Advertisment

କାହା ବାପା ସ୍କୁଲ ଯାଇ ନାହାନ୍ତି ତ କାହା ମା’ ପିଅନ୍, ସମସ୍ୟା ମଧ୍ୟରେ ଏମାନେ ପାଇଛନ୍ତି ସଫଳତା

ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ। ଅଭାବ ଅନଟନ ମଧ୍ୟରେ ସଫଳତାର ସିଡି ଚଢିଛନ୍ତି ଅନେକ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Inspiring story

କିଏ ଚାଷୀର ପୁଅ-ଝିଅ ତ କାହାର ବାପା ଦିନ ମଜୁରିଆ। ସଫଳତାର ଶ୍ରେୟ ଦେବାକୁ କାହା ପାଖରେ ଏବେ ବାପା ନାହାନ୍ତି ତ କିଏ ମାଆଙ୍କ ଦିନ ରାତି ପରିଶ୍ରମରେ ପାଠ ପଢିଛନ୍ତି। ନାନା ଆସୁବିଧା ଓ ସମସ୍ୟା ମଧ୍ୟରେ ପାଇଛନ୍ତି ଓସିଏସ୍ ସଫଳତା। ଅଫିସର ବନିଛନ୍ତି, ପରିବାରକୁ ଗର୍ବିତ କରିଛନ୍ତି।

Advertisment

ଏମିତି ଜଣେ ସଫଳ ମଣିଷ ହେଲେ ଜାହ୍ନବୀ ଶବର। ଚାଷୀ ପରିବାରର ଝିଅ। ବାପା ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି। ହେଲେ ଝିଅର ପାଠପଢାରେ କେବେ ହେଳା କରିନାହାନ୍ତି। ଯୁକ୍ତ ଦୁଇ ବିଜ୍ଞାନରେ ଜାହ୍ନବୀ ଯେତେବେଳେ ଜିଲ୍ଲା ଟପ୍ପର ହେଲେ, ତାଙ୍କୁ ଆଣ୍ଡ୍ରଏଡ୍ ମୋବାଇଲ୍ ଗିଫ୍ଟ କରିଥିଲେ ବାପା। ବାସ୍, ସେହି ଫୋନରୁ ସୋସିଆଲ ମିଡିଆ ଓ ସେଲଫ ଷ୍ଟଡି ମାଧ୍ୟମରେ ଓଏଏସ୍ ପାଇବାକୁ ସକ୍ଷମ ହୋଇଛନ୍ତି ରାୟଗଡା ଗୁଣପୁର ବ୍ଲକ୍ ଚାଲକମ୍ବା ଗାଁର ଜାହ୍ନବୀ ଶବର। ରାଙ୍କ ମିଳିଛି ୩୬୨।

ସେହିପରି ଦିନକୁ ୯ ଘଂଟାର ପରିଶ୍ରମ ଓ ଦୃଢ ମନୋବଳ, ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ଆଣିଦେଇଛି କିରଣ ସୋରେନଙ୍କ ପାଇଁ। ମୟୂରଭଞ୍ଜ ଖୁଣ୍ଟା ବ୍ଲକ ସିମଗଡିଆ ଗାଁର କିରଣଙ୍କ ବାପା କେନ୍ଦ୍ରାପଡାରେ ପୋଲିସ ହାବିଲଦାର ଭାବେ କାର୍ଯ୍ୟରତ। କିରଣ ପୂର୍ବରୁ ପୋଷ୍ଟ ମାଷ୍ଟର ଚାକିରି ପାଇଥିଲେ। ହେଲେ ପ୍ରଶାସନିକ ସେବାରେ ଯୋଗ ଦେଇ ଲୋକଙ୍କ ସେବା କରିବା ତାଙ୍କ ଇଛା ବୋଲି କହିଛନ୍ତି କିରଣ।

