ଭିତରେ ମା’କୁ ତମାମ ଖୁସି ଦେବାକୁ ପଡିବ। ସଫଳ ହୋଇ ସଫଳତାର ସବୁ ଶ୍ରେୟ ତା କୋଳରେ ଓଜାଡି ଦେବାକୁ ପଡିବ । ହେଲେ ଦୁଃଖ ଆଉ ଦୁଭାଗ୍ୟ ସେ କଥା ବି ପୂର୍ଣ୍ଣ ହେଲାନି। ପୁଅର ସୁଖ ଦେଖିବା ଆଗରୁ ଦୁନିଆରୁ ବିଦାୟ ନେଇଗଲେ ମା’ । 

ଆଜି ତାଙ୍କ ଖବର, ତମାମ ଖବରକାଗଜ ଆଉ ଟିଭିରେ ବାହାରୁଛି । ଭାଇରାଲ ହେଉଛି ତାଙ୍କ ଫଟୋ । ଅନିମେଶ ନାଁ ରଖିଛନ୍ତି। ୟୁପିଏସସି ସର୍ବଭାରତୀୟ ପରୀକ୍ଷାରେ ତାଙ୍କ ସ୍ଥାନ ୨ୟ । ଏଭଳି ଗୌରବର ସାକ୍ଷୀ ହେବାକୁ କିନ୍ତୁ ତାଙ୍କ ମା’ ନାହାନ୍ତି। ତଥାପି ଏ ସଫଳତାର ସମର୍ପଣ କେବଳ ତାଙ୍କ ମା’ଙ୍କର, ଏ କଥା ସେ କହୁଛନ୍ତି ଆଉ କହୁଥିବେ ।

 

ଏପଟେ ଅନିମେଶଙ୍କ ସଫଳତା ନେଇ ଖୁସି ପ୍ରକାଶ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ବା IOCL ଅଧ୍ୟକ୍ଷ ଏସ.ଏମ ବୈଦ୍ୟ । ଅନିମେଶଙ୍କ ସହ ଏକ ଫଟୋ ଟ୍ବିଟ୍ କରିଛନ୍ତି ବୈଦ୍ୟ । UPSC ପରୀକ୍ଷାରେ ପ୍ରଥମ ଥରରେ କୃତୀତ୍ବ ଅର୍ଜନ କରିଥିବା ଅନିମେଶ  IOCLର ଜଣେ ଅସାଧାରଣ ପ୍ରତିଭା ବୋଲି ସେ ଉଲ୍ଲେଖ କରିଛନ୍ତି ।