• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାହାର ଭିତର ସବୁ ଚକାଚକ୍ କରିଦେଲେ । କୋଟି କୋଟି ଖର୍ଚ୍ଚ କରି ଭିତ୍ତିଭୂମି ସଜାଡିଦେଲୁ କହି ଜୋରସୋର ପ୍ରଚାର ବି କଲେ । ହେଲେ ମୂଳ ସମସ୍ୟା ଯେଉଁଠି କି ସେଇଠି । ରାଜ୍ୟରେ ବିଭିନ୍ନ ହାଇସ୍କୁଲରୁ ଯେଉଁ ସବୁ ଚିତ୍ର ଆସୁଛି ତାହା 5Tକୁ ଉପହାସ କଲା ଭଳି । କେଉଁଠି ନବମ-ଦଶମ ଶ୍ରେଣୀ ଲାଗି ମାତ୍ର ୩ ଜଣ ଶିକ୍ଷକ ତ କେଉଁଠି ହାଇସ୍କୁଲ ପିଲାଙ୍କୁ ପାଠ ପଢାଉଛନ୍ତି ପ୍ରାଥମିକ ଶିକ୍ଷକ । ଜାଣି ଆଶ୍ଚର୍ଯ୍ୟ ହେବେ ଠିକ୍ ଆଉ ୨ ମାସ ପରେ ମାଟ୍ରିକ ପରୀକ୍ଷା ହେଲେ ଅନେକ ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ୩ରୁ ୪ଟି ସବଜେକ୍ଟରେ ଏଯାଏଁ ହାତ ବି ମରା ହୋଇନି ।

ଫାଇଭ୍ ଟି ସ୍କୁଲର ପୋଲ ଖୋଲିଲେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା । ହେଲେ ଶିକ୍ଷକ ନଥିବାରୁ ଏଯାଏଁ ସିଲାବସ ସରିନି । ବାଲେଶ୍ୱରର କସିପଦା ପଞ୍ଚାୟତକ ହାଇସ୍କୁଲରେ ପୂରା ଚକାଚକ୍, ହାଇଫାଇ କ୍ଲାସ ରୁମ୍, ଡିଜିଟାଲ ବ୍ଲାକବୋର୍ଡ । ଦେଖିଲେ ଲାଗୁଛି ଓଡିଶାର ଶିକ୍ଷା ବ୍ୟବସ୍ଥା ପୂରା ପରିବର୍ତ୍ତନ ହୋଇଛି । କିନ୍ତୁ ଅସଲ କଥା ହେଉଛି, ଅଷ୍ଟମ, ନବମ ଆଉ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମିଶାଇ ୨୨୮ । ହେଲେ ଶିକ୍ଷକ ଶୂନ ।

ବିଶ୍ୱାସ ହେଉନଥିଲେ ବି ସତ । ଗତ ଜୁନ ମାସରେ ଶିକ୍ଷକମାନଙ୍କ ଅବସର ପରେ ଏଠି ଆଉ ନୂଆ ନିଯୁକ୍ତି କରି ନାହାନ୍ତି ସରକାର । ହେଲେ ଶିକ୍ଷାକୁ ବଞ୍ଚାଇବାକୁ ଏଠି ଅଣ୍ଟା ଭିଡିଛନ୍ତି କିଛି ପୁରାତନ ଛାତ୍ରଛାତ୍ରୀ । ପ୍ରଶାସନ ଡେପୁଟେସନରେ ଶିକ୍ଷକ ତ ଆଣିଛନ୍ତି ହେଲେ କେହି ଆସୁନାହାନ୍ତି । ତେଣୁ ଫାଇଭ-ଟି ଚେୟାର ବେଞ୍ଚ ନେଇ ଶିକ୍ଷକ ନିଯୁକ୍ତି ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ଖାଲି ବାଲେଶ୍ୱର ନୁହେଁ ରାଜ୍ୟର ଅଧିକାଂଶ ସ୍କୁଲରେ ସମାନ ଅବସ୍ଥା । ରାୟଗଡ଼ାର ରାମନାଗୁଡ଼ା ବ୍ଲକ୍ ଓମଡିଙ୍ଗି ସରକାରୀ ହାଇସ୍କୁଲ । 5Tରେ ସାମିଲ ହୋଇଥିବା ଏହି ସ୍କୁଲରେ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢାଇବାକୁ ମାତ୍ର ୩ ଜଣ ଶିକ୍ଷକ । ସାହିତ୍ୟ, ଇଂରାଜୀ, ଇତିହାସ ସାର୍ ମୋଟେ ନାହାନ୍ତି । ନବରଙ୍ଗପୁର ଝରିଗାଁ ତେଲନଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବି ଦଶମ ପିଲାଙ୍କୁ ପାଠ ପଢାଉଛନ୍ତି ପ୍ରାଥମିକ ଶିକ୍ଷକ । ଏଠି ନବମରେ ୭୫ ଆଉ ଦଶମରେ ୫୫ ଛାତ୍ରଛାତ୍ରୀ, ହେଲେ ଶିକ୍ଷକ ମାତ୍ର ୩ ଜଣ । ଆଉ ଏ ଫାଇଭ-ଟି ସ୍କୁଲ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର । ଖଲ୍ଲିକୋଟ ଗୋପପୁର ଗୁପ୍ତେଶ୍ୱର ଉଚ୍ଚ ବିଦ୍ୟାଳୟ । ଶିକ୍ଷକ ଅଭାବ ହେତୁ ଏଠି କୋର୍ସ ସରିନି। ବଡ଼ କଥା ହେଲା ହିନ୍ଦୀରେ ହାତ ମାରିନାହାନ୍ତି ଛାତ୍ରଛାତ୍ରୀ ।

ରାଜ୍ୟରେ ପ୍ରାୟ ୬, ୮୭୨ ହାଇସ୍କୁଲକୁ ଫାଇଭ୍‌-ଟିରେ ସାମିଲ କରି ୩ ହଜାର ୪୧୧ କୋଟି ଖର୍ଚ୍ଚ କରି ତାର ରୂପାନ୍ତିକରଣ କରିଥିଲେ ସରକାର । ଭିତ୍ତିଭୂମି ତ ଚକାଚକ୍ ହେଲା ହେଲେ ମାନ ଯାହାକୁ ସେଇଆ । ବଡ କଥା ହେଉଛି ଶିକ୍ଷକ ଅଭାବ ହିଁ ଛାତ୍ରଛାତ୍ରୀଙ୍କ ଫେଲର ମୁଖ୍ୟ କାରଣ ବୋଲି ସଂସଦରେ ଉତ୍ତର ରଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏବେ ଫେବୃଆରୀ ୨୦ରେ ମାଟ୍ରିକ ପରୀକ୍ଷା । ଦେଖିବାର କଥା ହେଉଛି ଏହି ସମସ୍ୟାକୁ କେବେ ଗୁରୁତର ସହ ନେଉଛନ୍ତି ରାଜ୍ୟ ସରକାର ।

(ରିପୋର୍ଟ- ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନା, ଗୁଣପୁରରୁ ରାକେଶ ପାଢୀ, ଝରିଗାଁରୁ ତ୍ରିନାଥ ଧରୁଆ)

  • Reported by:
  • Silu Biswal