Advertisment

ପରୀକ୍ଷା ଚିନ୍ତା ଘାରୁଛି କି? ଆପଣାନ୍ତୁ ଏହି ୭ଟି ଟିପ୍ସ; ମିଳିବ ମୁକ୍ତି

ପରୀକ୍ଷା ପାଖେଇ ଆସିଲେ କିମ୍ବା ପରୀକ୍ଷା ନାଁ ଶୁଣିବା ମାତ୍ରେ ଅଧିକାଂଶ ଛାତ୍ର ଚିନ୍ତା ଓ ଚାପରେ ପଡିଯାଆନ୍ତି। ପରୀକ୍ଷାର ଚିନ୍ତା ତ ସମସ୍ତଙ୍କୁ ଆସେ। ତେବେ ଆସନ୍ତୁ କିଛି ପଏଣ୍ଟ୍ ବିଷୟରେ ଜାଣିନେବା ଯାହା ଏଥିରୁ ମୁକ୍ତି ଦେବ।

author-image
Pramod Behera
ଅଦ୍ୟତନ ହୋଇଛି
How to overcome exam stress

How to overcome exam stress

ପରୀକ୍ଷା ପାଖେଇ ଆସିଲେ କିମ୍ବା ପରୀକ୍ଷା ନାଁ ଶୁଣିବା ମାତ୍ରେ ଅଧିକାଂଶ ଛାତ୍ର ଚିନ୍ତା ଓ ଚାପରେ ପଡିଯାଆନ୍ତି। ସେମାନେ ଚିନ୍ତା କରନ୍ତି ଯେ ଯଦି ବିଫଳ ହୁଅନ୍ତି କିମ୍ବା ପରୀକ୍ଷା ଭଲ ନ ହୁଏ, ଭଲ ମାର୍କ ନ ରୁହେ ତେବେ ଭଲ କଲେଜରେ ଆଡମିଶନ ମିଳିବ ନାହିଁ। ଏହି ସବୁ କଥା ସେମାନଙ୍କୁ ଚିନ୍ତାରେ ବୁଡେଇ ଦିଏ।

Advertisment

ପରୀକ୍ଷାର ଚିନ୍ତା ତ ସମସ୍ତଙ୍କୁ ଆସେ। ତେବେ ଆସନ୍ତୁ କିଛି ପଏଣ୍ଟ୍ ବିଷୟରେ ଜାଣିନେବା ଯାହା ଏଥିରୁ ମୁକ୍ତି ଦେବ।

୧- ନିଜ ଉପରେ ବିଶ୍ୱାସ ରଖିବା:

ନିଜ ଉପରେ ବିଶ୍ୱାସ ରହିବା ଉଚିତ ଯେ ଯାହା କିଛି ପ୍ରସ୍ତୁତି କରିଛନ୍ତି, ତାହା ବହୁତ ଭଲ। କିଛି ଛାତ୍ର ଭୁଲ୍ କରନ୍ତି ଯେ ଯେତେବେଳେ ପରୀକ୍ଷା ଆଉ ମାତ୍ର କିଛି ଦିନ ବାକି ଥାଏ ସେମାନେ ପୂର୍ବରୁ ପଢିଥିବା ବିଷୟକୁ ସଂଶୋଧନ କରିବା ପରିବର୍ତ୍ତେ, ନୂଆ ବିଷୟ ପଢିବା ଆରମ୍ଭ କରନ୍ତି। ଏହା ମଧ୍ୟ ସମୟ ନଷ୍ଟ କରେ ଏବଂ ନୂଆ ବିଷୟଗୁଡିକ ଭଲ ଭାବରେ ବୁଝି ହୁଏ ନାହିଁ। ଏହି କାରଣରୁ, ଆତ୍ମବିଶ୍ୱାସ ଦୁର୍ବଳ ହେବାକୁ ଲାଗେ ଏବଂ ନିଜ ଉପରେ ଭରସା କମିଯାଏ।

Advertisment

୨- ପରୀକ୍ଷା ଏକ ଉତ୍ତମ ବ୍ୟବସ୍ଥା, ଏହି ଧାରଣା ଆସୁ

ଅନେକ ପିଲା ଭାବନ୍ତି ସେ ପରୀକ୍ଷା ବ୍ୟବସ୍ଥା ନଥିଲେ ଭଲ ହୋଇଥାନ୍ତା। ଚିନ୍ତା କରିବା ଉଚିତ ଯେ ପରୀକ୍ଷାର ଭୟ ହେତୁ, ଆମେ ଅନେକ କିଛି ପଢୁ, ଏହା ଆମ ଜ୍ଞାନର ପରିସରକୁ ବୃଦ୍ଧି କରେ। ତେଣୁ ପରୀକ୍ଷାକୁ ଖରାପ ଭାବିବା ଠିକ୍ ନୁହେଁ।

ପରୀକ୍ଷାକୁ ଏକ ତିକ୍ତ ଔଷଧ ରୂପେ ଗ୍ରହଣ କରାଯାଇପାରେ, ଯାହାକୁ ପିଇବାକୁ ଇଛା ନଥିଲେ ବି ପିଇବା ବିନା ରୋଗ ଦୂର ହୁଏ ନାହିଁ। ପରୀକ୍ଷା ଆମକୁ ପରବର୍ତ୍ତୀ ସ୍ତରକୁ ନେଇଯାଏ। ତେଣୁ ପରୀକ୍ଷା ହେବା ଭଲ ବୋଲି ମନରେ ଏହି ଚିନ୍ତା ଆଣିବା ଉଚିତ।

୩- ପାଠ ପଢାର ଉଚିତ ପ୍ଲାନ୍:

