• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏଣିକି କଲେଜରୁ ମିଳିବ ଆଇଏଏସ୍ କୋଚିଂ । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡିଆଙ୍କ ହାର ବୃଦ୍ଧି ସହ ଅଧିକରୁ ଅଧିକ କୃତକାର୍ଯ୍ୟ ହାସଲ ଲକ୍ଷ୍ୟରେ ଉଚ୍ଚଶିକ୍ଷା ବିଭାଗ ନେଇଛି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆସନ୍ତା ଶିକ୍ଷାବର୍ଷରୁ ଡିଗ୍ରୀ କଲେଜରେ ଆରମ୍ଭ ହେବ ମାଗଣା କୋଚିଂ ବ୍ୟବସ୍ଥା । ତେବେ ଆଶାୟୀଙ୍କ ମନରେ ଶଙ୍କା, ପୂର୍ବଥର ମାନଙ୍କ ଭଳି ଫେଲ୍ ମାରିବନି ତ ମାଗଣା କୋଚିଂ ବ୍ୟବସ୍ଥା ?

ଡିଗ୍ରୀ କଲେଜ ଓ ୟୁନିଭରସିଟିରେ ଦିଆଯିବ ସିଭିଲ ସର୍ଭିସ୍ କୋଚିଂ । ଶିକ୍ଷାନୁଷ୍ଠାନର ନିଜସ୍ୱ ଅର୍ଥରେ କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ପାଠ୍ୟ ଖସଡାରେ ବି ଆସିବ ସଂସ୍କାର । UPSC ଓ OPSC ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରଣାଳୀକୁ ନଜରରେ ରଖି ପ୍ରସ୍ତୁତ ହେବ ସିଲାବସ୍ । ଗତ ୨୦ ତାରିଖରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।

ଉଦ୍ଦେଶ୍ୟ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡିଆ ଛାତ୍ରଛାତ୍ରୀଙ୍କ ସଫଳତା ହାର ବୃଦ୍ଧି । ଯେଉଁଥିରୁ ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ପାଇବେ ସୁଫଳ । ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣା କୋଚିଂ ବ୍ୟବସ୍ଥା ଜାରି ରହିଛି । ଯେଉଁଥିରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ସାମିଲ ଅଛନ୍ତି । ତେବେ କଲେଜ ସ୍ତରରୁ କୋଚିଂ ସୁବିଧା ପାଇଲେ ପିଲାଏ ଅଧିକ ସଫଳ ହେବା ଆଶା ରଖିଛି ବିଭାଗ ।

ରାଜ୍ୟ ସରକାର ମାଗଣା IAS କୋଚିଂ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବି କାହିଁକି ଫଳ ଶୂନ । କୁହାଯାଉଛି ଭିତ୍ତିଭୂମି ଓ ଶିକ୍ଷକଙ୍କ ଅଭାବ ଏ ଦିଗରେ ସାଜିଛି ବଡ଼ ପ୍ରତିବନ୍ଧକ । ବିଧାନସଭା ତଥ୍ୟ ଅନୁଯାୟୀ, ରାଜ୍ୟର ୮ ୟୁନିଭରସିଟି ଓ ୫୦ରୁ ଅଧିକ ଡିଗ୍ରୀ କଲେଜରେ ମାଗଣା କୋଚିଂ ସେଣ୍ଟର ଖୋଲିଥିଲା। ୨୦୧୬ରୁ ୧୮ ଯାଏଁ ମାଗଣାରେ ପିଲା ପାଠ ପଢିବା ସହ ଆଇଏଏସ୍ ପ୍ରସ୍ତୁତି କରୁଥିଲେ । ହେଲେ ସଫଳତା ମିଳିଲାନି । ଯେଉଁଥିଲାଗି ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୯-୨୦ରେ ଘରୋଇ ସଂସ୍ଥା ଧ୍ୟେୟ ଇନଷ୍ଟିଚ୍ୟୁଟ ସହ ଚୁକ୍ତି ସ୍ୱାକ୍ଷରିତ କରି ଭୁବନେଶ୍ୱରରେ କୋଚିଂ ହବ୍ ପ୍ରତିଷ୍ଠା କଲେ । ଏଥିରେ ୯୯ ଜଣ ପିଲା ଆଡମିଶନ୍ କରି କୋଚିଂ ନେଇଥିଲେ । ହେଲେ ଜଣେ ବି ସଫଳ ହେଲେନି। ତେଣୁ ଏବେ ଛାତ୍ରଛାତ୍ରୀ କଲେଜରୁ ଆଇଏଏସ୍ କୋଚିଂ ପାଇବା ଖବର ଶୁଣି ଖୁସି ଯେତିକି ତାର କାର୍ଯ୍ୟକାରିତା ନେଇ ବି ସେତିକି ସନ୍ଦେହରେ ।

ଏବେ ଦେଖିବାର କଥା କଲେଜସ୍ତରରୁରୁ ଆଇଏଏସ୍ କୋଚିଂ ବ୍ୟବସ୍ଥା କେତେ ସଫଳ ହେଉଛି ।

  • Reported by:
  • JAGDISH DAS