ଦିନ ୧୧ଟାରେ ବାହାରିବ ଯୁକ୍ତ ଦୁଇ ବିଜ୍ଞାନ-ବାଣିଜ୍ୟ ରେଜଲ୍ଟ

କାଲି ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଫଳ । କଳା ଓ ଧନ୍ଦାମୂଳକ ଫଳ ପ୍ରକାଶନରେ ଆହୁରି ଡେରି । ​​​​​​​ପରିଷଦର ବ୍ୟବସ୍ଥାଗତ ତ୍ରୁଟିକୁ ଦାୟୀ କଲେ ଶିକ୍ଷାବିତ୍ ।

Plus 2 Result

ସବୁ ଆଶା ଆଶଙ୍କାର ଅବସାନ ଘଟାଇ ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ ଦୁଇ ରେଜଲ୍ଟ। ଦିନ ୧୧ଟାରେ ଭୁବନେଶ୍ବର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଘୋଷଣା ହେବ ପରୀକ୍ଷା ଫଳ। କେବଳ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳ ଆସନ୍ତାକାଲି ପ୍ରକାଶ ପାଇବ। ଆନୁଷ୍ଠାନିକ ରେଜଲ୍ଟ ଘୋଷଣା ପରେ ଛାତ୍ରଛାତ୍ରୀ ମାନ www.orissaresults.nic.in ୱବସାଇଟ ଓ ସାମ୍ସ ପୋର୍ଟାଲ୍ ରୁ ନିଜ ନିଜର ରେଜଲ୍ଟ ଜାଣିପାରିବେ

ଚଳିତ ବର୍ଷ ପରୀକ୍ଷା ମାର୍ଚ୍ଚ ୧ରୁ ଏପ୍ରିଲ୍ ୫ ଯାଏ ଅନୁଷ୍ଠିତ ହୋଇଥିଲା । କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ତବର୍ଷ ଯୁକ୍ତଦୁଇ ବିଜ୍ଞାନରେ ପାସ୍ ହାର ୯୪.୧୨ ପ୍ରତିଶତ ଓ ବାଣିଜ୍ୟରେ ୮୯.୨ ପ୍ରତିଶତ ରହିଥିଲା।

ଅନ୍ୟପଟେ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବକୁ ନେଇ ପରୀକ୍ଷାର୍ଥୀଙ୍କ ଭିତରେ ପ୍ରବଳ ଅସନ୍ତୋଷ। CBSE ଓ CISCE ବୋର୍ଡ ରେଜଲ୍ଟ ୧୫ ଦିନ ତଳୁ ପ୍ରକାଶ ପାଇସାରିଲାଣି। ଯେଉଁଥିପାଇଁ ଚିନ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀ । ବଢୁଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କେବଳ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ତାରିଖକୁ ଘୋଷଣା କରିଦେଇଛନ୍ତି। ପରିଷଦର ବ୍ୟବସ୍ଥାଗତ ତ୍ରୁଟି ପାଇଁ ପ୍ରତିବର୍ଷ ଏସମସ୍ୟା ଉପୁଜୁଛି। ପରିଷଦର ନୀତିରେ ସ୍ପଷ୍ଟତା ଆସିଲେ ରେଜଲ୍ଟ ଠିକ୍ ସମୟରେ ପ୍ରକାଶ ପାଇ ପାରିବ ବୋଲି ଶିକ୍ଷାବିତ୍‌ଙ୍କ ମତ ।

ନିୟମ ଅନୁଯାୟୀ ପରୀକ୍ଷା ଶେଷ ହେବାର ୪୫ ଦିନ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବା କଥା। ମାତ୍ର ପରିଷଦ ରେଜଲ୍ଟ ପ୍ରକାଶନ ପାଇଁ ଦୁଇ ମାସ ସମୟ ନେବା ତ୍ରୁଟି ଶୂନ୍ୟ ମୂଲ୍ୟାୟନ ଉପରେ ପ୍ରଶ୍ନବାଚୀ ଲଗାଇଛି ।