• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଋଣ ବୁଡ଼ାଇଦେଲା ବଂଶ । ଗୋଟିଏ ରାତିରେ ଉଜୁଡ଼ି ଗଲା ପୁରା ପରିବାର । ସନ୍ଦେହଜନକ ପରିସ୍ଥିତିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ହତ୍ୟା ପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ଯୁବକଙ୍କ ମୃତଦେହ ଘରେ ଝୁଲୁଥିବା ବେଳେ ତାଙ୍କ ୧୨ ବର୍ଷର ପୁଅ ଓ ତାଙ୍କ ମା’ଙ୍କ  ମୃତଦେହ ଘର ଭିତରୁ ମିଳିଥିଲା । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘରେ ତିନିଟି ମୃତଦେହ ଏକାଠି ମିଳିଥିବା ବେଳେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏହି ଘଟଣାରେ ପୋଲିସ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି । ପୋଲିସର କହିବାନୁସାରେ, ଋଣ ଯୋଗୁଁ ବ୍ୟବସାୟୀ ଜଣଙ୍କ ଏହି ଆତ୍ମହତ୍ୟା ପଦକ୍ଷେପ ନେଇଛନ୍ତି । ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।

ଆଗ୍ରାର ଲୟର୍‌ କଲୋନୀର ବାସିନ୍ଦା ତରୁଣଙ୍କର ଏକ ପାଇପ୍ ବ୍ୟବସାୟ ଥିଲା । କୁହାଯାଇଛି ଯେ ତାଙ୍କ ପତ୍ନୀ ରଜନୀ ଖାଟୁ ଠାକୁରଙ୍କ ଦର୍ଶନ ପାଇଁ ଯାଇଥିଲେ । ତରୁଣଙ୍କ ବ୍ୟତୀତ ତାଙ୍କ ବୃଦ୍ଧ ମା’ ବ୍ରଜେଶ ଦେବୀ ଓ ୧୨ ବର୍ଷର ପୁଅ କୁଶଗ୍ରା ଚୈହାନ ଘରେ ଥିଲେ । ପୂର୍ବଭଳି ଶନିବାର ସକାଳେ ଯେତେବେଳେ ଚାକରାଣୀ କାମ ପାଇଁ ତାଙ୍କ ଘରେ ପହଞ୍ଚିଥିଲେ, ସେତେବେଳେ ସେ ତରୁଣଙ୍କ ଶରୀର ଝୁଲୁଥିବାର ଦେଖିଥିଲେ । ଚାକରାଣୀ ଚିତ୍କାର କରି ଘର ଆଡ଼କୁ ଦୈଡ଼ି ଆସିଥିଲେ ଓ ସେଠାରେ ୧୨ ବର୍ଷର କୁଶାଗ୍ରା ଓ ବୃଦ୍ଧ ମହିଳା ବ୍ରଜେଶ ଦେବୀଙ୍କ ମୃତଦେହ ପଡ଼ିଥିବାର ମଧ୍ୟ ଦେଖିଥିଲେ ।

ଚାକରାଣୀର ଶବ୍ଦ ଶୁଣି ପଡୋଶୀମାନେ ଘଟଣାସ୍ଥଳକୁ ଆସିଥିଲେ। ସୂଚନା ପାଇବା ମାତ୍ରେ ନୂଆ ଆଗ୍ରା ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଘଟଣା ସ୍ଥଳକୁ ଯାଞ୍ଚ କରିଥିଲା । ବୃଦ୍ଧ ମହିଳା ଏବଂ ନିରୀହ ଶିଶୁକୁ ବିଷ ଦେଇ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ ପ୍ରକଟ କରିଛି, ଏହା ପରେ ତରୁଣ ନିଜେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ପୋଲିସ ଘଟଣାସ୍ଥଳରୁ ବ୍ୟବସାୟୀଙ୍କ ମୋବାଇଲ୍ ଫୋନ୍ ପାଇଥିଲା, ଯେଉଁଥିରେ ଏକ ଭିଡିଓ ରହିଛି ।  ଏହି ଭିଡିଓରେ ସେ କହିଛନ୍ତି ଯେ ବ୍ୟବସାୟରେ ପ୍ରାୟ ୧.୫ କୋଟି ଟଙ୍କା କ୍ଷତି ହୋଇଛି । ସେ ଋଣରେ ଅସୁବିଧାରେ ପଡିଛନ୍ତି, ତେଣୁ ସେ ସମସ୍ତଙ୍କୁ ହତ୍ୟା କରିଛନ୍ତି । ତରୁଣଙ୍କ ପିତା ମନ ସିଂ ବହୁ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ପିତା ଜଣେ ଓକିଲ ଥିଲେ ।