EDCL
ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଆସିଥିବା ଅନିୟମିତତା ଅଭିଯୋଗ ନେଇ ଏଜୁକେସନାଲ କନସଲଟାଣ୍ଟ ଇଣ୍ଡିଆ ଲିମିଟେଡ- EdCILର ସ୍ପଷ୍ଟୀକରଣ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।
ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ମିନିରତ୍ନ EdCIL ରସ୍ପଷ୍ଟୀକରଣ ସହ ଓପେସା ପକ୍ଷରୁ ମଧ୍ୟ ବିସ୍ତୃତ ତଥ୍ୟ ରଖାଯାଇଛି । କିନ୍ତୁ ଏହାକୁ ନେଇ ଏକ ଓଡିଆ ପ୍ରେସ ରିଲିଜ ଦ୍ୱାରା ଲୋକଙ୍କୁ ବିଭ୍ରାନ୍ତ କରାଯିବା ସହ ରାଜନୀତି କରାଯାଉଛି। ଏଥିସହ ଶିକ୍ଷକ ନିଯୁକ୍ତି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଭୁଲ ତଥ୍ୟ ଦିଆଯାଉଛି । ଏହା ଅତ୍ୟନ୍ତ ଦୁଃଖଦାୟକ। ରାଜନୈତିକ ଫାଇଦା ହାସଲ ପାଇଁ ସେମାନେ ଏପରି କରୁଥିବା ଜଣାପଡୁଛି ।
ଏପଟେ ଏନେଇ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଶ ପଣ୍ଡା କହିଛନ୍ତି, ଓଡିଶାରେ ଚାକିରି ବିକ୍ରୟର ବ୍ୟବସାୟ ଅନେକ ଦିନ ପୂର୍ବରୁ ସାର୍ବଜନୀନ ହୋଇଛି । ଏଠି ମହାଲମାଣ୍ଡା ମାନେ ଚାକିରି ପାଉଛନ୍ତି । ଜୁନିୟର ଟିଚର ନିଯୁକ୍ତି ପ୍ରଥମ ସ୍କାମ ନୁହେଁ, ଓପିଏସସି ଓ ଷ୍ଟାଫ୍ ସିଲେକସନ କମିଶନରେ ମଧ୍ୟ ସମାନ ଅଭିଯୋଗ ଆସିଛି।
ଗତକାଲି ଏକ ପ୍ରେସ ବିଜ୍ଞପ୍ତି ଜାରି କରି EdCIL ପକ୍ଷରୁ କୁହାଯାଇଥିଲା ଯେ ୨୦୨୩ ଅଗଷ୍ଟ ୨୨ରେ OSEPA ସହ କମ୍ପ୍ୟୁଟର ବେସ୍ଡ ଟେଷ୍ଟ (CBT) ପାଇଁ ହୋଇଥିବା ଏମ୍ଓୟୁ ଅନୁସାରେ ସେପ୍ଟେମ୍ବର ୧୦ରେ ପରୀକ୍ଷା ହୋଇଥିଲା। ଆଶାୟୀ ପ୍ରାର୍ଥୀମାନଙ୍କ ଚୟନ କରି ମେରିଟ୍ ତାଲିକା ଓଡ଼ିଶା ସରକାରଙ୍କ ଅଧୀନ OSEPAକୁ ଦିଆଯାଇଥିଲା। ରେସପନ୍ସ କ୍ୱେରି ମ୍ୟାନେଜମେଣ୍ଟ ଦ୍ୱାରା ସବୁ ଅଭିଯୋଗର ସମାଧାନ କରାଯାଇଥିଲା । ଜାନୁଆରୀ ୧୩ରେ କମ୍ବାଇନ୍ଡ ମେରିଟ ଲିଷ୍ଟ ଏବଂ ଜାନୁଆରୀ ୧୫ରେ ଜିଲ୍ଲା ଭିତ୍ତିକ ମେରିଟ୍ ଲିଷ୍ଟ ଦିଆଯାଇଥିଲା ବୋଲି EdCIL ସ୍ପଷ୍ଟ କରିଛି।
ଅନ୍ୟପଟେ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ସତ୍ୟପାଠ ତଲବ । ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି ବେଳେ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ସରକାର । ଜିଲ୍ଲା ୱାରୀ ମେରିଟ୍ ଲିଷ୍ଟ ଜାରି କରିଥିବା କୋର୍ଟଙ୍କୁ ଜଣାଇଛନ୍ତି । ପୂର୍ବ ପ୍ରକାଶିତ ଲିଷ୍ଟ ପ୍ରତ୍ୟାହାର ହୋଇଛି କି ନାହିଁ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/EDCL_1706093196.jpg)