/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745826437.jpg)
ଶୈଶବରେ ଶୋଷଣ
ଆଜିର ଶିକ୍ଷା ବ୍ୟବସ୍ଥାରେ ଯେଉଁଠି ଗୁଣାତ୍ମକ ମାନ ଉପରେ ଗୁରୁତ୍ୱ ଦିଆଯାଏ, ସେଠାରେ ଏକ ଅଦୃଶ୍ୟ ବିପଦ ଆମ ପିଲାମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶକୁ ଗଭୀର କ୍ଷତି ପହଂଚାଉଛି । ଏ ବିପଦ ହେଉଛି ବିଦ୍ୟାଳୟର ଭାରୀ ବସ୍ତାନୀ । ଯେଉଁ ବସ୍ତାନୀ ଚାପରେ ଚେପା ହୋଇଯାଉଛି ଶୈଶବ ! ସରକାର, କୋର୍ଟ, ଆଇନ କାନୁନର ବାରମ୍ବାର ତାଗିଦ ଯେମିତି ନିସ୍କ୍ରିୟ ଓ ପ୍ରଭାବଶୂନ୍ୟ ହୋଇଛି । ପିଲାଙ୍କ ପିଠିରୁ ବସ୍ତାନି ବୋଝ କମାଇ ଏକ ସୁସ୍ଥ ଶୈଶବ ଫେରାଇବାରେ ଆମେ ଯେମିତି ଅକ୍ଷମ ପାଲଟିଯାଇଛୁ ।
ବାଏଁ ବାଏଁ ଉଡୁଛି ବ୍ୟବସ୍ଥା
ଜାତୀୟ ଶିକ୍ଷା ନୀତି ୨୦୨୦ରେ ସ୍କୁଲ ବ୍ୟାଗର ଓଜନ ହ୍ରାସ କରିବା ପାଇଁ ବ୍ୟବସ୍ଥା ଅଛି । ଏହା ବ୍ୟତୀତ କେନ୍ଦ୍ର ସରକାର, ମାଡ୍ରାସ ହାଇକୋର୍ଟ, ଓଡିଶା ହାଇକୋର୍ଟ, ଓଡିଶା ସରକାର ଆଦି ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । କିଛିଦିନ ସ୍କୁଲ ଦାଣ୍ଡରେ ଦଣ୍ଡି ଧରି ବ୍ୟାଗ ଓଜନ ମାପିବା ଧରପଗଡ ଚାଲେ । ଗଣମାଧ୍ୟମରେ ଖବର ପ୍ରକାଶ/ ପ୍ରସାର ହୁଏ । ପୁଣି କିଛିଦିନ ପରେ ଅବସ୍ଥା ଶୀତଳ ପଡିଯାଏ! ଏହି ଚିରାଚରୀତ ବ୍ୟବସ୍ଥା ଓ ଶିକ୍ଷାର ପ୍ରତିଯୋଗିତା ଆମ ଶିଶୁଙ୍କ ପିଠିରୁ ବସ୍ତାନି ବୋଝ ହାଲୁକା କରିପାରେ ନାହିଁ ।
ସ୍କୁଲ ବସ୍ତାନି କୋମଳମତି ଶିଶୁଙ୍କ ଶାରିରୀକ ଓ ମାନସିକ ବିକାଶରେ ଗଭୀର ପ୍ରଭାବ ପକାଉଛି । ଏହାକୁ ଉପଲବ୍ଧି କରି କେନ୍ଦ୍ର ସରକାର ଏକ୍ଷେତ୍ରରେ ଦୃଢ ପଦକ୍ଷେପ ଗ୍ରହଣ କରିଥିଲେ । ଏନେଇ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ ହେଲା ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଗଲା । ତେବେ ଓଡିଶା ସରକାର ଏହାକୁ କାର୍ଯ୍ୟକାରୀ ନକରିବାରୁ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟରେ ମାମଲା ରୁଜୁ ହେବା ପରେ ରାଜ୍ୟ ସରକାର ଏହି ନୀତି କାର୍ଯ୍ୟକାରୀ କରିବା ଲାଗି ଏକ ଗାଇଡ୍ଲାଇନ ପ୍ରସ୍ତୁତ କରିଥିଲେ ।
୨୦ ବର୍ଷର ବସ୍ତାନି ସଙ୍ଘର୍ଷ
ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ସମ୍ପର୍କରେ ୨୦୦୬ ମସିହାର ଏକ ବିଲ ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ଆଇନରେ ପରିଣତ ହୋଇନଥିଲା।
ସେପ୍ଟେମ୍ବର ୨୦୧୬ରେ ଆସୋଚ୍ୟାମ୍ ରିପୋର୍ଟ ଅନୁସାରେ ପ୍ରାୟ ୬୮% ସ୍କୁଲ ପିଲା, ବିଶେଷକରି ୭-୧୩ ବର୍ଷ ବୟସର ପିଲା, ବ୍ୟାଗର ଅତ୍ୟଧିକ ଭାର ଯୋଗୁଁ ପିଠି ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ସେମାନଙ୍କ ବ୍ୟାଗର ଓଜନ ପିଲାମାନଙ୍କ ଶରୀର ଓଜନର ୪୦-୪୫ ପ୍ରତିଶତ ମଧ୍ୟରେ ଥାଏ । ଯାହା ଫଳରେ ଗୁରୁତର ମେରୁଦଣ୍ଡ କ୍ଷତି ଏବଂ ଅପରିବର୍ତ୍ତନୀୟ ପିଠି ସମସ୍ୟା ସୃଷ୍ଟି କରେ ।
ଅକ୍ଟୋବର ୨୦୧୬ରେ ଆସୋଚ୍ୟାମ୍ ଅଧ୍ୟୟନକୁ ଆଧାର କରି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍.ସି.ପି.ସି.ଆର୍.) ସିବିଏସ୍ଇ ଦ୍ୱାରା ଅନୁବନ୍ଧିତ ଦେଶର ସ୍କୁଲଗୁଡ଼ିକୁ ବ୍ୟାଗ ଓଜନ ହ୍ରାସ ପାଇଁ ନିର୍ଦ୍ଦେଶାବଳୀ ସ୍ଥିର କରିଥିଲା । ଏଥିରେ ରାଜ୍ୟ ସରକାରଗୁଡିକୁ ସ୍କୁଲଗୁଡ଼ିକରେ ପିଲାମାନଙ୍କ ପାଇଁ ଲକର ଯୋଗାଇବାକୁ ଉଲ୍ଲେଖ ଥିଲା । ନିର୍ଦ୍ଦେଶାବଳୀ ଖିଲାଫି ହେଲେ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ରହିଥିଲା ।
ନଭେମ୍ବର ୨୦୧୮ରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଛାତ୍ରଙ୍କ ଶ୍ରେଣୀ ଅନୁସାରେ ସ୍କୁଲ ବ୍ୟାଗର ଓଜନ ସ୍ଥିର କରିବାକୁ ନିର୍ଦ୍ଦେଶନାମା ଜାରି କଲେ । ଯେଉଁଥିରେ ସ୍କୁଲଗୁଡ଼ିକରେ ଏନ୍.ସି.ଇ.ଆର୍.ଟି. ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟ କୌଣସି ବହିକୁ ଅନୁମତି ଦିଆଯିବ ନାହିଁ, ୧ ଓ ୨ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗର ଓଜନ ୧.୫ କେଜି, ୩-୫ ଶ୍ରେଣୀ ପାଇଁ ୩ କେଜି, ୬ ଓ ୭ ଶ୍ରେଣୀ ପାଇଁ ୪ କେଜି, ୮ ଓ ୯ ପାଇଁ ୪.୫ କେଜି ଏବଂ ୧୦ମ ଶ୍ରେଣୀ ପିଲାଙ୍କ ବ୍ୟାଗ ଓଜନ ୫ କେଜି ରଖିବାକୁ ଧାର୍ଯ୍ୟ ହେଲା ।
