• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସ୍ୱାମୀର ନୃଶଂସ କାଣ୍ଡ । ପରକୀୟା ପ୍ରୀତି ଅଭିଯୋଗରେ ସ୍ତ୍ରୀକୁ ଖୁଣ୍ଟିରେ ବାନ୍ଧି ମାଡ ମାରିଲା ସ୍ୱାମୀ । ବିହାରରରୁ ସାମ୍ନାକୁ ଆସିଛି ଏହି ସମ୍ବେଦନଶୀଳ ମାମଲା । ବିହାରର ରୋହତାସର ଚେନାରି ଅଞ୍ଚଳର ସିଂହପୁର ଗାଁର ଦୀପକ ରାମ ନାମକ ଜଣେ ବ୍ୟକ୍ତି ପରକୀୟା ପ୍ରୀତି ସନ୍ଦେହ କରି ତାଙ୍କ ସ୍ତ୍ରୀଙ୍କୁ ଏକ ଖୁଣ୍ଟିରେ ବାନ୍ଧି ମାଡ ମାରିଛନ୍ତି । ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଦୀପକ ରାମ ତାଙ୍କ ସ୍ତ୍ରୀଙ୍କ ନାଁରେ ପରକୀୟା ପ୍ରୀତିର ଅଭିଯୋଗ କରିଥିଲେ । ଏହି ମାମଲାରେ ପୋଲିସ ଅଧିକାରୀମାନେ ଉଭୟଙ୍କୁ ବୁଝାସୁଝା କରି ମାମଲାର ସମାଧାନ କରିଥିଲେ । ହେଲେ ନିଜ ଗାଁକୁ ଫେରିବା ମାତ୍ରେ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ସଦସ୍ୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଉକ୍ତ ମହିଳାଙ୍କୁ ବିଦ୍ୟୁତ୍‌ ଖୁଣ୍ଟିରେ ବାନ୍ଧି ପିଟିଥିଲେ ।

ଜଣେ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବା ସୂଚନା ପାଇବା ମାତ୍ରେ ହିଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହିଳାଙ୍କ ସ୍ୱାମୀ ଦୀପକ ରାମ, ଶ୍ୱଶୁର ଶିବପୁଜନ ରାମଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ।

ଏନେଇ ସ୍ଥାନୀୟ ଏସପି ଆଶିଷ ଭାରତୀ କହିଛନ୍ତି ଯେ, ଜଣେ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ମାଡମାରୁଥିବାର ସୂଚନା ପାଇ ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା । ଏହି ମାମଲାରେ ଦୀପକ ରାମ, ଶିବ ପୂଜନ ରାମ, କେଦାର ରାମ, ଧିରେନ୍ଦ୍ର ରାମ ଏବଂ ନରେନ୍ଦ୍ର ରାମକୁ ଗିରଫ କରାଯାଇଛି । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି ।