ଯୁକ୍ତ ଦୁଇ ଫିଜିକ୍ସ ପ୍ରଶ୍ନପତ୍ରରେ ତ୍ରୁଟି ମାନିଲା CHSE, ମିଳିପାରେ ଗ୍ରେସ୍‌ ମାର୍କ

ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ବୁଲେଇ ବଙ୍କେଇ ସ୍ୱୀକାର । ଚଏସ୍ ଡେଫିସିଟ୍ ଥିବା ପ୍ରଶ୍ନ ଆଟେଣ୍ଡ କରିଥିଲେ ମିଳିବ ଗ୍ରେସ୍ ମାର୍କ ।

CHSE

ମାଟ୍ରିକ୍ ରେ ବାରମ୍ବାର ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ତ ଯୁକ୍ତଦୁଇ ପରୀକ୍ଷାରେ ପ୍ରଶ୍ନପତ୍ରରେ ଗୁରୁତର ତ୍ରୁଟି । ସିଲାବସ୍ ବାହାରୁ ଆସିଥିଲା ପଦାର୍ଥ ବିଜ୍ଞାନ ବିଷୟର ପ୍ରଶ୍ନ । ପରିକ୍ଷାର୍ଥୀଙ୍କ ମାଳ ମାଳ ଅଭିଯୋଗ ପରେ ଶେଷର ତ୍ରୁଟି ସ୍ୱୀକାର କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚ୍ଏସ୍ଇ। ପରୀକ୍ଷା ନିୟନ୍ତ୍ରକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି- ଏଥିପାଇଁ ବସିବ ଏକ୍ସପର୍ଟ କମିଟି ବୈଠକ। ପିଲାଙ୍କୁ ଗ୍ରେସ ମାର୍କ ମିଳିବ କି ନାହିଁ ? ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି।

ସୂଚନା ଅନୁସାରେ ଗତ ୨୨ ତାରିଖରେ ହୋଇଥିଲା ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷା। ଯେଉଁଥିରେ ମୋଟ୍ ୧୯ ମାର୍କର ପ୍ରଶ୍ନ ସିଲାବସ୍ ବାହାରୁ ଆସିଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା। ଘଟଣା ସାମ୍ନାକୁ ଆସିବା ପରେ ସିଏଚ୍ଏସ୍ଇ ଅଭିଯୋଗର ତର୍ଜମା ବି କରିଥିଲା। ଯେଉଁଥିରେ ୧୯ ମାର୍କର ପ୍ରଶ୍ନ ପାଠ୍ୟ ଖସଡ଼ା ବାହାରୁ ଆସିଥିବା ସ୍ପଷ୍ଟ ହୋଇଥିଲା।

ତେବେ ସିଏଚ୍ଏସ୍ଇ କିନ୍ତୁ ଏହାକୁ ବୁଲେଇ ବଙ୍କେଇ ଯୁକ୍ତି ରଖିଛି- କହିଛି ଏହା ସିଲାବସ୍ ବାହାରର ପ୍ରଶ୍ନ ନୁହେଁ ଚଏସ୍ ଡେଫିସିଟ୍। ଯେହେକୁ କେବଳ ରେଗୁଲାର ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଏଭଳି ବିଭ୍ରାଟ ହୋଇଛି, ତେଣୁ କେବଳ ସେମାନଙ୍କୁ ହିଁ ଏକ୍ସପର୍ଟ କମିଟି ସୁପାରିଶ ଆଧାରରେ ମାର୍କ ଭରଣା କରାଯିବ। କିନ୍ତୁ ଉକ୍ତ ପ୍ରଶ୍ନକୁ ଆଟେଣ୍ଡ କରିଥିବା ପରୀକ୍ଷାର୍ଥୀ ହିଁ ଗ୍ରେସ୍ ମାର୍କ ପାଇବେ ବୋଲି ସ୍ପଷ୍ଟ କରିଛନ୍ତି ପରୀକ୍ଷା ନିୟନ୍ତ୍ରକ।

ତେବେ ଏଠି ପ୍ରଶ୍ନ- ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ର ପ୍ରସ୍ତୁତିରେ ତ୍ରୁଟି ହେଲା କିପରି ? ସିଲାବସ୍ ଅନୁଯାୟୀ କାହିଁକି ତିଆରି ହେଲାନି ପ୍ରଶ୍ନ ? ଏଥିପାଇଁ ଦୋଷୀଙ୍କ ବିରୋଧରେ ନିଆଯିବ କି କାର୍ଯ୍ୟାନୁଷ୍ଠାନ ? କାରଣ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଜନିତ ଗୋଟିଏ ବି ତ୍ରୁଟି ପରୀକ୍ଷାର୍ଥୀଙ୍କୁ ମାନସିକ ଆଘାତ ଦେଇପାରେ। ତେଣୁ ଏଭଳି ସ୍ଥିତିରେ ପରୀକ୍ଷାର୍ଥୀଙ୍କ ଦାବି ସିଏଚ୍ଏସ୍ଇ କେବଳ ଭୁଲ୍ ପ୍ରଶ୍ନ ଆଟେଣ୍ଡ କରିଥିବା ପିଲା ନୁହେଁ ସମସ୍ତଙ୍କୁ ଗ୍ରେସ୍ ମାର୍କ ଦିଆଯାଉ। ସେପଟେ ପ୍ରଶ୍ନପତ୍ର ଜନିତ ତ୍ରୁଟି ପାଇଁ ପରୀକ୍ଷାର୍ଥୀ ଅଧିକ ଚାପଗ୍ରସ୍ତ ହେଉଥିବା କହିଛନ୍ତି ଶିକ୍ଷକ ଓ ଅଭିଭାବକ।

ଫେବୃଆରୀ ୧୬ରୁ ଆରମ୍ଭ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୨୦ରେ ସରିବ । ପାଖାପାଖି ସାଢେ ତିନି ଲକ୍ଷ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେଉଛନ୍ତି। ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ସିଏଚ୍ଏସ୍ଇ ପିଲାଙ୍କୁ ଆଶ୍ୱାସନା ଦେଇଥିଲେ ବି ଆଗକୁ ଯେ ଅନ୍ୟ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିଶୂନ୍ୟ ହେବ, ତାହା ବିଶ୍ବାସକୁ ନେଇପାରୁ ନାହାନ୍ତି।