ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଗୁଳି କରି ହତ୍ୟା

ବଡ଼ବିଲ ୱାର୍ଡ ନଂ-୬ ମିନି ଟାୱାର ନିକଟରେ ଗୁଳିମାଡ଼

ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର; କାରଣ ଅସ୍ପଷ୍ଟ

ଘରକୁ ଫେରିଲା ବେଳେ ଗୁଳିମାଡ଼ । କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଯୁବକଙ୍କୁ ଗୁଳି କରି ହତ୍ୟା । ବଡ଼ବିଲର ୱାର୍ଡ ନଂ-୬ ମିନି ଟାୱାର ନିକଟରେ ଏହି ଗୁଳିମାଡ଼ ହୋଇଛି । ବାଇକରେ ଘରକୁ ଫେରିଲା ବେଳେ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ କାହିଁକି ଗୁଳିକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

ମୃତକ ହେଉଛନ୍ତି ଭୋଲା ସିହ୍ନା । ଆଜି ଦିନ ପ୍ରାୟ ୯ ଟା ବେଳେ ବାଇକରେ ୱାର୍ଡ ନମ୍ବର ୬ ସ୍ଥିତ ଓଲ୍ଡ ଏଲଆଇସି କଲୋନୀ ନିକଟସ୍ଥ ନିଜ ଘରକୁ ଯିବାବେଳେ ତାଙ୍କୁ ଗୁଳିମାଡ଼ କରାଯାଇଥିଲା । ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରି ବଡ଼ବିଲ ପୋଲିସର ତନାଘନା ଚଳାଇଛି ।  ଭୋଳା ସିହ୍ନା ଘଟଣାସ୍ଥଳରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଭୋଳା ସିହ୍ନାଙ୍କୁ  ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଭୋଳା ସିହ୍ନାଙ୍କୁ କିଏ ଓ କାହିଁକି ଗୁଳି କଲା, ତାହା ଜଣାପଡ଼ିନି । ପୋଲିସ ଘଟଣାର ତଦନ୍ତ କରୁଛି । ଗୁଳିମାଡ଼ କରିଥିବା ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି । ଏହି ଘଟଣା ଘଟିବା ବେଳେ ସେଠାରେ କେହି ଉପସ୍ଥିତ ଥିଲେ ନା ନାହିଁ, ତାହା ପୁଲିସ ଜାଣିବାକୁ ଚାହୁଁଛି।