Advertisment

ଅନ୍ୟପଟେ କେଓସିଏସରେ ନମ୍ବର ୱାନ୍ ରାଙ୍କ ପାଇଥିବା ସୁଦେବ ପୃଷ୍ଟି ପିଲା ଦିନରୁ ଜଣେ ମେଧାବୀ ଛାତ୍ର। ହେଲେ ପରିବାର ପାଇଁ ସବୁବେଳେ ଅର୍ଥ ସାଜୁଥିଲା ବାଧକ। ବାପା ଅଜଣା ରୋଗରେ ପୀଡିତ। କୌଣସି କାମ ଧାମ କରିପାରନ୍ତି ନାହିଁ। ତେଣୁ ମାଆଙ୍କ ଉପରେ ଥିଲା ଦୁଇ ପୁଅର ଭବିଷ୍ୟତ। ସାନ ପୁଅ ସୁଦେବ ପୃଷ୍ଟି ନିଜ ପରିଶ୍ରମ ବଳରେ ବାୟୁସେନାରେ ଯୋଗ ଦେଇଥିଲେ। ଆଉ ଏବେ ବିନା କୋଚିଂରେ ପ୍ରଥମ ସୁଯୋଗରେ OAS ଟପ୍ପର ହୋଇ ମାର ମୂଲକୁ ସାର୍ଥକ କରିଛନ୍ତି ସୁଦେବ।

ଏପଟେ କଟକ ଜିଲ୍ଲା ନିଆଳି ବ୍ଲକ୍ କୁଲାଶ୍ରୀ ଗାଁର ଶ୍ୱେତଲିନା ସାହୁଙ୍କର ବାପା ନାହାଁନ୍ତି ସତ, ହେଲେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିଲେ ଦିନ ରାତି କଠିନ ପରିଶ୍ରମ କରିଥିଲେ। ଶେଷରେ ଦୃଢ ଇଛାଶକ୍ତି ଆଗରେ ଫିକା ପଡିଛି ପ୍ରତିବନ୍ଧକ। ଓସିଏସ ପରୀକ୍ଷାରେ ଶ୍ୱେତଲିନାଙ୍କୁ ମିଳିଛି ୩୦ ରାଙ୍କ। ଶ୍ୱେତଲିନାଙ୍କ କୃତିତ୍ୱ ପାଇଁ ତାଙ୍କୁ ବିରାଟ ପଟୁଆରରେ ଗାଁକୁ ପାଛୋଟି ନେଇଛନ୍ତି ଅଂଚଳ ବାସୀ।

ଓସିଏସ ପରୀକ୍ଷାରେ ପ୍ରଥମ ଚେଷ୍ଟା ବିଫଳ ହୋଇଥିଲା ହେଲେ ଦ୍ୱିତୀୟ ଥର ସଫଳତା ଆଣିଦେଇଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ତୁନିପାର ଗାଁର ଚିନ୍ମୟ କୁମାର ସାହୁଙ୍କ ପାଇଁ। ତାଙ୍କୁ ମିଳିଛି ୧୮୮ ରାଙ୍କ। ଆଦିବାସୀ ଓ ପଛୁଆ ଅଂଚଳରେ ସରକାରଙ୍କ ଯୋଜନା ପହଁଚାଇବା ଦିଗରେ ସେ କାମ କରିବେ ବୋଲି କହିଛନ୍ତି ଚିନ୍ମୟ

ଜୟପୁରର ରାମେଶ୍ୱରୀ ହିକକା। ବିନା କୋଚିଂରେ ରାମେଶ୍ୱରୀ ଓସିଏସ୍ ସଫଳତା ପାଇଛନ୍ତି। ପିଲା ଦିନରୁ ବାପାଙ୍କୁ ହରାଇଛନ୍ତି। ଜୟପୁର ବ୍ଲକ୍ କାର୍ଯ୍ୟାଳୟରେ ପିଅନ୍ ଥିବା ମାଆ ଉମା ମହେଶ୍ୱରୀ, ଝିଅର ସ୍ବପ୍ନ ସାକାର କରିବାକୁ ଯେତିକି ପାରିଛନ୍ତି କରିଛନ୍ତି। ଶେଷରେ ତାଙ୍କ ପରିଶ୍ରମ ସଫଳ ହୋଇଛି। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ରାମେଶ୍ୱରୀଙ୍କୁ ମିଳିଛି ୪୧୩ ରାଙ୍କ। ଆଗକୁ ୟୁପିଏସସି ପାଇବା ତାଙ୍କ ଲକ୍ଷ୍ୟ। ଅଭାବ ଅନଟନ ମଧ୍ୟରେ ସଫଳତାର ସିଡି ଚଢିଛନ୍ତି ଅନେକ। ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ।

Odisha Civil Services Exam Inspiring Story
Advertisment
Advertisment