ଆଦର୍ଶ ବିଦ୍ୟାଳୟ ସ୍ୱପ୍ନର ବିକଳ ଚିତ୍ର ! କେଉଁଠି ବାତ୍ୟା ଆଶ୍ରୟସ୍ଥଳୀ, ଆଉ କେଉଁଠି ଗଛତଳେ କ୍ଲାସ୍

ବର୍ଷ ବର୍ଷ ଧରି ସରୁନି କୋଠା ତିଆରି କାମ । ହୀନସ୍ତା ଛାତ୍ରଛାତ୍ରୀ, ତାତିଲେ ଅଭିଭାବକ ।

ADARSH SCHOOL

ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଓ ଗୁଣାତ୍ମକ ଶିକ୍ଷା ନାଁରେ ଗଣ୍ଡାଗଣ୍ଡା ଅବ୍ୟବସ୍ଥାର ଚିତ୍ର ଏବେ ସମ୍ନାକୁ ଆସିଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ସ୍କୁଲ କୋଠା ତିଆରି ହୋଇନି, ହେଲେ ଏପଟେ ପିଲାଙ୍କ ପାଠପଢ଼ା ଆରମ୍ଭ ହୋଇସାରିଲାଣି । ସ୍ମାର୍ଟ କ୍ଲାସରୁମ ଓ ଆଧୁନିକ ଶିକ୍ଷା ସୁବିଧା ତ ଦୂରର କଥା । କେଉଁଠି ବାତ୍ୟା ଆଶ୍ରୟସ୍ଥଳୀରେ ତ କେଉଁଠି ଗଛ ତଳେ କ୍ଲାସ ଚାଲିଛି ।

ଆଦର୍ଶ ବିଦ୍ୟାଳୟରେ ପଢ଼ିବାର ସ୍ୱପ୍ନ ଦେଖାଇ କୋମଳମତି ପିଲାଙ୍କୁ ଠକି ଦେଇଛନ୍ତି ସରକାର । କେଉଁଠି ପିଲାମାନେ ଗଛ ତଳେ ପଢୁଛନ୍ତି, କେଉଁଠି ବାତ୍ୟା ଆଶ୍ରୟସ୍ଥଳୀରେ, ତ ଆଉ କେଉଁଠି ଛେଳିମେଣ୍ଢା ଗୁହାଳ ଭଳି ଜାକିଜୁକି ହୋଇ ଗୋଟିଏ ରୁମରେ । ଏବେ ଆମେ କହୁଛୁ ବାଲେଶ୍ୱର ସଦର ବ୍ଲକ୍ ହିଞ୍ଜଳାର କଥା । ଦେହରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୟୁନିଫର୍ମ, କିନ୍ତୁ ଦରିପାଲରେ ଚାଲିଛି ପାଠପଢ଼ା ।

ସେପଟେ ପ୍ରାୟ ୮କୋଟି ଟଙ୍କାର ସ୍କୁଲ କୋଠାକୁ ଅଧାରେ ଛାଡ଼ି କଣ୍ଟ୍ରାକ୍ଟର ଫେରାର୍, ଏପଟେ ଦୁଇଟି ସେସନ୍ ଆଡମିଶନ ସରିଲାଣି, ପିଲା ସଂଖ୍ୟା ୧୩୨ରେ ପହଞ୍ଚିଲାଣି। କେମିତି ଚାଲିଛି ପାଠ ପଢ଼ା ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।

ସରକାରଙ୍କ ଚିନ୍ତା କଣ ? ଆମ ବାତ୍ୟା ଆଶ୍ରୟସ୍ଥଳୀ ତ ବହୁମୁଖୀ ନା । ବାତ୍ୟା ବେଳେ ଲୋକ ରହିବେ, ଅନ୍ୟ ବେଳେ ପିଲା ପଢ଼ିବେ । ଏମାନଙ୍କ ମୁଣ୍ଡ ଉପରେ ତ ଛାତ ଅଛି। ଗଛତଳେ ତ ପଢ଼ିବାକୁ ପଡ଼ୁନି। ଇଏ ତ ଭାତହାଣ୍ଡିରୁ ଗୋଟିଏ ଦୁଇଟି ଭାତ । ସ୍କୁଲ କୋଠା ନଥାଇ ଆଡମିଶନ ଆରମ୍ଭ କରିବା ଶିକ୍ଷା ବିଭାଗର କେଉଁ ଆଦର୍ଶ ?