• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଲିସକୁ ବି ଖାତିର କଲେନି । ମହିଳା ପୋଲିସଙ୍କୁ କମେଣ୍ଟ ମାରିବା ସହ ଅଶ୍ଲୀଳ ଇଙ୍ଗିତ କରିବାକୁ ବି ପଛାଇଲେନି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଚେନ୍ନାଇରୁ । ୨୦ ଜଣ ମଦୁଆ ରାସ୍ତାରେ ମଦ ପିଇ ଉତ୍ପାତ କରୁଥିଲେ । ସେମାନଙ୍କୁ ରୋକିବାକୁ ଯାଇ ମହିଳା ସବ୍‌ ଇନ୍‌ସପେକ୍ଟର ଦୁର୍ବ୍ୟବହାରର ଶିକାର ହେଲେ । ଏମିତିକି ମହିଳା ପୋଲିସଙ୍କୁ ନାନା ଧମକ ଚମକ ମଧ୍ୟ ଦେଇଥିଲେ ଦୁର୍ବୃତ୍ତ । ଏହି ଘଟଣା ରବିବାର ନ୍ୟୁ ୱାସରମେନ୍‌ପେଟ୍‌ରେ ଘଟିଥିଲା ।

ତେବେ ସବୁଠାରୁ ବଡ଼ କଥା ହେଲା ମହିଳା ସବ୍‌ ଇନ୍‌ସ୍ପେକ୍ଟରଙ୍କୁ ଆକ୍ରମଣ କରାଯାଇଥିଲେ ମଧ୍ୟ ଏହି ଘଟଣାରେ ଏବେ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ । 

ସେହିଭଳି ଅନ୍ୟ ଏକ ଘଟଣାରେ ଜଣେ ପୋଲିସ ଅଧିକାରୀଙ୍କୁ ବିୟର ବୋତଲରେ ଆକ୍ରମଣ କରିଥିଲେ ଦୁଇ ଦୁର୍ବୃତ୍ତ । ଏହି ଘଟଣା ସେମବିୟମରେ ଘଟିଛି । ତେବେ ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିଲେ ମଧ୍ୟ ଅନ୍ୟ ଜଣେ ଫେରାର ରହିଛି ।

ସେପଟେ ପ୍ରଥମ ଘଟଣାରେ, ମାହେଶ୍ୱରୀ (୨୦୨୧ ମସିହା ବ୍ୟାଚ୍‌ର ସବ୍‌ଇନସ୍ପେକ୍ଟର) ପାଟ୍ରୋଲିଂ ଡ୍ୟୁଟିରେ ଥିଲେ । ତାଙ୍କ ସହ ହେଡ୍‌ କନ୍‌ଷ୍ଟେବଳ ବିଜୟ ଆନନ୍ଦ ମଧ୍ୟ ଉପସ୍ଥିତ ଥିଲେ । ମାହେଶ୍ୱରୀ ଖବର ପାଇ ଏମ୍‌ପିଟି ନିକଟସ୍ଥ ଭୁମି ଇଶ୍ୱରନ୍‌ କୋଲିର ୱାସରମେନ୍‌ପେଟ୍‌ ପହଞ୍ଚିଥିଲେ । ସେଠାରେ କିଛି ମଦ୍ୟପ ଉତ୍ପାତ କରୁଥିବା ତାଙ୍କ ପାଖରେ ଖବର ରହିଥିଲା ।

ଘଟଣାସ୍ଥଳରେ ପହଞ୍ଚିବା ପରେ ସେ ଦେଖିଥିଲେ ୨୦ ଜଣ ପାଖାପାଖି ବ୍ୟକ୍ତି ଗାଡ଼ି ଭିତରେ ବସି ମଦ ପିଉଥିଲେ । ମାହେଶ୍ୱରୀ ନିଜ ମୋବାଇଲ୍‌ରେ ଏହି ଘଟଣାର ଭିଡିଓ ରେକର୍ଡ କରିଥିଲେ । ତାପରେ ସେହି ସ୍ଥାନ ଛାଡ଼ି ଚାଲିଯିବା ପାଇଁ କହିଥିଲେ । କିନ୍ତୁ ସେଠାରେ ମଦ୍ୟପମାନେ ତାଙ୍କ କଥା ମାନିବା ପରିବର୍ତ୍ତେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏମିତିକି ତାଙ୍କୁ ଧକ୍କା ମାରିବା ସହ ଜୀବନରୁ ମାରିବାକୁ ଚେତାବନୀ ଦେଇଥିଲେ । ପୋଲିସ ପକ୍ଷରୁ ମାହେଶ୍ୱରୀ ରେକର୍ଡ କରିଥିବା ଭିଡିଓ ଫୁଟେଜ୍‌ର ଯାଞ୍ଚ କରାଯାଉଛି । 

ସେହିଭଳି ଦ୍ୱିତୀୟ ଘଟଣାରେ କନ୍‌ଷ୍ଟେବଳ ମାର୍ସଲ ଏଚ୍‌ ରାଜକୁମାର (୪୬) ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଛି । ଦୁଇ ଜଣ ମଦ୍ୟପ ତାଙ୍କୁ ଖାଲି ବିୟର ବୋତଲରେ ମୁଣ୍ଡକୁ ପିଟିଥିଲେ । ଯାହାଫଳରେ ତାଙ୍କ ମୁଣ୍ଡ ଓ ନାକ ଫାଟିଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡକାଲରେ ଭର୍ତ୍ତି କରାଯାଇଛି । ମୁଣ୍ଡରେ ଏକାଧିକ ଷ୍ଟିଚ୍‌ ପଡ଼ିଛି । ପୋଲିସ ଜି ମଣି ନାମକ ଜଣେ ବ୍ୟକ୍ତିକୁ ଏହି ଘଟଣାରେ ଗିରଫ କରିଛି । ଅନ୍ୟ ଜଣେ ଫେରାର ରହିଛି ।