• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାର୍‌ ପାଇଁ ଝିଅକୁ ମାରିଦେଇଛନ୍ତି ଶାଶୂଘର ଲୋକେ । ଆଗରୁ ସବୁବେଳେ ମାଡ ମାରୁଥିଲେ...ଗାଳିମନ୍ଦ କରୁଥିଲେ । ହେଲେ ଆଜି ଆମ ଝିଅକୁ ମାରିଦେଲେ । ଆଖି ସାମ୍ନାରେ ନିଜ ଝିଅର ଶବକୁ ଦେଖି ବାପଘର ଲୋକେ କୋହ ସମ୍ଭାଳିପାରୁନାହାନ୍ତି । ସେଇଥି ପାଇଁ ତ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି ।

ବାହାଘର ହେବା ପରେ ବେଶ ହସଖୁସିରେ ଚାଲୁଥିଲା ସଂସାର । ମଜାମସ୍ତିରେ କଟୁଥିଲା ଦିନ । କେତେବେଳେ ରିଲ୍ସ କରୁଥିଲେ ପୁଣି କେତେବେଳେ ଗୁପଚୁପ ଖାଇବାକୁ ବଜାର ଯାଉଥିଲେ । ହେଲେ ସେ ଖୁସିରେ ଯେମିତି ଘୋଟି ଆସିଲା ଦୁଃଖର କଳାବାଦଲ । ସାମାନ୍ୟ ଗୋଟିଏ କାର୍‌ ପାଇଁ ଛାରଖାର ହେଲା ସୁଖର ସଂସାର । ଯୌତୁକ ଜୁଇରେ ପୁଣି ଜଳିଲା ଜୀବନ । ଏମିତି ଊୟାନକ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ରୁ । କାର ଦେଲେନି ବୋଲି ଝିଅକୁ ମାରି ଦେଇଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାପ ଘର ଲୋକେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବଢିଲାଣି ଚର୍ଚ୍ଚା ।

ନୟାଗଡ଼ ଶରଣକୁଳ ଥାନା କଜଳାଇପଲ୍ଲୀ ପଞ୍ଚାୟତ ବଧି ସାହିର ତପନ କୁମାର ପ୍ରଧାନଙ୍କୁ ଜିଗିନୀପଡ଼ା ଗାଁର ଭିକ୍ଷାକାରୀ ସ୍ୱାଇଁଙ୍କ ଝିଅ ମୋନାଲିସା ସ୍ୱାଇଁଙ୍କ ସହ ବିବାହ କରିଥିଲେ । ୨ ବର୍ଷ ପୂର୍ବେ କରୋନା ମହାମାରୀ ସମୟରେ ଝିଅର ଶାଶୂଘର ଲୋକଙ୍କ ଦାବି ଅନୁସାରେ ଦେଢ଼ଲକ୍ଷ ଟଙ୍କା ସହ ଅନ୍ୟ ଆସବାବପତ୍ର ଦେଇ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ l କିଛି ଦିନ ମୋନାଲିସା ଏବଂ ତପନଙ୍କ ମଧ୍ୟରେ ହସ ଖୁସିର ସଂସାର ଚାଲିଥିଲା l ହେଲେ ଶାଶୂଘର ଲୋକଙ୍କ ପକ୍ଷରୁ ପୁଣି ଥରେ ଦାବି କରାଯାଇଥିଲା କାର୍‌ ।

ଖାଲି ଦାବି ହୋଇଥିଲା ତାହା ନୁହେଁ ବରଂ ତୁରନ୍ତ ଆଣିଦେବାକୁ ଚାପ ବି ପକାଯାଉଥିଲା । ଏଥିଲାଗି ଅନେକ ସମୟରେ ଝଗଡା ଲାଗୁଥିଲା । ଏମିତି ଘଟଣାକୁ ନେଇ ବାପଘର ଲୋକଙ୍କୁ ବରାବର ଖବର ଦେଉଥିଲେ ମୋନାଲିସା । ଆଉ ଏହାରି ଭିତରେ ତାଙ୍କ ଝିଅକୁ ତଣ୍ଟିଚିପି ହତ୍ୟା କରିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଅଭିଯୋଗ ଅନୁସାରେ, ଝିଅର ଶବ ପାଖରେ ପହଁଞ୍ଚିଲା ବେଳକୁ ପୁଅ ସହ ଶାଶୁ ଘର ଲୋକେ ଫେରାର ହୋଇଯାଇଥିଲେ । ଦିନ ୧୦ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଘରେ ପଡିରହିଥିଲା ଶବ ।

ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବର ପୋଷ୍ଟମର୍ଟମ ହୋଇଥିଲା । ହେଲେ ମୋନାଲିସାଙ୍କର କେମିତି ମୃତ୍ୟୁ ହେଲା ସେନେଇ କୌଣସି ସୂଚନା ମିଳିନଥିବା ବେଳେ ବାପଘର ଲୋକ କହୁଛନ୍ତି ହତ୍ୟା କରାଯାଇଛି ହେଲେ ଶାଶୂଘର ଲୋକ କହୁଛନ୍ତି ଆତ୍ମହତ୍ୟା କରିଛି ବୋହୂ ।

ଘଟଣା ଯାହା ବି ହେଉ ନା କାହିଁକି? ବାହାଘରର ମାତ୍ର ୨ ବର୍ଷ ପରେ ହଠାତ୍‌ କାହିଁକି ମୋନାଲିସାଙ୍କ ମୃତ୍ୟୁ ହେଲା ତାହାକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବାପଘର ଲୋକଙ୍କ ପକ୍ଷରୁ ଦାବି କରାଯାଇଛି । ସେପଟେ ଏସଡିପିଓ କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣା କଣ ଜଣାପଡିବ । ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

 

  • Reported by:
  • Jayendra Behera