୨୯ ମଇ ୨୦୨୨ରେ ମାଡ୍ରାସ ହାଇକୋର୍ଟ ଏସମ୍ପର୍କିତ ଏକ ମାମଲାର ରାୟ ପ୍ରକାଶ କରି ସ୍କୁଲ ପିଲାଙ୍କ ବ୍ୟାଗ ବୋଝରେ ହ୍ରାସ ଏବଂ ଷ୍ଟାାର୍ଡ-୧ ଓ ୨ ପିଲାଙ୍କୁ ହୋମୱାର୍କ ନଦେବା ପାଇଁ କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ୫ ଅକ୍ଟୋବର ୨୦୨୨ରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ବିଲ-୨୦୦୬ ଅନୁସାରେ ଏକ ନୀତି ପ୍ରଣୟନ କରିବାକୁ ନିର୍ଦ୍ଦେଶ ଜାରି ହେଲା ।
କୋର୍ଟଙ୍କ ଛାଟ ପରେ ଚେଇଁଲେ ରାଜ୍ୟ ସରକାର
୨୩ ଡିସେମ୍ବର ୨୦୧୫- ସ୍କୁଲ ପିଲାଙ୍କ ପିଠିରୁ ବସ୍ତାନି ବୋଝ ହାଲୁକା କରିବାକୁ ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହେଲା । ୧୬ ଫେବୃଆରୀ ୨୦୧୬ରେ ମାମଲା ଗ୍ରହଣକରି କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କଲେ । ୪ଫେବୃଆରୀ ୨୦୧୯ରେ କେନ୍ଦ୍ର ଜବାବ ଦାଖଲ କରି କୋର୍ଟଙ୍କୁ ଜଣାଇଲା ଯେ ଏସମ୍ପର୍କରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଏକ ନିର୍ଦ୍ଦେଶାବଳୀ ୨୦ ନଭେମ୍ବର ୨୦୧୮ରୁ ଜାରି କରାଯାଇଛି । ତେବେ ଓଡିଶା ସରକାର ଏହାକୁ କାର୍ଯ୍ୟକାରୀ କରିନାହାନ୍ତି କାହିଁକି ବୋଲି କୋର୍ଟ ଜବାବ ମାଗିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ୮ ମାର୍ଚ୍ଚ ୨୦୧୯ରେ ଓଡିଶା ସରକାର ତତକ୍ଷଣାତ୍ ଏକ ନିର୍ଦ୍ଦେଶନାମା ପ୍ରକାଶ କଲେ ।
ଧରପଗଡ ଧିମା ପଡିଗଲା
୧ ଅଗଷ୍ଟ ୨୦୧୯ରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସ୍କ୍ୱାର୍ଡ ଗଠନ ହୋଇଥିଲା । ପ୍ରତି ଜିଲ୍ଲାରେ ବିଇଓ, ପୁଲିସ ଅଧିକାରୀ, ଅନ୍ୟ ବିଭାଗର ଅଧିକାରୀ ଏବଂ ଏନଜିଓଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ସ୍କ୍ୱାଡ ବସ୍ତାନି ଓଜନ ଯାଂଚ କଲେ । ବିଭିନ୍ନ ସ୍କୁଲ ଯାଇ ସ୍କୁଲ ପିଲାଙ୍କ ବସ୍ତାନି ନିର୍ଦ୍ଧାରିତ ଓଜନ ଅନୁସାରେ ରହୁଛି କି ନାହିଁ ତଦାରଖ କଲେ । ନିୟମ ଉଲ୍ଲଂଘନକାରିଙ୍କ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ରିପୋର୍ଟ କଲେ ସମ୍ପୃକ୍ତ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଲା । କିନ୍ତୁ ବିଭାଗ ଏଦିଗରେ କି ପଦକ୍ଷେପ ନେଲା ଓ କେତେ ସ୍କୁଲ ଚିହ୍ନଟ ହେଲା ତାହା ଜଣାପଡିଲା ନାହିଁ । ପିଲାଙ୍କ କାନ୍ଧରୁ ବସ୍ତାନି ବୋଝ କମାଇବାରେ ବିଭାଗର ବିଫଳତା ସାମ୍ନାକୁ ଆସିଲା ।