ଯେଉଁ ପିଲାମାନେ ପରୀକ୍ଷା ପୂର୍ବରୁ ପାଠ ପଢାର ଏକ ଯୋଜନା ପ୍ରସ୍ତୁତ କରନ୍ତି, ସେମାନେ ପରୀକ୍ଷା ସମୟରେ ଅଧିକ ଚାପଗ୍ରସ୍ତ ହୁଅନ୍ତି ନାହିଁ। ଏହା କରିପାରିଲେ କମ ସମୟ ମଧ୍ୟରେ ଅଧିକ ପଢିହୁଏ। ଅନେକ ଥର ଏପରି ହୁଏ ଯେ ଯେତେବେଳେ ପରୀକ୍ଷା ପାଖେଇ ଆସେ, ସେତେବେଳେ ଅଧ୍ୟୟନ କାର୍ଯ୍ୟସୂଚୀ ଗଡବଡ ହୋଇଯାଏ। ଯେପରି କି ପ୍ରିୟ ବିଷୟ ଉପରେ ଅଧିକ ଧ୍ୟାନ ଦେବା ସହ କଷ୍ଟକର ବିଷୟ ଛାଡି ହୋଇଯାଏ।

୪- ପଢିବା ବେଳେ ବ୍ରେକ୍ ନେବା:

ନିରନ୍ତର ଅଧ୍ୟୟନ ମସ୍ତିଷ୍କ ଉପରେ ଚାପ ପକାଇଥାଏ। ଦୀର୍ଘ ସମୟ ଧରି ବଲ୍‌ବ ଆଲୋକରେ ପଢିବା ଦ୍ୱାରା ଏହା ଆଖିକୁ କ୍ଳାନ୍ତ କରିଥାଏ। ଫଳରେ ଆମେ ଯାହା ବି ପଢୁ ମୁଣ୍ଡରେ କିଛି ପଶେ ନାହିଁ କି ମନେ ରୁହେ ନାହିଁ।

ଏହି ପରିସ୍ଥିତିରେ ପଢିବା ମଝିରୁ ଉଠି କିଛି ସମୟ ଏପଟ ସେପଟ ହେବା ଉଚିତ। ଏହି ସମୟରେ ଛାତ ଉପରକୁ ଯାଇ ପ୍ରାକୃତିକ ଆଲୋକ, ଆକାଶ ଅଛି, ସୂର୍ଯ୍ୟ କିରଣକୁ ଉପଭୋଗ କରିବା ଉଚିତ। ଏହାଦ୍ୱାରା ମନ ହାଲୁକା ହେବା ସହ ଆଖିକୁ ମଧ୍ୟ ବିଶ୍ରାମ ମିଳେ।

୫- ଅତି କମରେ ୬ରୁ ୭ ଘଣ୍ଟା ଶୋଇବା ଜରୁରୀ:

ଯେତେବେଳେ ପରୀକ୍ଷା ପାଖେଇ ଆସେ, ସଠିକ୍ ପରିମାଣର ଶୋଇବା ଦରକାର ହୁଏ। କାରଣ କେବଳ ପର୍ଯ୍ୟାପ୍ତ ନିଦ ହିଁ ପରୀକ୍ଷାର ଚାପକୁ ହ୍ରାସ କରିଥାଏ। ପରୀକ୍ଷା ବେଳେ ଏହା ହେଉଛି ସବୁଠାରୁ ବଡ ସମସ୍ୟା। ପରୀକ୍ଷା ଚାପ ହେତୁ ଅନେକ ପରୀକ୍ଷା ସମୟରେ ଭଲ ଭାବରେ ଶୋଇପାରନ୍ତି ନାହିଁ। ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

୬- ଖାଦ୍ୟର ଯତ୍ନ:

ଖାଦ୍ୟର ଯତ୍ନ ନେବା ଦ୍ୱାରା ପରୀକ୍ଷାର ଚାପରୁ ବହୁ ପରିମାଣରେ ହ୍ରାସ ମିଳିଥାଏ।

କ୍ଷୀର ହେଉଛି ଭିଟାମିନ୍ B12 ର ଏକ ଉତ୍ତମ ଉତ୍ସ। ଏହା ଆମ ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀ ପାଇଁ ବହୁତ ଭଲ। ଏଥିରେ ଟ୍ରାଇପଟୋଫାନ୍ ମଧ୍ୟ ଥାଏ, ଯାହା ଶୋଇବା ଚକ୍ରକୁ ନିୟନ୍ତ୍ରଣ କରିଥାଏ। ତେଣୁ ପ୍ରତ୍ୟେକ ଛାତ୍ର ଅତିକମରେ ଗୋଟିଏ ଗ୍ଲାସ୍‌ କ୍ଷୀର ପିଇବା ଉଚିତ। ଏହା ସହିତ ଠିକ ସମୟରେ ଖାଇବା ସହ ସୁଷମ ଖାଦ୍ୟ ଉପରେ ଗୁରୁତ୍ୱ ଦେବା ଉଚିତ।

୭- ସକାରାତ୍ମକ ଚିନ୍ତାଧାରା

ପରୀକ୍ଷା ପାଇଁ ପ୍ରସ୍ତୁତି ବେଳେ ସକାରାତ୍ମକ ଚିନ୍ତାଧାରା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ଭଲ ଚିନ୍ତା କରିବା ତେବେ ଏହା ଭଲ ହେବ। ତେଣୁ, ସର୍ବଦା ସକରାତ୍ମକ ଚିନ୍ତାଧାରା ଆଣିବା ସହ ନକାରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରହିବା ଉଚିତ।

Education Exam Stress
Advertisment
Advertisment