• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

NEET ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପେପର ଲିକ୍ ହୋଇନି । ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଭାରତ ସରକାର ଓ NTA ପ୍ରତିବଦ୍ଧ । ୨୪ ଲକ୍ଷ ଛାତ୍ରଛାତ୍ରୀ ସ୍ୱଚ୍ଛତାର ସହ ପରୀକ୍ଷା ଦେଇଛନ୍ତି । ପେପର ଲିକ୍ ହୋଇନି, କି ହେବାର ଏବେ ଯାଏଁ ପ୍ରମାଣ ମିଳିନି । ୧୫୬୦ ପିଲାଙ୍କ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମଡେଲ ଗ୍ରହଣ କରାଯାଇଛି ।

ଏନେଇ କମିଟି ଗଠନ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିବୁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ NEET ବିବାଦ ପ୍ରସଙ୍ଗରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ବଡ଼ ନିଷ୍ପତ୍ତି । ଗ୍ରେସ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କ ଗ୍ରେସ ମାର୍କ ରଦ୍ଦ କରିଛି NTA । ଏନେଇ ସୁପ୍ରିମକୋର୍ଟଙ୍କୁ NTA ପକ୍ଷରୁ ଅବଗତ କରାଯାଇଛି ।

ଅଧିକ ପଢ଼ନ୍ତୁ:୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ, ପୁଣି ହେବ ପରୀକ୍ଷା

ସଂପୃକ୍ତ ୧୫୬୩ ଛାତ୍ରଙ୍କୁ ପୁଣି ପରୀକ୍ଷାରେ ବସିବାକୁ ବିକଳ୍ପ ଦିଆଯାଇଛି । NEET ବିବାଦ ପ୍ରସଙ୍ଗର ସମାଧାନ କରିବାକୁ ଗତ ୧୦, ୧୧ ଓ ୧୨ ତାରିଖରେ କମିଟିର ବୈଠକ ବସିଥିଲା । ଏହି ବୈଠକରେ ଗ୍ରେସ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କ ଗ୍ରେସ ମାର୍କ ରଦ୍ଦ ସହ ପୁଣି ପରୀକ୍ଷାରେ ବସିବାକୁ ବିକଳ୍ପ ଦିଆଯାଇଛି । ଆସନ୍ତା ଜୁନ ୨୩ରେ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି ।

୩୦ ତାରିଖରେ ରେଜଲ୍ଟ ବାହାରିବ । ତେବେ କାଉନସେଲିଂ ପାଇଁ ଯେଉଁ ସମୟ ଧାର୍ଯ୍ୟ କରାଯାଇଥିଲା ସେହି ସମୟରେ ହିଁ କାଉନସେଲିଂ ହେବ । ଏନେଇ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି ନ୍ୟାସନାସ ଟେଷ୍ଟିଂ ଏଜେନ୍ସି । ଆସନ୍ତା ଜୁଲାଇ ୬ରୁ MBBS, BDS ଓ ଅନ୍ୟାନ୍ୟ କୋର୍ସ ପାଇଁ କାଉସେଲିଂ ହେବ । ତେବେ ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଜୁଲାଇ ୮ରେ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୨୦୨୪ NEET ପରୀକ୍ଷାରେ ୬୭ ଜଣ ଟପ୍ପର ହେବା ଘଟଣା ସାମ୍ନାକୁ ଆସିବା ପରେ ବିବାଦ ଉପୁଜିଥିଲା ।

ମେ ୫ରେ ଅନୁଷ୍ଠିତ ହୋଇଥିବା NEETରେ ଅନିୟମିତତାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ ପାଇଁ ଏକ ଆବେଦନ କରାଯାଇଥିଲା । ଏଥିସହ ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କାଉନସେଲିଂ ନ କରିବା ପାଇଁ ଦାବି ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ସହାୟତା ଏବଂ ଲାଭ ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥାର ଦୁଇଜଣ ସଦସ୍ୟଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ପିଟିସନରେ କୁହାଯାଇଥିଲା ଯେ NEET ପ୍ରଶ୍ନପତ୍ର ଲିକ୍ ଖବର ସେମାନଙ୍କୁ ଚକିତ କରିଦେଇଛି ।

ଏପରି ହେବା ଦ୍ୱାରା ଅନେକ ମେଧାବୀ ଛାତ୍ରଙ୍କ ଡାକ୍ତର ହେବାର ସ୍ୱପ୍ନ ଭାଙ୍ଗିଯାଇଛି। ପରୀକ୍ଷାରେ ମିଳିଥିବା ମାର୍କ ଉପରେ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ । ଆବେଦନ ଅନୁଯାୟୀ, କିଛି ଛାତ୍ର ୭୧୮ ଏବଂ ୭୧୯ ମାର୍କ ପାଇଛନ୍ତି । ଫୁଲ ମାର୍କ ୭୨୦ହୋଇଥିବା ବେଳେ ୬୭ଜଣ ଛାତ୍ର ଶତ ପ୍ରତିଶତ ରେଜଲ୍ଟ ଅର୍ଥାତ୍ ୭୨୦ ମାର୍କରୁ ୭୨୦ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ସେଥିମଧ୍ୟରୁ ଆଠ ଜଣ ଛାତ୍ର ସମାନ ପରୀକ୍ଷା କେନ୍ଦ୍ରରୁ ଆସିଛନ୍ତି । ଯାହା NTA ଦ୍ୱାରା କରାଯାଇଥିବା ପରୀକ୍ଷା ଉପରେ ସନ୍ଦେହ ସୃଷ୍ଟି କରିଛି ।

ଦେଶର ଟପ୍‌ ମେଡିକାଲ କଲେଜମାନଙ୍କରେ ନାମ ଲେଖା ପାଇଁ ଅନୁଷ୍ଠିତ ହୋଇଥାଏ NEET-UG । ଏଥର ନିଟ୍ ପରୀକ୍ଷା ମେ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ସାରା ଦେଶରେ ୨୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ନାମ ରେଜିଷ୍ଟ୍ରେସନ କରାଇଥିଲେ । ଏଥିରୁ ୨୩.୩୩ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପରୀକ୍ଷା ଫଳ ଜୁନ ୧୪ ତାରିଖରେ ଘୋଷଣା ହେବା କଥା । ତେବେ ୧୦ ପୂର୍ବରୁ ଜୁନ ୪ ତାରିଖରେ ପରୀକ୍ଷା ଫଳାଫଳ ଘୋଷଣା କରି ଦିଆଯାଇଥିଲା । ତେବେ ଏନଟିଏ ଅଧ୍ୟକ୍ଷ ପ୍ରଶ୍ନପତ୍ର ଲିକ୍ ଅଥବା ଅନ୍ୟ କୌଣସି ପ୍ରକାରର ଅନିୟମିତତାକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ କୌଣସି ତ୍ରୁଟି କରାଯାଇନି ।

OTV is now on Whatsapp

Join and get latest news update delivered to you via whatsapp

Join Now