• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚିକିତ୍ସା କରୁଥିଲେ ଡାକ୍ତର । ହଠାତ୍ ରାଗିଗଲା ରୋଗୀ । କଇଁଚି ଭୁଶି ନେଇଗଲା ଜୀବନ । ଏଭଳି ଏକ ଜଘଣ୍ୟ ଘଟଣା ସାମ୍ନାକୁ ଆସିଛି କେରଳର କୋଟ୍ଟାରକାର ତାଲକା ହସ୍ପିଟାଲରୁ । ପୋଲିସ ଜଣେ ଅଭିଯୁକ୍ତକୁ ଚିକିତ୍ସା ପାଇଁ ଡାକ୍ତରଖାନା ଆଣିଥିଲା । ସେଠାରେ ୨୩ ବର୍ଷିୟ ବନ୍ଦନା ଦାସ ନାମକ ଜଣେ ହାଉସ ସର୍ଜନ ତାଙ୍କର ଚିକିତ୍ସା କରୁଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଯେଉଁ ରୋଗୀକୁ ଡାକ୍ତର ନୂଆ ଜୀବନ ଦେଉଥିଲେ, ସେହି ରୋଗୀ ହିଁ ନେଇଗଲା ତାଙ୍କର ଜୀବନ ।

ତେବେ ଅଭିଯୁକ୍ତ ରୋଗୀ ଜଣକ ହେଉଛନ୍ତି ଜଣେ ଶିକ୍ଷକ । ସେ ନେଦୁମପଡ଼ା ୟୁପି ସ୍କୁଲରେ ଶିକ୍ଷକତା କରନ୍ତି । ତାଙ୍କର ବୟସ ୪୧ ବର୍ଷ । ଘର ପାଖରେ କିଛି ଲୋକଙ୍କ ସହ ଝଗଡ଼ା କରି ସେ ଆହତ ହୋଇଥିଲେ । ବୁଧବାର ସକାଳ ପ୍ରାୟ ସାଢ଼େ ୪ଟା ସମୟରେ ତାଙ୍କୁ କୋଟ୍ଟାରକରା ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ତାଙ୍କ କ୍ଷତକୁ ଡାକ୍ତର ଚିକିତ୍ସା କରୁଥିଲେ । ଏହି ସମୟରେ ଡାକ୍ତରଙ୍କ କଇଁଚି ଆଣି ତାଙ୍କୁ ଭୁଶିଦେଇଥିଲା ଅଭିଯୁକ୍ତ ।

ଏହି ଘଟଣାରେ ଡାକ୍ତରଙ୍କ ବ୍ୟତୀତ ଅନ୍ୟ ୫ ଜଣ ମଧ୍ୟ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ପୋଲିସ କର୍ମଚାରୀ ମଧ୍ୟ ସାମିଲ । ତେବେ ଡାକ୍ତରଙ୍କୁ ତୁରନ୍ତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଡାକ୍ତରଙ୍କ ମୃତ୍ୟୁ ପରେ ରାଜ୍ୟରେ ଉତ୍ତେଜନା ଦେଖାଦେଇଛି । ସବୁଆଡ଼େ ଡାକ୍ତରଙ୍କ ବିକ୍ଷୋଭ ଓ ପ୍ରତିବାଦ ଦେଖିବାକୁ ମିଳିଛି । ସରକାରଙ୍କ ପାଇଁ ଏହି ଘଟଣା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଡାକ୍ତରମାନେ ଆଗକୁ ଚିକିତ୍ସା କରିବେନି ବୋଲି ଚେତାବନୀ ଦେବା ସହ ଏଭଳି କ୍ଷେତ୍ରରେ ସୁରକ୍ଷା ଯୋଗାଇ ଦିଆଗଲେ ହିଁ ସେମାନେ ଚିକିତ୍ସା କରିବେ ବୋଲି କହିଛନ୍ତି । ତେବେ ସାରା ରାଜ୍ୟରେ ଏବେ ଡାକ୍ତରଙ୍କ ବିକ୍ଷୋଭ ଚାଲିଥିବା ବେଳେ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ଏଭଳି ଚାଲିବ ବୋଲି IMA ପକ୍ଷରୁ କୁହାଯାଇଛି । ତେବେ ICU ଓ ଜରୁରୀ ଚିକିତ୍ସା ବା ସେବା ଜାରି ରହିବ ବୋଲି କୁହାଯାଇଛି ।