୨୯ ଜୁନ ୨୦୨୨ରେ ଅଭିଭାବକ ମହାସଂଘ ଭୁବନେଶ୍ୱର ମେୟରଙ୍କ ନିକଟରେ ଦୃଷ୍ଟିଆକର୍ଷଣ କରିଥିଲା ଯେ, ରାଜଧାନୀରେ ରହିଥିବା ପ୍ରାୟ ୫୦୦ ସ୍କୁଲକୁ ବ୍ୟାଗ ବୋଝ କମାଇବାକୁ ପଦକ୍ଷେପ ନିଅନ୍ତୁ । ମେୟର ସୁଲୋଚନା ଦାସ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱ ଦେଇ ଜିଲ୍ଲା ଶିକ୍ଷା ର୍ନିେଶକଙ୍କ ସହିତ ଆଲୋଚନା କରିଥିଲେ ଏବଂ ୧୫ ଦିନ ମଧ୍ୟରେ ସମସ୍ତ ସ୍କୁଲ ପରିଦର୍ଶନ କରି ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସ୍ଥିତିରେ ପରିବର୍ତ୍ତନ ଆସିଲା ନାହିଁ ।
ଓଡିଶା ଅଭିଭାବକ ମହାସଂଘ ମୁତାବକ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ସମସ୍ତ ସ୍କୁଲ ଏନ୍.ସି.ଇ.ଆର୍.ଟି. ପାଠ୍ୟ ପୁସ୍ତକ ଶ୍ରେଣୀରେ ସାମିଲ କରିବାକୁ ବାଧ୍ୟ । କେବଳ ଗୁଣାତ୍ମକମାନର ଶିକ୍ଷା ନୁହେଁ ବରଂ ବହିର ଓଜନ କିଭଳି କମ୍ ହେବ ସେଥିପ୍ରତି ମଧ୍ୟ ଏନ୍.ସି.ଇ.ଆର୍.ଟି. ପୁସ୍ତକରେ ଧ୍ୟାନ ଦିଆଯାଇଛି । ମୋଟା ମଲାଟ ଓ ଗ୍ଲସି କାଗଜରେ ଅଯଥା ବହିର ଓଜନ ବଢାଅ ନାହିଁ । କିନ୍ତୁ ଅନେକ ଘରୋଇ ସ୍କୁଲ କତ୍ତୃପକ୍ଷ ଏହାର ଖୋଲା ଉଲଙ୍ଘନ କରୁଛନ୍ତି । ଏନ୍.ସି.ଇ.ଆର୍.ଟି. ପୁସ୍ତକ ବଦଳରେ ସ୍କୁଲ ତରଫରୁ ପିଲାମାନଙ୍କୁ ଯେଉଁ ବହି ଦିଆଯାଉଛି ତାର ଦାମ ଏବଂ ଓଜନ ଅଧିକ ।
ବସ୍ତାନି ବୋଝର ଭୟଙ୍କର ପରିଣାମ
ଏକ ଅଧ୍ୟୟନରୁ ଜଣାପଡିଛି ଯେ ୧୧-୧୪ ବର୍ଷ ବୟସର ୬୦.୬% ପିଲାଙ୍କ ମଧ୍ୟରେ ଏପରି ସମସ୍ୟା ଦେଖାଯାଏ । ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଘରୋଇ ସ୍କୁଲରେ ୮୦.୨% ଏବଂ ସରକାରୀ ସ୍କୁଲରେ ୬୯.୭% ପିଲା ଭାରୀ ସ୍କୁଲ ବ୍ୟାଗ ବହନ କରୁଥିଲେ । ଘଟଣାର ଅନୁଶୀଳନକାରୀ ଗବେଷକଙ୍କ ମତରେ, ୬ ରୁ ୧୪ ବର୍ଷ ବୟସ ମଧ୍ୟରେ, ଗୋଟିଏ ପିଲାର ଶରୀର ବିକାଶ ପ୍ରକ୍ରିୟାରେ ଥାଏ । ସେମାନଙ୍କର ମେରୁଦ, କାନ୍ଧ, ବେକ ଏବଂ ପିଠି ମାଂସପେଶୀ ପୂରା ଶକ୍ତିଶାଳୀ ନୁହେଁ । ଏପରି ପରିସ୍ଥିତିରେ, ଯେତେବେଳେ ପିଲାଟି ପ୍ରତିଦିନ ଅସନ୍ତୁଳିତ କିମ୍ବା ଅତ୍ୟଧିକ ଓଜନ ଉଠାଏ, ମେରୁଦଣ୍ଡ, ମାଂସପେଶୀ ଓ ଗଣ୍ଠିରେ ସମସ୍ୟା ଦେଖାଦିଏ ।
ସ୍ୱାସ୍ଥ୍ୟ ସଙ୍କଟର ସଙ୍କେତ
