• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗଣିତକୁ ଡରୁଛନ୍ତି ପରୀକ୍ଷାର୍ଥୀ । ଚଳିତ ବର୍ଷ ମାଟ୍ରିକ୍‌ରେ ସର୍ବାଧିକ ପରୀକ୍ଷାର୍ଥୀ ଏହି ବିଷୟରେ ଅନୁପସ୍ଥିତ ରହିଛନ୍ତି । ଦୁଇ ନମ୍ବରରେ ଅଛି ସାହିତ୍ୟ। ବିଷୟ ୱାରି ଅନୁପସ୍ଥିତ ବା ଡ୍ରପ୍ ଆଉଟ ତାଲିକା କେତେବେଳେ ବଢିଛି ତ କେତେବେଳେ କମିଛି । ଯାହାକୁ ନେଇ ଶିକ୍ଷାବିତ ଓ ଅଭିଭାବକ ଚିନ୍ତାପ୍ରକଟ କରିଥିବାବେଳେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଡ୍ରପ୍ ଆଉଟ ହାର ରୋକିବାକୁ ସରକାର ପଦକ୍ଷେପ ନେଉଛନ୍ତି ।

ଆସିଲା ମାଟ୍ରିକ୍ ଡ୍ରପ୍ ଆଉଟ୍ ର ଆଉ ଏକ ସାଂଘାତିକ ତଥ୍ୟ । ପ୍ରତି ବିଷୟରେ ଅନୁପସ୍ଥିତ ପିଲାଙ୍କ ସଂଖ୍ୟାରେ ରହିନି ତାଳମେଳ। ଅର୍ଥାତ ଯିଏ ସାହିତ୍ୟ ପରୀକ୍ଷା ଦେଇଛି ସିଏ ଗଣିତ କି ଇଂରାଜୀ ଭଳି କଠିନ ବିଷୟରେ ପରୀକ୍ଷା ଦେଇନି । ଏହି ତଥ୍ୟ ଆସିଛି ବିଧାନସଭାରୁ । ବିଜେପି ବିଧାୟକ ନବଚରଣ ମାଝିଙ୍କ ତାରକା ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଆଖି ଖୋସିଲା ଭଳି ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ଲକ୍ଷ ୩୨ ହଜାର ୭୪୬ ଜଣ ଫର୍ମ ଫିଲପ୍ କରିଥିଲେ। ପ୍ରଥମ ଦିନ ସାହିତ୍ୟ ପରୀକ୍ଷାରେ ୧୬ ହଜାର ୫୪୮ ଜଣ ଅନୁପସ୍ଥିତ ଥିଲେ । ଦ୍ୱିତୀୟ ଦିନ ଇଂରାଜୀରେ ୧୬ହଜାର ୩୭୦, ତୃତୀୟ ଦିନ ସଂସ୍କୃତରେ ୧୬ହଜାର ୫୨୦, ବିଜ୍ଞାନରେ ୧୬ହଜାର ୪୮୭, ସାମାଜିକ ବିଜ୍ଞାନରେ ୧୬ହଜାର ୪୨୫ ଓ ଗଣିତରେ ସର୍ବାଧିକ ୧୬ ହଜାର ୬୭୯ ପିଲା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇନାହାଁନ୍ତି ।

ପ୍ରତିଦିନ ପରୀକ୍ଷାରେ ଅନୁପସ୍ଥିତ ପିଲାଙ୍କ ଖସିବା ଓ ବଢିବା ନିହାତି ଚିନ୍ତାଜନକ । ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଡ୍ରପ୍ ଆଉଟ ହାର ଗତ ବର୍ଷଗୁଡିକ ଅପେକ୍ଷା କମିଛି, ଏହାକୁ ଆହୁରି କମାଇବା ଲାଗି ବିଭାଗ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି । ସରକାର ନିଜେ ମାନିଛନ୍ତି ଯେ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ୧୪ ହଜାର ପିଲା ଦେଇନାହାଁନ୍ତି । ଗତ ୫ବର୍ଷରୁ ତଥ୍ୟକୁ ଦେଖିଲେ ଜଣାପଡେ ଯେ, ରାଜ୍ୟରେ ଡ୍ରପ୍ ଆଉଟ ହାର ଚିନ୍ତାଜନକ। ୨୦୧୮ରେ ୧୨ ହଜାର ୯୫୫ ଜଣ, ୨୦୧୯ରେ ୯ ହଜାର ୫୦୨, ୨୦୨୦ରେ ୧୧ହଜାର ୬୪୫, ୨୦୨୧ରେ ୪ ହଜାର ୪୧୨ ଓ ୨୦୨୨ରେ ସର୍ବାଧିକ ୪୪ ହଜାର ୨୪୫ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଇନଥିଲେ।

ତେବେ ଏତେସଂଖ୍ୟକ ପରୀକ୍ଷାର୍ଥୀ ଫର୍ମ ଫିଲପ୍ କରିବା ସତ୍ତ୍ୱେ କାହିଁକି ଅନୁପସ୍ଥିତ ରହୁଛନ୍ତି? ଶିକ୍ଷାବିତ୍‌ଙ୍କ ମତରେ ଦାଦନ, ବାଲ୍ୟ ବିବାହ, ପରିବାରରେ ଆର୍ଥିକ ସମସ୍ୟା ଯୋଗୁ ପିଲାଏ ଅଧାରୁ ପାଠ ଛାଡୁଛନ୍ତି । ସେପଟେ ଅଭିଭାବକ ସଂଘ କହିଛି ଅନୁନ୍ନତ ଅଞ୍ଚଳରେ ସରକାର ଅଭିଭାବକଙ୍କ ପାଖରେ ପହଞ୍ଚି ଅଧିକ ସଚେତନ କରିବାର ଆବଶ୍ୟକତା ଅଛି ।

ଡ୍ରପ୍ ଆଉଟ ରୋକିବା ଲାଗି ଡୋର୍ ଟୁ ଡୋର କ୍ୟାମ୍ପେନ ହେଉଛି, ପିଲାଙ୍କୁ ଚିହ୍ନଟ ବି କରାଯାଉଛି । ହେଲେ ପ୍ରତିବର୍ଷ କିନ୍ତୁ ଡ୍ରପ୍ ଆଉଟ ହାର ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଲଗାଉଛି ।

(ରିପୋର୍ଟ- କଟକରୁ ଗୌତମ ପଣ୍ଡା, ଭୁବନେଶ୍ୱରରୁ ଜଗଦୀଶ ଦାସ)

  • Reported by:
  • GAUTAM PANDA