ପରୀକ୍ଷା ଦେବାକୁ ଛାତ୍ରୀମାନେ ଲୁହା ଗେଟ୍‌ ଡେଇଁ ଯାଉଛନ୍ତି.. ହେଲେ କାହିଁକି..?

ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

Exam

ବିହାରରୁ ଏକ ପରୀକ୍ଷା କେନ୍ଦ୍ରର ଏକ ଫଟୋ ଭାଇରାଲ ହେଉଛି । ଯେଉଁଥିରେ କିଛି ଛାତ୍ରୀ ପରୀକ୍ଷା କେନ୍ଦ୍ର ଫାଟକ ଡେଇଁ ଭିତରକୁ ପ୍ରବେଶ କରୁଛନ୍ତି । ଏହି ଦୃଶ୍ୟ ସେତିକି ରୋଚକ ଓ ଆଶ୍ଚର୍ଯ୍ୟଜନକ । କାରଣ ପରୀକ୍ଷା କେନ୍ଦ୍ରକୁ ଫାଟକ ଡେଇଁ ଯିବା କିଛି ଆବଶ୍ୟକ ନଥାଏ । ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ଯାଞ୍ଚ କରାଯିବା ପରେ ଭିତରକୁ ଛଡ଼ାଯାଏ । ତେବେ ଫଟୋ ଦେଖିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଯେ, ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ଗେଟ୍‌ ଡେଇଁ ଯିବା କ’ଣ ଆବଶ୍ୟକ ? ଏଠାରେ କ’ଣ ଚେକିଂ ହେଉ ନାହିଁ କି ?

ପୁରା ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ପରୀକ୍ଷାର୍ଥୀ ବାଧ୍ୟ ହୋଇ ଫାଟକ ଡେଇଁ ପରୀକ୍ଷା କେନ୍ଦ୍ରକୁ ଯିବାର ନିଷ୍ପତ୍ତି ନେଲେ, କାରଣ ପରୀକ୍ଷା ସମୟ ପାଖେଇ ସାରିଥିବା ବେଳେ କେନ୍ଦ୍ରର ଫାଟକ ଖୋଲାଯାଇନଥିଲା । ତେଣୁ ଏଭଳି ନିଷ୍ପତ୍ତି ନେବାକୁ ସେମାନେ ବାଧ୍ୟ ହେଲେ । ଏହି ଫଟୋ ଏବେ ସୋସିଆଲ ମିଡିଆ ରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ରିପୋର୍ଟ ଅନୁସାରେ ଛାତ୍ରୀମାନେ ବିହାର ବୋର୍ଡର ଦ୍ୱାଦଶ ପରୀକ୍ଷା ଦେବା ପାଇଁ କେନ୍ଦ୍ର ନିକଟରେ ପହଞ୍ଚିଥିଲେ । କିନ୍ତୁ କେନ୍ଦ୍ର ଭିତରକୁ ଯେଉଁ ଗେଟ୍‌ ଦେଇ ଯିବା କଥା ତାହା ତାଲା ପଡ଼ିଥିଲା । ଏହି ଫଟୋ ବିହାରସରିଫ୍‌ସ୍ଥିତ କେଏସ୍‌ଟି କଲେଜର ବୋଲି ଜଣାପଡ଼ିଛି । ଜଣେ କି ଦୁଇ ଜଣ ନୁହେଁ ଅନେକ ଛାତ୍ରୀ ଏଭଳି ବିପଦ ପୂର୍ଣ୍ଣ ଭାବେ ଲୁହା ଗେଟ୍ ଡେଇଁ ପରୀକ୍ଷା କେନ୍ଦ୍ର ଭିତରକୁ ଯିବା ପାଇଁ ବାଧ୍ୟ ହୋଇଥିଲେ । ନଚେତ୍‌ ପରୀକ୍ଷା ମିସ୍‌ ହେବାର ସମ୍ଭାବନା ରହିଥିଲା ।

BSEBର କହିବାନୁଯାୟୀ, ପରୀକ୍ଷା କେନ୍ଦ୍ରର ଫାଟକ ପରୀକ୍ଷା ଆରମ୍ଭର ୧୦ ମିନିଟ୍ ପୂର୍ବରୁ ବନ୍ଦ କରାଯାଇଥାଏ । ତାପରେ ଆଉ କୌଣସି ପରୀକ୍ଷାର୍ଥୀଙ୍କୁ ଭିତରକୁ ପ୍ରବେଶ କରିବାର ଅନୁମତି ନାହିଁ । ଯେଉଁ ଛାତ୍ରୀମାନେ ଦ୍ୱିତୀୟ ସିଟିଂର ପରୀକ୍ଷା ଦେବା ପାଇଁ ଆସିବା କଥା ସେମାନେ ୧.୩୫ ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାର ଆବଶ୍ୟକ ଥିଲା । କାରଣ ୧.୪୫ରେ ପରୀକ୍ଷା ଆରମ୍ଭ ହେବାର ଥିଲା । କିନ୍ତୁ ସେମାନେ ନିର୍ଦ୍ଧାରିତ ସମୟରେ ପହଞ୍ଚିନଥିଲେ । ସମୟ ୧.୩୫ ପରେ କାହାକୁ ବି ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ଅନୁମତି ନାହିଁ ।