• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୁଣ୍ଡ ଉପରେ ଛିଣ୍ଡି ପଡ଼ିଛି ଆକାଶ...ପାଦତଳୁ ଧସିଯାଇଛି ମାଟି...ଜୀବନର ଗତି ଏବେ କୁଆଡ଼େ...ଜାଣିପାରୁନାହାଁନ୍ତି ମାଶ୍ରୀତିକା । ଚକ୍ରବର୍ତ୍ତି ଏବଂ ବଡ଼ଭଉଣୀ ଲିପିକାଙ୍କୁ ହରାଇଥିବା ଏକମାତ୍ର ସାନଝିଅ ମୋନାଲିସା । ବୟସ ମାତ୍ର ୨୩ ବର୍ଷ । ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି କରୁଛନ୍ତି । ଘରେ ବୟସ୍କ ବାପା । ତାଙ୍କର ବି ରୋଜଗାର ନାହିଁ । ମା ଶ୍ରୀତିକା ଓ ଭଉଣୀ ଲିପିକା ଯାହା ଦିପଇସା ରୋଜଗାର କରୁଥିଲେ । ମା ମିଶନ ଶକ୍ତିରେ ମାଷ୍ଟର ବୁକ୍ କିପର ଥିଲେ । ଏବଂ ବଡ଼ଝିଅ ଲିପିକା କଳିଙ୍ଗନଗର ସ୍ଥିତ ଏକ ଘରୋଇ ବ୍ୟାଙ୍କରେ ବ୍ୟାଙ୍କ ମିତ୍ର ଭାବେ କାମ କରୁଥିଲେ ।

କିନ୍ତୁ ଦୁର୍ଭାଗ୍ୟ, ଗତକାଲି ନରହନ୍ତା ଟ୍ରକ୍ ଡ୍ରାଇଭର୍‌ର ଟ୍ରକ୍‌ ଚକ ତଳେ ଚାପି ହୋଇ ପ୍ରାଣବାୟୁ ହରାଇଥିଲେ ମା ଓ ଝିଅ । ତାପରଠୁ ନିର୍ବାକ ସାନଝିଅ ମୋନାଲିସା ।ଛାତିକୁ ପଥର କରି ଗତକାଲି ମୁଖାଗ୍ନି ଦେଇଥିଲେ ମାଏବଂ ଭଉଣୀଙ୍କ ମର ଶରୀରରେ । ଏବେ ଝୁରୁଛନ୍ତି ଘର ପରିବାର । ସମସ୍ତଙ୍କ ଆଖିରେ ବହୁଛି ଲୁହ । ମୋନାଲିସାଙ୍କ ଦାବି, ଅଭିଯୁକ୍ତକୁ ଫାଶି ଦିଆଯାଉ ।

କେନ୍ଦ୍ରାପଡ଼ା ଜିଲ୍ଲା ରାମନଗର ସ୍ଥିତ ମୋନାଲିସାଙ୍କ ଅଜାଙ୍କ ବିୟୋଗ ପରେ ଶୁଦ୍ଧିକ୍ରିୟା ପାଇଁ ଏଠାକୁ ମାଙ୍କୁ ଧରି ବଡ଼ଭଉଣୀ ଲିପିକା ସ୍କୁଟରରେ ଆସିଥିଲେ । ସାଙ୍ଗରେ ମୋନାଲିସା ବି ଆସିବାକୁ ବାହାରିଥିଲେ । କିନ୍ତୁ ଶେଷ ମୁହୁର୍ତ୍ତରେ ସେ ଆସିନଥିଲେ । ତେବେ ସମସ୍ତ କର୍ମକର୍ମାଣୀ ସାରି ଅପରାହ୍ନରେ ସୁକିନ୍ଦା ଅଭିମୁଖେ ବାହାରିଥିଲେ ଲିପିକା ଓ ଶ୍ରୀତିକା । ଦିନଟିଏ ରହିଯିବାକୁ ସମସ୍ତେ କହୁଥିଲେ ଉଭୟଙ୍କୁ । କିନ୍ତୁ ଘରେ କେହି ନଥିବା କହି ତରତର ହୋଇ ଘରମୁହାଁ ହୋଇଥିଲେ ମାଝିଅ ।

ହେଲେ କିଏ ଜାଣିଥିଲା ରାଜରାସ୍ତାରେ ମୃତ୍ୟୁର ଦୂତ ଜାଲ ବିଛାଇଛି ବୋଲି । ଶେଷରେ ଏନ୍ଏଚ୍ ୫୩ ଆରୁହା ଛକରେ ସାଇଡ୍‌ମରାକୁ ନେଇ ପ୍ରଥମେ ଗଣ୍ଡଗୋଳ ଓ ସେହି ଗଣ୍ଡଗୋଳର ପ୍ରତିଶୋଧ ନେବାକୁ ଯାଇ ବରଡ଼ା ଛକରେ ଟ୍ରକ୍ ମଡ଼ାଇଦେଲା ଡ୍ରାଇଭର ଅମର ସ୍ୱାଇଁ । ଘଟଣାସ୍ଥଳରେ ମା,ଝିଅଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା । ଏହି ସ୍କୁଟରକୁ ଦେଖିଲେ ହିଁ ବାରି ହେଉଛି କେତେ ଭୀଷଣ ଥିଲା ଦୁର୍ଘଟଣା ।

ଆକସ୍ମିକ ଦୁର୍ଘଟଣା ବୋଲି ପ୍ରଥମେ କୁହାଯାଉଥିଲା, କିନ୍ତୁ ପୋଲିସର ସନ୍ଦେହ ଯାଇଥିଲା ଉଦ୍ଦେଶ୍ୟମୂଳକ ହତ୍ୟାକାଣ୍ଡ ଆଡ଼କୁ । କାରଣ ଶ୍ରୀତିକା ଓ ଲିପିକାଙ୍କ ସହ ଗଣ୍ଡଗୋଳର ମାତ୍ର କେଇ ସମୟ ପରେ ରାଜରାସ୍ତାରେ ଟ୍ରକ ଚଢ଼ାଇଦେଇଥିଲା ଡ୍ରାଇଭର ଅମର ସ୍ୱାଇଁ । ତେଣୁ ତାକୁ ଗିରଫ କରି ଘନଘନ ଜେରା କରିଥିଲା ପୋଲିସ । ଆଉ ପୋଲିସ ଆଗରେ ସବୁ ସତ ମାନିଯାଇଥିଲା ଅମର । ଶେଷରେ ଆଜି ତାକୁ ଯାଜପୁର ପୋଲିସ କୋର୍ଟଚାଲାଣ କରିଛି । କୋର୍ଟଚାଲାଣବେଳେ ଅଭିଯୁକ୍ତ ଅମର କହିଛି, ବ୍ରେକ ଫେଲ୍ ଯୋଗୁ ଏଭଳି ଘଟଣା ଘଟିଲା ।

ଝିଅ ଲିପିକା ଆଉ ମା ଶ୍ରୀତିକା ଆଉ ନାହାଁନ୍ତି ।ଏବେ କେବଳ ଯାହା ପରିବାର ସହ ଶ୍ରୀତିକାଙ୍କ କିଛି ଫଟୋ ଏବଂ ସୋସିଆଲ୍ ମିଡ଼ିଆରେ ଲିପିକାଙ୍କ କିଛି ରିଲ୍ସ ସ୍ମୃତି ହୋଇଯାଇଛି ।