• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଥାରେ ଅଛି ସଫଳତାର ରାସ୍ତାରେ ଆସେ ଅନେକ ବାଧାବିଘ୍ନ । ହେଲେ ସମୟ ଆଗରେ ହାରିନଯାଇ ଆଗକୁ ବଢିଲେ ସଫଳତା ଅବଶ୍ୟମ୍ଭାବୀ । ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ କଳା ଫଳାଫଳରେ କୃତିତ୍ୱ ହାସଲ କରି ଏହା ପ୍ରମାଣ କରିଛନ୍ତି ଭୁବନେଶ୍ୱର ନିଳକଣ୍ଠନଗର ମୁଣ୍ଡାସାହିର ରୁବିରାଣୀ ସ୍ୱାଇଁ । ବାପା ସିଆରପି ଛକରେ ଛୋଟିଆ ପାନଦୋକାନ ଟିଏ କରି, ଗୁଜୁରାଣ ମେଣ୍ଟାଉ ଥିବାବେଳେ, ପରିବାରରେ ଥିଲା ଅନେକ ସମସ୍ୟା । ହେଲେ ସମସ୍ୟା ସବୁକୁ ପଛରେ ପକାଇ ବିଜୁ ପଟ୍ଟନାୟକ କଲେଜ ଅଫ୍ ସାଇନ୍ସ ଆଣ୍ଡ ଏଜୁକେସନ କଲେଜର ଟପ୍ପର ହୋଇଛନ୍ତି ରୁବିରାଣୀ ।

ଭୁବନେଶ୍ୱର ନୀଳକଣ୍ଠନଗର ମୁଣ୍ଡାସାହିର ରୁବିରାଣୀ । ବାପା କୈଳାଶ ସ୍ୱାଇଁ ପାନଦୋକାନ ଟିଏ କରି ପରିବାର ଚଳାନ୍ତି । ହେଲେ ଝିଅକୁ ପାଠପଢାଇବାକୁ କେବେ ହେଳା କରିନାହାନ୍ତି । ପାନ ଦୋକାନୀଙ୍କ ଝିଅ ଏବେ କଲେଜ ଟପ୍ପର ହୋଇଛନ୍ତି । ମୋଟ ୬ଶହ ମାର୍କରୁ ରଖିଛନ୍ତି ୫୧୯ ମାର୍କ । ଦୁଇ ଦିନ ପୂର୍ବରୁ ପ୍ରକାଶ ପାଇଥିବା ଯୁକ୍ତ ଦୁଇ କଳା ପରୀକ୍ଷା ଫଳାଫଳରେ ୮୬.୫ ପ୍ରତିଶତ ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି ରୁବିରାଣୀ ସ୍ୱାଇଁ ।

ବିଜୁ ପଟ୍ଟନାୟକ କଲେଜ ଅଫ୍ ସାଇନ୍ସ ଆଣ୍ଡ୍ ଏଜୁକେସନ କଲେଜରେ ପାଠପଢୁଥିବା ରୁବିରାଣୀ ପରୀକ୍ଷାରେ ଭଲ ସ୍କୋର କରି ଏବେ କଲେଜର ଟେକ ରଖିବା ସହ ବାପାମା‌ଆଙ୍କ ସ୍ୱପ୍ନକୁ ବି କରିଛନ୍ତି ସାକାର । ଆଗକୁ ଏମବିଏ ପଢି ବଡ଼ ଚାକିରୀ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ରୁବିରାଣୀ ।

ସେପଟେ ପୁରୀ ଜିଲ୍ଲାର ଶୁଭଲକ୍ଷ୍ମୀ ସାହୁ ମଧ୍ୟ ଯୁକ୍ତ ଦୁଇ କଳାରେ ରଖିଛନ୍ତି ୫୬୫ ମାର୍କ । ସାମନ୍ତ ଚନ୍ଦ୍ରଶେଖର ଜୁନିଅର କଲେଜର ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ସଫଳତା ପାଇଁ ପରିବାର ଓ କଲେଜରେ ଖୁସିର ଲହରୀ । କଲେଜର ଦଶଜଣ ଛାତ୍ରୀ ଏ-ଓ୍ୱାନ ଗ୍ରେଡ ପାଇଥିବା ବେଳେ ସର୍ବାଧିକ ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି ଶୁଭଲକ୍ଷ୍ମୀ ।

ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ପାସ୍ ହାର ରହିଛି ୮୨.୧୦ ପ୍ରତିଶତ । ଚଳିତ ବର୍ଷ ୨ଲକ୍ଷ ୮ ହଜାର ୬୩୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୭୧ ହଜାର ୨୮୮ ପିଲା ପାସ୍ କରିଛନ୍ତି । ପ୍ରଥମ ଶ୍ରେଣୀରେ ୬୨ ହଜାର ୭୩୪, ଦ୍ୱୀତିୟ ଶ୍ରେଣୀରେ ୪୧ ହଜାର ୧୯୩ ଏବଂ ୬୭ ହଜାର ୩୪୧ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ପାସ୍ ହାରରେ ଖୋର୍ଦ୍ଧା ଜିଲ୍ଲା ସର୍ବାଧିକ ରହିଥିବା ବେଳେ ନବରଙ୍ଗପୁର ସର୍ବନିମ୍ନ ରହିଛି ।