• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବନ୍ଦ ହେବାକୁ ଯାଉଛି ସେଲଫ୍ ଫାଇନାନ୍ସିଂ କୋର୍ସ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହାଦ୍ୱାରା ଘରୋଇ କଲେଜ୍ ଫାଇଦାରେ ରହିବେ, ଗରିବ ମେଧାବୀ ଛାତ୍ରଛାତ୍ରୀ ପାଠ ପଢ଼ିବାରୁ ବଞ୍ଚିତ ହେବେ । କେବଳ ଏତିକି ନୁହେଁ ଯେଉଁ ପିଲାମାନେ ପାଠ ପଢ଼ୁଛନ୍ତି ସେମାନଙ୍କୁ ବି ଏହା ପ୍ରଭାବିତ କରିବ ବୋଲି ମତ ରହିଛନ୍ତି ଶିକ୍ଷାବିତ୍ ।

ସେହିଭଳି ଏବେ ଆଶା ଆଶଙ୍କାରେ ସେଲଫ୍ ଫାଇନାନ୍ସିଂରେ ପଢ଼ୁଥିବା ଛାତ୍ରଛାତ୍ରୀ । ଉଚ୍ଚଶିକ୍ଷା ବିଭାଗର ଏହି ନିଷ୍ପତ୍ତି ପରେ ରେଭେନ୍ସ ବିଶ୍ୱବିଦ୍ୟାଳୟର ଅନେକ ବିଭାଗକୁ ବନ୍ଦ କରାଯିବା ସହ କିଛି ବିଭାଗରେ ସିଟ୍ ସଂଖ୍ୟାକୁ କମାଇ ଦିଆଯାଇଛି । ଡାଟା ସାଇନ୍ସ ମ୍ୟାନେଜମେଣ୍ଟ, ବିଜେଏମ୍‌ସି ଭଳି ୟୁଜି କୋର୍ସ ବନ୍ଦ ହୋଇଥିବା ବେଳେ ପିଜିରେ ଆନାଲିଟିକାଲ୍ କେମେଷ୍ଟ୍ରି, ବା କେମେଷ୍ଟ୍ରି ଭଳି ବିଭାଗକୁ ବନ୍ଦ କରାଯାଇଥିବା ପିଜି କାଉନସିଲ୍ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ବିଶ୍ୱବିଦ୍ୟାଳୟରେ ରେଗୁଲାର୍ କୋର୍ସ ତୁଳନାରେ ୨୦ ପ୍ରତିଶତ ହିଁ ସେଲଫ୍ ଫାଇନାନ୍ସିଂ କୋର୍ସ ସିଟ୍ ରହିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷେ, ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଛାତ୍ର କଂଗ୍ରେସ । ଯେଉଁ କୋର୍ସ ପାଇଁ ବିଶ୍ୱ ବିଦ୍ୟାଳୟରେ ୨୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ସେସବୁ ପାଇଁ ଏବେ ପିଲାଙ୍କୁ ଲକ୍ଷାଧିକ ଟଙ୍କା ଦେବାକୁ ପଡ଼ିବ । ଶିକ୍ଷାର ବ୍ୟାପାରିକରଣ କରୁଛନ୍ତି ସରକାର । କରୋନା ପରେ ସାଧାରଣ ମଧ୍ୟବିତ୍ତ ପରିବାରର ଶିକ୍ଷାର୍ଥୀଙ୍କ ଅଣ୍ଟା ଭିଡ଼ିଛନ୍ତି । ଏହି ସମୟରେ କୋର୍ସକୁ ବିଶ୍ୱ ବିଦ୍ୟାଳୟରେ ବନ୍ଦ କରିବା ପଛରେ ଉଚ୍ଚ ଶିକ୍ଷା ବିଭାଗ ଓ ଘରୋଇ ଶିକ୍ଷାନୁଷ୍ଠାନର ମିଳିତ ଚକ୍ରାନ୍ତ ରହିଛି । ଖାଲି ଏତିକି ନୁହେଁ ଉତ୍କଳ ବିଶ୍ୱବିଦ୍ୟାଳୟର ୮ଟି ପାଠ୍ୟକ୍ରମ ସହ ଏବେ ଯାଏଁ ରେଭେନ୍ସା ବିଶ୍ୱବିଦ୍ୟାଳୟର ୫୦୦ଟି ସିଟ୍‌କୁ ରାଜ୍ୟ ସରକାର ବନ୍ଦ କରିଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି ।