• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଚଳିତ ଶିକ୍ଷା ବର୍ଷରୁ ବଦଳିଯିବ ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ । ଗାଢ ନୀଳ ରଙ୍ଗ ବଦଳରେ ଏଣିକି ପିଲା ପିନ୍ଧିବେ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ । ଛାତିରେ ଲେଖାଯିବ ’ଆମେ ଗଢିବୁ ନୂଆ ଓଡିଶା’ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ରାଜ୍ୟ ସରକାର ସ୍କୁଲ ୟୁନିଫର୍ମ କ୍ଷେତ୍ରରେ ଆଣିଥିବା ପରିବର୍ତ୍ତନକୁ ନେଇ ଏବେ ଉଠିଛି ପ୍ରଶ୍ନ । ଶିକ୍ଷା ମାନରେ ରାଜ୍ୟ ଦେଶର ୨୪ ନମ୍ବର ସ୍ଥାନକୁ ଖସିଛି, ସେଥିରେ ଉନ୍ନତି ନଆଣି ପୋଷାକ ପରିବର୍ତ୍ତନକୁ ନେଇ ରାଜନୀତି ତୀବ୍ର ହୋଇଛି ।

ଖୁବ୍ ଶୀଘ୍ର ବଦଳିଯିବ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ୟୁନିଫର୍ମ । ନୀଳ ପ୍ୟାଣ୍ଟ ଧଳା ସାର୍ଟ ବଦଳରେ ଏଣିକି ପିଲା ପିନ୍ଧିବେ ହଣ୍ଟର ଗ୍ରୀନ ପ୍ୟାଣ୍ଟ ଓ ଚେକ୍ ସାର୍ଟ । ଛାତ୍ରଙ୍କ ପାଇଁ ହ୍ୱାଇଟ ଗ୍ରୀନ ଚେକ୍ ସାର୍ଟ , କଳା ଜୋତା ଏବଂ ଧଳା ମୋଜା । ସେହିପରି ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍‌ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା । ଏହା ବାଦ କେବଳ ଶନିବାର ପାଇଁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବ୍ଲାକ୍ ଟ୍ରାକ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିବାକୁ ହେବ । ୧୦୦ ରୁ କମ ଉପସ୍ଥାନ ଥିବା ସ୍କୁଲ ଗୁଡିକରେ ଦୁଇଟି ନିର୍ଦ୍ଧାରିତ ରଙ୍ଗର ଟି-ସାର୍ଟ ପିନ୍ଧିବେ ଛାତ୍ରଛାତ୍ରୀ ।

ସେହିପରି ୧୦୦ରୁ ଅଧିକ ଉପସ୍ଥାନ ଥିବା ସ୍କୁଲରେ ୪ ଟି ହାଉସ ଗଠନ କରାଯିବ । ନାଲି, ହଳଦିଆ, ସବୁଜ ଏବଂ ନୀଳ ରଙ୍ଗର ଟି ସାର୍ଟ ପିନ୍ଧିବେ ଛାତ୍ରଛାତ୍ରୀ । ପୋଷାକରେ ରହିବ ’ଆମେ ଗଢିବୁ ନୂଆ ଓଡିଶା’ ର ଲୋଗୋ । ୟୁନିଫର୍ମ ପାଇଁ ପ୍ରତି ପିଲା ହିସାବରେ ୧ ହଜାର ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ ରଖିଛି ଗଣଶିକ୍ଷା ବିଭାଗ । ଜିଲ୍ଲାୱାରୀ କମିଟି ଗଠନ କରାଯାଇ ଲଘୁ ଉଦ୍ୟୋଗ ଓ ଏସଏଚଜି ମାଧ୍ୟମରେ ଟେଣ୍ଡର ଯୋଗେ ଏହାକୁ ଯୋଗାଇଦିଆଯିବ । ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନୂଆ ୟୁନିଫର୍ମ ଯୋଗାଇଦେବାକୁ ଲକ୍ଷ ରଖିଛି ଶିକ୍ଷା ବିଭାଗ । ନୂଆ ସ୍କୁଲ ୟୁନିଫର୍ମକୁ ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଛାତ୍ର ଛାତ୍ରୀ ଏହାକୁ ସ୍ୱାଗତ କରିଥିବା ବେଳେ ବୁଦ୍ଧିଜୀବୀ କିନ୍ତୁ ଏହାକୁ ବିରୋଧ କରିଛନ୍ତି । ବିଦ୍ୟାଳୟରେ ସରକାର ରାଜନୀତି ନକରିବାକୁ ବୁଦ୍ଧିଜୀବି ମତ ରଖିଛନ୍ତି ।

ସେହିପରି ନୂଆ ୟୁନିଫର୍ମକୁ ନେଇ ତେଜିଛି ରାଜନୀତି । ଅଭିଯୋଗ କରିଛନ୍ତି ଗୁଣାତ୍ମକ ଶିକ୍ଷା ଉପରେ ସରକାର ଗୁରୁତ୍ୱ ନଦେଇ ପୋଷାକ ପରିବର୍ତ୍ତନରେ ମାତିଛନ୍ତି । ନିର୍ବାଚନ ପୁର୍ବରୁ ହଠାତ ପୋଷାକ ପରିବର୍ତ୍ତନକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ବିଜେପି ମଧ୍ୟ ଅନୁରୁପ ଅଭିଯୋଗ ଆଣିଛି । ଶିକ୍ଷା ମାନରେ ରାଜ୍ୟ ଦେଶର ୨୪ ନମ୍ବର ସ୍ଥାନକୁ ଖସିଛି । ସରକାର ଏହାକୁ ଅଣଦେଖା କରି ପୂର୍ବରୁ ଥିବା ଗାଢ ନୀଳ ରଙ୍ଗ ବଦଳରେ ସବୁଜ ରଙ୍ଗ ବ୍ୟବହାର କରି ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ଭ୍ରମିତ କରୁଥିବା କହିଛି ।

  • Reported by:
  • T GOURISHANKAR , MANOJ SWAIN , SOUMYA RANJAN SAHOO , BIBARTAN PANDA