• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପାଞ୍ଚ ବର୍ଷିଆ କଟକଣା ପରେ ରାଜ୍ୟରେ ପୁଣି ଘରୋଇ ଡିଗ୍ରୀ ଓ ବୈଷୟିକ କଲେଜ୍ ଖୋଲିବା ଲାଗି ସରକାରଙ୍କ ନିଷ୍ପତ୍ତିକୁ ନେଇ ବିତର୍କ । ଏହା ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ନେଇ ନିଷ୍ପତ୍ତି ନା କିଛି ଗୋଷ୍ଠୀଙ୍କ ସ୍ୱାର୍ଥ ରକ୍ଷା ଲାଗି ପଦକ୍ଷେପ ତାକୁ ନେଇ ଉଠିଛି ପ୍ରଶ୍ନ । ସରକାରୀ କଲେଜର ସିଟ୍ ଖାଲି ପଡୁଥିବା ବେଳେ ଅଧିକ ଘରୋଇ କଲେଜ୍‌ର ଆବଶ୍ୟକତା କଣ ବୋଲି ପଚାରିଛି ଅଧ୍ୟାପକ ସଂଘ । ଅନ୍ୟପକ୍ଷରେ ସରକାରଙ୍କ ନିଷ୍ପତ୍ତି ଶିକ୍ଷାର ବ୍ୟବସାୟୀକରଣକୁ ପ୍ରୋସାହିତ କରିବ ବୋଲି ମଧ୍ୟ କୁହାଯାଉଛି ।

ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ରାଜ୍ୟରେ ପୁଣି ଖୋଲିବ ଘରୋଇ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜ୍ । ଗତ ମାସ ୯ ତାରିଖରେ ବସିଥିବା ହାଇପାୱାର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ଥାନୀୟ ଅଂଚଳର ଶୈକ୍ଷିକ ଆବଶ୍ୟକତାକୁ ନେଇ ଘରୋଇ ଶିକ୍ଷାନୁଷ୍ଠାନ ଖୋଲାଯାଇପାରିବ । ସେହିପରି ଆବଶ୍ୟକସ୍ଥଳେ ନୂଆ କୋର୍ସ ସାମିଲ ପାଇଁ ବି ଅନୁମତି ଦିଆଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ହାଇପାୱାର କମିଟି ମତ ଦେଇଛି । ଘରୋଇ କଲେଜଗୁଡିକର ପ୍ରାଦୁର୍ଭାବ ରୋକିବାକୁ ଉଚ୍ଚ ଶିକ୍ଷା ବିଭାଗ ନୂଆ ଘରୋଇ କଲେଜ ଖୋଲିବା ଉପରେ ୫ ବର୍ଷିୟା କଟକଣା ଲଗାଇଥିଲା ।

 

ଉଚ୍ଚ ଶିକ୍ଷା ବିଭାଗ ହାଇ ପାୱାର କମିଟିର ଏହି  ନିଷ୍ପତିକୁ ନେଇ ଅନେକ ପ୍ରଶ୍ନ ଉଠିଛି । ରାଜ୍ୟରେ ଏବେ ୫୩ ଟି ସରକାରୀ ଓ ୫ଶହ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ରହିଛି । ଏ ସବୁ କଲେଜ୍‌ର ସିଟ ସଂଖ୍ୟା ୨ଲକ୍ଷ  ୫୫ ହଜାର ୯୧୩ । ଏଥି ମଧ୍ୟରୁ ଚଳିତ ବର୍ଷ ଲକ୍ଷେ ୯୮ ହଜାର ୫୧୮ ସିଟ୍‌ରେ ଆଡ଼ମିଶନ ହୋଇଛି । ଅର୍ଥାତ୍ ୫୭ ହଜାର ୩୯୫ ସିଟ୍ ଖାଲି ପଡ଼ିଛି । ଏଭଳି କ୍ଷେତ୍ରରେ ଅଧିକ ଘରୋଇ କଲେଜ୍ ଖୋଲିବାର ଆବଶ୍ୟକତା କଣ? କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇନାହାନ୍ତି ? ଉଚ୍ଚ ଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ଅଧ୍ୟାପକ ସଂଘ ସମାଲୋଚନା କରିଥିବା ବେଳେ ବେସରକାରୀ କଲେଜ୍ ଅଧ୍ୟକ୍ଷ କିନ୍ତୁ ସ୍ୱାଗତ କରିଛନ୍ତି ।

ପୂର୍ବରୁ ସେଲ୍ଫ ଫାଇନାନ୍ସିଂ କୋର୍ସ ବନ୍ଦ ଲାଗି ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତି ନେଇଥିଲା । ଏବେ କିନ୍ତୁ ଏହି କଟକଣାକୁ ଉଠାଇ ଦିଆଯାଇଛି । ଅନ୍ୟପକ୍ଷରେ ଘରୋଇ ଡିଗ୍ରୀ କଲେଜ ଖୋଲିବା ନିଷ୍ପତ୍ତି ଶିକ୍ଷାର ବ୍ୟବସାୟୀକରଣକୁ ପ୍ରୋତ୍ସାହିତ କରିବ ନାହିଁ ତ, ତାକୁ ନେଇ ବି ଉଠିଛି ପ୍ରଶ୍ନ ।

(ରିପୋର୍ଟର- ଭୁବନେଶ୍ୱରରୁ ଜଗଦୀଶ ଦାସ)