Corruption in Odisha
ସଂଘର୍ଷରୁ ଯେତେବେଳେ ସଫଳତା ମିଳିଥିଲା ଖୁସିରେ ଭରିଯାଇଥିଲା ଘର ପରିବାର । ନା ସେ ନେଇଥିଲେ କୋଚିଂ ନା ସେ ହୋଇଥିଲେ ଟ୍ୟୁସନ୍। ନିଜର ଅଧ୍ୟବସାୟ ବଳରେ ସେ ପାଇଥିଲେ OPSC। ୨୦୧୯ରେ ବନିଥିଲେ OAS ଟପ୍ପର। ଯାଜପୁର କ୍ଷେତ୍ରପାଳ ଗାଁର ଅଶ୍ବିନୀ ପଣ୍ଡା। ମିଡ଼ିଆ ଆଗରେ ସେଦିନ ଗଦଗଦ୍ ହୋଇ ପ୍ରତିକ୍ରିୟା ରଖି କହିଥିଲେ ଧାଡ଼ିର ଶେଷ ଲୋକଙ୍କ ପାଇଁ ସେବା କରିବେ
ହେଲେ ସବୁ ଭୁଲିଗଲେ ଚାକିରିରେ ଯୋଗଦେବା ପରେ । ବିକାଶର ରାସ୍ତାରେ ଦୁର୍ନୀତି ସବୁଠୁ ବଡ଼ ପ୍ରତିବନ୍ଧକ କହିଥିବା ଅଶ୍ବିନୀ ମାତ୍ର ୧୫ ହଜାର ଟଙ୍କା ଲୋଭରେ ଭୁଲିଗଲେ ସବୁ ନୀତି ଓ ନୈତିକତାର ପାଠ। ଚାକିରି କାଳ ଭିତରେ ଛନ୍ଦିହୋଇଗଲେ ଦୁର୍ନୀତି ଜାଲରେ। OAS ତଥା ସମ୍ବଲପୁର ବାମରା ତହସିଲଦାର ଅଶ୍ବିନୀ ପଣ୍ଡାଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇ ଦିଆଯାଇଥିବାବେଳେ ତାଙ୍କ ଘରୁ ନଗଦ ୪ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି। ଲାଞ୍ଚ କାରବାରରେ ସହାୟତା ଅଭିଯୋଗରେ, ତାଙ୍କ ଡ୍ରାଇଭରକୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି।
କେବଳ ଅଶ୍ବିନୀ ନୁହଁନ୍ତି। ଏ ହେଉଛନ୍ତି ଲେଡ଼ି OAS ଅଫିସର ତଥା କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ପୂର୍ବତନ ବିଡ଼ିଓ ଅକ୍ଷମିତା କାର୍ତ୍ତିକ। ବୟସ କହିଲେ ମାତ୍ର ୩୮ ବର୍ଷ। ଗତବର୍ଷ ଅଗଷ୍ଟ ୧ରେ ତାଙ୍କ ସରକାରୀ ଗାଡିରୁ ମିଳିଥିଲା ୪ ଲକ୍ଷ ୯୨ ହଜାର ଟଙ୍କା। ଲାଞ୍ଚ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।
ସେହିପରି ଖଣିବିଭାଗ ଉପ ନିର୍ଦ୍ଦେଶକ ଧରଣୀଧର ନାୟକ। ତାଙ୍କ ବୟସ ୩୯। ମାତ୍ର ୧୦ ବର୍ଷର ଚାକିରି। ପାହାଡ଼ ଭଳି ସମ୍ପତ୍ତି ଠୁଳ କରିଥିଲେ। ମିଳିଥିଲା ୯ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ୧୧ଟି ପ୍ଲଟ୍, ୧୯ଟି ଦୋକାନ ଘର ଏବଂ ଦୁଇଟି ମାର୍କେଟ୍ କଂପ୍ଲେକ୍ସ।
ଯୁବ ଅଫିସରଙ୍କ ଏହି ଦୁର୍ନୀତିର ଧାରାରେ ସବୁଠୁ ଚର୍ଚ୍ଚାକୁ ଆସିଥିଲେ ଯୁବ IAS ତଥା ପୂର୍ବତନ ଧର୍ମଗଡ଼ ଉପଜିଲ୍ଲାପାଳ ଧିମାନ ଚକମା। ଲକ୍ଷେ ଟଙ୍କା ଲାଞ୍ଚ କାରବାର ମାମଲାରେ ଛନ୍ଦି ହୋଇ ଜେଲ୍ ଯିବାକୁ ପଡ଼ିଥିଲା ତାଙ୍କୁ। ଏଭଳି ଗତ ବର୍ଷେ ଭିତରେ ରାଜ୍ୟର ୧୧ ଜଣ ଦୁର୍ନୀତିଖୋର୍ ଯୁବ ଅଫିସର ଧରାପଡ଼ିଲେଣି। ତେବେ ଚାକିରୀ ଆରମ୍ଭରୁ କାହିଁକି ଯୁବ ଅଫିସର ବାଛି ନେଉଛନ୍ତି ଦୁର୍ନୀତିର ରାସ୍ତାକୁ ? ଅର୍ଥ ଉପାର୍ଜନର ବ୍ୟକ୍ତିଗତ ଲାଳସା ନା ବ୍ୟବସ୍ଥାଗତ ତ୍ରୁଟି ?
ତଥ୍ୟ କହୁଛି, ୨୦୨୪ରେ ୫୦ ଜଣ କ୍ଲାସ ୱାନ ଅଫିସରଙ୍କୁ ଦୁର୍ନୀତି ମାମଲାରେ ବାନ୍ଧିଛି ଭିଜିଲାନ୍ସ ବିଭାଗ। ଯେଉଁଥିରେ ଅବକାରୀ ଯୁଗ୍ମ କମିଶନରଙ୍କ ଠାରୁ ଆରମ୍ଭ କରି ୭ ଚିଫ୍ ଇଞ୍ଜିନିୟର, ୧୯ ଇଞ୍ଜିନିୟର, ୨୨ ରେଭନ୍ୟୁ ଅଫିସର, ୯ ପୋଲିସ ଅଧିକାରୀ, ୫ ଡାକ୍ତର ଓ ୩ ଜଙ୍ଗଲ ବିଭାଗ ଅଧିକାରୀଙ୍କ ନାଁ ରହିଛି। ରାଜସ୍ବ ମନ୍ତ୍ରୀ ସରକାରୀ ସ୍ତରରେ ହେଉଥିବା ଅନ୍ୟାୟ ଏବଂ ଲାଞ୍ଚ କାରବାରକୁ ତୁରନ୍ତ ସରକାରଙ୍କ ନଜରକୁ ଆଣିବା ପାଇଁ ଅପିଲ୍ କରିଛନ୍ତି। କହିଛନ୍ତି, ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ।
ଗୋଟିଏ ପଟେ ଦୁର୍ନୀତି, ଆରପଟେ ଆକ୍ସନ୍। ତଥାପି କମୁନି ଦୁର୍ନୀତି ବ୍ୟାଧି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ହେଉଛି, ହେଲେ ବ୍ୟବସ୍ଥାରେ କେମିତି ଆସିବ ସୁଧାର ? ତାହା ସବୁଠୁ ବଡ଼ ପ୍ରଶ୍ନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757780698.jpg)