• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୂଜା ଛୁଟି ପରେ ପିଲାଏ ପଢ଼ିବେ ପୁରୁଣା ପାଠ । ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି । କୋଭିଡ ପାଇଁ ଦୁଇ ବର୍ଷର ଶିକ୍ଷାରେ ହୋଇଥିବା କ୍ଷତି ଭରଣା ପାଇଁ ଲର୍ଣ୍ଣି ରିକଭରି ପ୍ରୋଗ୍ରାମ ଜରିଆରେ ଏକ୍ସଟ୍ରା କ୍ଲାସରେ ପାଠ ପଢିବେ ଛାତ୍ରଛାତ୍ରୀ । ତେବେ ଷାଣ୍ମାସିକ ପରୀକ୍ଷା ଥିବାରୁ ଏ ସମୟରେ ପୁରୁଣା ପାଠ ପଢ଼ାଇବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ।

ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ । ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ପୁସ୍ତିକା । ଦୁଇଟି ଘରୋଇ ସଂସ୍ଥା ଦ୍ୱାରା ପିଲାଏ ପଢ଼ିବେ ପାଠ । ଏଥିଲାଗି ପ୍ରତିଦିନ ଦୁଇଟି ଏକଷ୍ଟ୍ରା କ୍ଲାସ ଜରିଆରେ ପାଠପଢ଼ା ହେବ । ପୁରୁଣା ପାଠ କୋଭିଡ ସମୟରେ ପିଲାଏ କେତେ ପାଠ ପଢ଼ିଛନ୍ତି, ତାହା ଜାଣିବା ଲାଗି ପ୍ରଥମେ ବେସ୍ ଲାଇନ୍ ଟେଷ୍ଟ ହେବ । ଯେଉଁମାନେ ଏଥିରେ ବିଫଳ ହେବେ ସେମାନଙ୍କୁ ଅତିରିକ୍ତ କ୍ଲାସ ଜରିଆରେ ଘରୋଇ ସଂସ୍ଥା ପାଠ ପଢ଼ାଇବେ ।

ରାଜ୍ୟ ର ୫୫ ହଜାର ୭୪୫ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକରେ ଲର୍ଣ୍ଣି ରିକଭରି ପ୍ରୋଗ୍ରାମ ହେବ । ଶିକ୍ଷାଦାନ ପାଇଁ ଦୁଇଟି ଘରୋଇ ସଂସ୍ଥା ମଧ୍ୟରେ ସମାନ ଭାବେ ଜିଲ୍ଲା ବଣ୍ଟା ଯାଇଛି । ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଓ ଗଣିତ କ୍ଲାସ ଦିଆଯିବ । ସେହିପରି ଚତୁର୍ଥରୁ ନବମ ଶ୍ରେଣୀ ପିଲା ଗଣିତ, ଇଂରାଜୀ, ବିଜ୍ଞାନ ଓ ପରିବେଶ ବିଜ୍ଞାନ ପଢିବେ । ଆସନ୍ତା ସେପ୍ଟେମ୍ବର ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ ଟ୍ରେନିଂ ଦିଆଯିବ । ତିନି ମାସ ଭିତରେ ସରିବ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ।

ଦିନିକିଆ ସ୍କୁଲ ପରିଚାଳନା ବୈଠକ ସହ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ଜରିଆରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ନେଇ ସଚେତନ କରାଯିବ । ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ୱାରା ଦୁଇଟି ମନିଟରିଂ ଟିମ୍ ଗଠନ କରାଯାଇ କାର୍ଯ୍ୟକ୍ରମର ସଫଳ ରୂପାୟାନ ଦିଗରେ ତଦାରଖ କରାଯିବ । ତେବେ କ୍ଲାସ ପରୀକ୍ଷା ସମୟ ପାଖେଇଲାଣି । ଏହି ସମୟରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ଲାଗୁ କରିବା ପିଲାଙ୍କ ଉପରେ ଅଧିକ ଚାପ ପକାଇବ ବୋଲି ଅଭିଭାବକଙ୍କ ମତ ।

ପ୍ରଥମେ ଲର୍ଣ୍ଣିଂ ଏନହାସନ୍ସମେଣ୍ଟ ପ୍ରୋଗ୍ରାମ ଆଉ ଏବେ ଏହି ସ୍ୱତନ୍ତ୍ର କ୍ଲାସ୍ ଦ୍ୱାରା ପିଲାଙ୍କ ଦକ୍ଷତା ବଢ଼ାଇବାକୁ ଏ ପ୍ରୟାସ କେତେ ସଫଳ ହେଉଛି, ତା ଉପରେ ନଜର ।

ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