ପିତାମାତା ଏବଂ ଶିକ୍ଷକମାନେ କିଛି ସଙ୍କେତ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଯଦି ପିଲାଟି ବାରମ୍ବାର ପିଠି, ବେକ କିମ୍ବା କାନ୍ଧ ଯନ୍ତ୍ରଣାର ଅଭିଯୋଗ କରେ, ବଙ୍କା ହୋଇ ·ଚାଲିବାକୁ ଆରମ୍ଭ କରେ, ସ୍କୁଲ ପରେ ବହୁତ କ୍ଳାନ୍ତ ଅନୁଭବ କରେ, କିମ୍ବା ଶାରୀରିକ କାର୍ଯ୍ୟକଳାପକୁ ଏଡ଼ାଇବା ଆରମ୍ଭ କରେ, ତେବେ ଏଗୁଡ଼ିକ ହେଭି ବ୍ୟାଗ ଜନିତ ଯନ୍ତ୍ରଣାର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ଅନେକ ପିଲାଙ୍କ କ୍ଷେତ୍ରରେ, ଏହି ଯନ୍ତ୍ରଣା ଧୀରେ ଧୀରେ ସ୍ଥାୟୀ ପୋଶ୍ଚରାଲ ସମସ୍ୟାରେ ପରିଣତ ହୋଇପାରେ, ଯାହା ପରେ ଅର୍ଥୋପେଡିକ ଚିତ୍ସାର ଆବଶ୍ୟକତା ପଡ଼ିପାରେ ।
ଶିକ୍ଷା ଏକ ବିକ୍ରି ସାମଗ୍ରୀ ପାଲଟିଯାଇଛି
ଉପରାଷ୍ଟ୍ରପତି ଜଗଦୀପ ଧନଖର ୧୯ ଅକ୍ଟୋବର ୨୦୨୪ ରାଜସ୍ଥାନର ସିକରରେ ଆୟୋଜିତ ଏକ ଘରୋଇ ଶିକ୍ଷା ପ୍ରତିଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ, ଶିକ୍ଷାର ବାଣିଜ୍ୟକରଣ ଏହାର ଗୁଣବତ୍ତା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ଯାହା ଦେଶର ଭବିଷ୍ୟତ ପାଇଁ ଭଲ ନୁହେଁ । ମୁଁ ଚାରିପାଖରେ ଦେଖୁଛି ଯେ ଯାହା ଦାନଶୀଳ କାର୍ଯ୍ୟ ଭାବରେ ଆରମ୍ଭ ହୋଇଥିଲା ତାହା ଏବେ ବାଣିଜ୍ୟରେ ପରିଣତ ହୋଇଛି । ଶିକ୍ଷା ଏକ ବ୍ୟବସାୟ ହେବା ଦେଶର ଭବିଷ୍ୟତ ପାଇଁ ଭଲ ନୁହେଁ । ଶିକ୍ଷା କେବେ ଆୟର ଏକ ଉତ୍ସ ନୁହେଁ ବରଂ ଏକ ସୁସ୍ଥ ସମାଜ ଗଠନ ପାଇଁ ତ୍ୟାଗ ଏବଂ ଦାନର ଏକ ମାଧ୍ୟମ ଥିଲା ।” ସେ ଦୁଃଖ ପ୍ରକାଶ କରି କହିଲେ ଯେ “ଆଜି ଏହା ଏକ ସାମଗ୍ରୀ ପାଲଟିଛି ଯାହାକୁ ଲାଭ ପାଇଁ ବିକ୍ରି କରାଯାଉଛି ।”
ଶିକ୍ଷାର ଲକ୍ଷ୍ୟ କେବଳ ଜ୍ଞାନ ପ୍ରଦାନ କରିବା ନୁହେଁ ବରଂ ପିଲାମାନଙ୍କୁ ଏକ ସୁସ୍ଥ ଏବଂ ସନ୍ତୁଳିତ ଜୀବନ ଆଡ଼କୁ ନେଇଯିବା । ଯଦି ଆମେ ପିଲାମାନଙ୍କ ପିଠିରେ ଏତେ ବୋଝ ଲଦିଦେବା, ସେମାନଙ୍କ ଆତ୍ମବିଶ୍ୱାସ, ଶାରୀରିକ ବିକାଶ ଏବଂ ମାନସିକ ବିକାଶରେ ବାଧା ସୃଷ୍ଟି ହେବ l ଯାହା ଆମ ଶିକ୍ଷା ବ୍ୟବସ୍ଥାର ସବୁଠାରୁ ବଡ଼ ବିଫଳତା ହେବ l ଏଥିପ୍ରତି ବିଶେଷ ଧ୍ୟାନ ଦେଇ ସକଳସ୍ତରରେ ଉଦ୍ୟମ କରିବା ସହିତ ପିଲାଙ୍କ ଶୈଶବକୁ ବୋଝମୁକ୍ତ କରିବା ଜରୁରୀ l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)