• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଏବେ ବି ରାଜ୍ୟରେ ଅଛନ୍ତି ଅଣତାଲିମପ୍ରାପ୍ତ ଶିକ୍ଷକ । ତା’ପୁଣି ପ୍ରାଥମିକ ଶିକ୍ଷା ସ୍ତରରେ, ସେମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ । କେବଳ ସରକାରୀ ନୁହେଁ, ଘରୋଇ ସ୍କୁଲର ଅଣ ତାଲିମପ୍ରାପ୍ତ ଶିକ୍ଷକମାନଙ୍କ ତାଲିକା ବି ପ୍ରସ୍ତୁତ କରାଯିବ । ଏହି ତାଲିକା କେନ୍ଦ୍ର ଶିକ୍ଷା ବିଭାଗ ପାଖକୁ ପଠାଯିବ ।

କେନ୍ଦ୍ର ସରକାରଙ୍କ ଚିଠି ପରେ ଗଣଶିକ୍ଷା ବିଭାଗର ତତ୍ପରତା । ବିଭାଗ ଖୋଜିବ ରାଜ୍ୟରେ କେତେ ପ୍ରାଥମିକ ଶିକ୍ଷକ ଅଣତାଲିମପ୍ରାପ୍ତ । ଶିକ୍ଷା ଅଧିକାର ଆଇନ ଅନୁସାରେ ଶିକ୍ଷକମାନଙ୍କ ଶିକ୍ଷାଗତ ଯୋଗ୍ୟତା ବାଧ୍ୟତାମୂଳକ । ହେଲେ ଏବେ ବି କିଛି ରାଜ୍ୟରେ ଅଣ ତାଲିମପ୍ରାପ୍ତ ଶିକ୍ଷକ ଥିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରାଯାଇଛି । ଏମାନଙ୍କ ଭିତରୁ କିଛି ଶିକ୍ଷକଙ୍କ ଯୋଗ୍ୟତା ନେଇ ବି ପ୍ରଶ୍ନ ଉଠିଛି ।

ଯେଉଁଥିପାଇଁ ଉଭୟ ସରକାରୀ ଓ ଘରୋଇ ସ୍କୁଲରେ ଥିବା ଅଣତାଲିମ ପ୍ରାପ୍ତ ଶିକ୍ଷକଙ୍କ ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କୁ ମଗାଯାଇଛି । ରାଜ୍ୟ ସରକାର ବି ତତ୍ପରତା ପ୍ରକାଶ କରି କିଛି ଦିନ ତଳେ ଏହି ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କିଛି ବର୍ଷ ତଳେ ଶିକ୍ଷକ ନିଯୁକ୍ତି ପରେ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା କରାଯାଇଥିଲା । ହେଲେ ବିଭିନ୍ନ କାରଣରୁ କିଛି ଶିକ୍ଷକ ପ୍ରଶିକ୍ଷଣ ନେଇ ପାରି ନଥିଲେ । ଏପରିକି ରାଜ୍ୟରେ କିଛି ବର୍ଷ ତଳେ ବିଜ୍ଞାନ ଶିକ୍ଷକଙ୍କ ଅଭାବ ଦେଖା ଦେଇଥିଲା । ସେ ସମୟରେ ମାର୍କ ଆଧାରରେ ସ୍ନାତକ ଡିଗ୍ରୀ ଧାରୀଙ୍କୁ ଶିକ୍ଷକ ନିଯୁକ୍ତି ଦେବାକୁ ପଡ଼ିଥିଲା । ପୂର୍ବରୁ ବି ଯୋଗ୍ୟତା ନଥିବା ଶିକ୍ଷକମାନଙ୍କୁ ସମର୍ କୋର୍ସ ମାଧ୍ୟମରେ ଟ୍ରେନିଂ ଦିଆଯାଉଥିଲା । କିନ୍ତୁ ତାହା ନିୟମିତ ଭାବେ ହେଉନଥିବାରୁ ଶିକ୍ଷକ ଓ ଅଭିଭାବକ ସଂଘ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବେ ଗଣଶିକ୍ଷା ବିଭାଗ କେତେ ଶୀଘ୍ର ତାଲିକା ଦାଖଲ କରୁଛି ଏବଂ ଅଣ ତାଲିମ ପ୍ରାପ୍ତଙ୍କୁ ତାଲିମ ଦେଉଛି ତା ଉପରେ ନଜର ।