ପୁଣି ପ୍ରେମ, ପ୍ରତାରଣା, ଆତ୍ମହତ୍ୟା ! ରାଜଧାନୀରେ ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମିକ । ଭୁବନେଶ୍ୱର ବରମୁଣ୍ଡା ଦଳିତ ସାହିରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ପ୍ରେମରେ ପ୍ରତାରଣା ପରେ ଯୁବକ ଜଣକ ନିଜ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତକ ହେଲେ ରାହୁଲ ଗୋଚ୍ଛାୟତ ।
ଏନେଇ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ରାହୁଲ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଦୁହେଁ ମନ୍ଦିରରେ ବାହା ମଧ୍ୟ ହୋଇଥିଲେ । କିନ୍ତୁ ଯୁବତୀ ତାଙ୍କ ସହ ପ୍ରତାରଣା କରି ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ରଖିଥିଲେ । ରାହୁଲ କିଛି ରୋଜଗାର କରୁନଥିବାରୁ ଚାପ ପକାଉଥିଲେ । ଯୁବତୀଙ୍କ ଚାପରେ ରାହୁଲ ଜୀବନ ହାରିଥିବା ଘରଲୋକେ ଅଭିଯୋଗ ଆଣିଛନ୍ତି । ଏଥିସହ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।
ଅଧିକ ପଢନ୍ତୁ: କିଟ୍ କାଣ୍ଡ: ଆସନ୍ତାକାଲି ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି....
ଗତକାଲି ସନ୍ଧ୍ୟାରେ ଝୁଲନ୍ତା ଅବସ୍ଥାରେ ରାହୁଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଥିଲେ ହେଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି । ପୋଲିସ ମୃତଦେହ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।