• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟରେ ବିପର୍ଯ୍ୟୟ ମୁଖୀ ସ୍କୁଲ ଶିକ୍ଷା । ଖାଲି ପଡିଛି ମାଳ ମାଳ ଶିକ୍ଷକ ପଦବୀ । ଅଧିକାଂଶ ସ୍ଥାନରେ ଛାତ୍ର ଓ ଶିକ୍ଷାର୍ଥୀ ଅନୁପାତ ନିୟମ ପାଳନ ହୋଇନି ।ଆଉ ଭିତ୍ତିଭୂମି କଥା ତ ନକହିବା ହିଁ ଭଲ । ଉନ୍ନତ ଶିକ୍ଷାରୁ ବାଦ ପଡୁଛନ୍ତି ପିଲାମାନେ । ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଭିତରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । କିନ୍ତୁ ସରକାର ସ୍କୁଲ୍ ରୂପାନ୍ତରୀକରଣ କାର୍ଯ୍ୟକ୍ରମ କରି ବାହାବାଃ ନେଉଛନ୍ତି ସରକାର ।

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଛାତ୍ରଛାତ୍ରୀଙ୍କ ତୁଳନାରେ ନାହାଁନ୍ତି ଆବଶ୍ୟକୀୟ ଶିକ୍ଷକ । ବିଷୟ ଭିତ୍ତିକ ଶିକ୍ଷକଙ୍କର ତ ଯେମିତି ମରୁଡି ପଡ଼ିଯାଇଛି ।ବାସୁଦେବପୁର ବ୍ଲକ ରାଜଘରପୋଖରୀ ହାଇସ୍କୁଲ ପିଲା ସ୍କୁଲ ଯାଉଛନ୍ତି ହେଲେ ପାଠ ପଢା ଠିକ୍‌ରେ ହେଉନି । ସ୍କୁଲରେ କେବଳ ନବମ ଓ ଦଶମ ଶ୍ରେଣୀର ପିଲା ପଢନ୍ତି ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଦୁଇ ଶ୍ରେଣୀର ଦୁଇ ଶହ ପିଲାଙ୍କ ପାଇଁ ଅଛନ୍ତି ମାତ୍ର ୨ ଜଣ ଶିକ୍ଷକ । ଜଣେ ହିନ୍ଦୀ ଶିକ୍ଷକ ଓ ଜଣେ କ୍ରୀଡା ଶିକ୍ଷକ ପିଲାଙ୍କୁ ପଢାଉଛନ୍ତି । ଶିକ୍ଷକ ଅଭାବ ଲାଗି ସ୍କୁଲ୍‌ର ଜଣେ ପୁରାତନ ଛାତ୍ର ପିଲାଙ୍କୁ ସ୍ୱେଚ୍ଛାକୃତ ଭାବେ ପଢାଉଛନ୍ତି । ନବରଙ୍ଗପୁର ପାପଡାହାଣ୍ଡି ବ୍ଲକର ଚେରଚେଟା ସରକାରୀ ପ୍ରାଥମିକ ସ୍କୁଲରେ ମଧ୍ୟ ସମାନ ସ୍ଥିତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୩୧୯ ଜଣ ଶିକ୍ଷାର୍ଥୀ ପଢୁଥିବାବେଳେ ଶିକ୍ଷକ ସଂଖ୍ୟା ମାତ୍ର ୬ ଜଣ । ପାଠ ପଢା କେମିତି ଚାଲୁଥିବ ସହଜରେ ଅନୁମାନ କରାଯାଇପାରେ । 

ବାଲେଶ୍ୱରରେ ମଧ୍ୟ ଶିକ୍ଷକଙ୍କ ଅଭାବ ଲାଗି ଶିକ୍ଷାର୍ଥୀଙ୍କୁ ମିଳୁନି ଗୁଣାତ୍ମକ ଶିକ୍ଷା । ଜଳେଶ୍ୱରର ନାମ୍ପୋର ସତସଙ୍ଗ ସୀମାନ୍ତ ବାଳିକା ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ମାତ୍ର ୪ଜଣ କିନ୍ତୁ ଶିକ୍ଷକଙ୍କ ଦ୍ୱାରା ପାଠ ପଢ଼ାଯାଉଛି । ଜିଲ୍ଲା ଗୁଡ଼ିକରେ ଥିବା ସ୍କୁଲ୍‌ର ଶିକ୍ଷାର ଏଭଳି ଅବସ୍ଥା ନେଇ ସରକାରଙ୍କୁ ଅବଗତ କରୁଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ମାନେ, କିନ୍ତୁ ଫଳ କିଛି ବି ମିଳୁନି ।

ନିୟମ ଅନୁଯାୟୀ ପ୍ରାଥମିକ ଶ୍ରେଣୀ ଲାଗି ପ୍ରତି ୩୦ ଜଣ ପିଲାରେ ଜଣେ ଶିକ୍ଷକ, ମାଧ୍ୟମିକ ଶ୍ରେଣୀରେ ୩୫ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଲାଗି ୪୦ ଜଣ ଶିକ୍ଷାର୍ଥୀରେ ଜଣେ ଶିକ୍ଷକ ରହିବେ । କିନ୍ତୁ ଏହି ଅନୁପାତରେ କୌଣସି ବି ସରକାରୀ ସ୍କୁଲ୍ ଗୁଡିକରେ ଶିକ୍ଷକ ନାହାଁନ୍ତି । ରାଜ୍ୟ ସରକାର ଫାଇଭ ଟି ଯୋଜନାରେ ସ୍କୁଲ୍ ଗୁଡିକୁ ରୂପାନ୍ତରୀକରଣ କରୁଛନ୍ତି, ଯେଉଁଥିରେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବ ବୋଲି ଡିଣ୍ଡିମ ପିଟୁଛନ୍ତି । ହେଲେ ବାସ୍ତବତା କିନ୍ତୁ ବହୁ ଦୂରରେ । କେଉଁଠି ଫାଇଭ ଟି ସ୍କୁଲ୍‌ରେ ଶିକ୍ଷକ ନଥିବାରୁ ପିଲାଙ୍କ ପାଠ ପଢା ବାଧା ପ୍ରାପ୍ତ ହେଲାଣି ତ ଆଉ କେଉଁଠି ଗୋଟିଏ କ୍ଲାସ୍ ରୁମ୍‌ରେ ଏକାଧିକ ଶ୍ରେଣୀର ପିଲା ପାଠ ପଢୁଛନ୍ତି । ଶିକ୍ଷାବିତଙ୍କ ମତରେ ସରକାର ତୁରନ୍ତ ଶିକ୍ଷକ ନିଯୁକ୍ତି କରି ପିଲାଙ୍କ ଭବିଷ୍ୟତ ସଜାଡନ୍ତୁ ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ୮ ହଜାର ଶିକ୍ଷକଙ୍କୁ ନିଯୁକ୍ତ କଲେ । ହେଲେ ଏବେ ବି ଅପହଞ୍ଚ ଅଞ୍ଚଳର ସ୍କୁଲ୍ ଗୁଡିକରେ ଶିକ୍ଷକ ଅଭାବ । ସ୍କୁଲ୍ ରୂପାନ୍ତରୀକରଣ ହେଉଛି, ମାତ୍ର ପିଲାଙ୍କ ଭବିଷ୍ୟତ ସଜାଡି ହେଉନି । କେଉଁଠି ଭିତ୍ତିଭୂମି ତ ଆଉ କେଉଁଠି ଶିକ୍ଷକ ଅଭାବ ପିଲାଙ୍କ ଶିକ୍ଷାରେ ବାଧା ସାଜୁଛି ।