ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ତଥା ଡନ୍ ବ୍ରଦର୍ସ ଅତିକ ଅହମଦ ଏବଂ ଭାଇ ଅଶ୍ରଫ ଅହମ୍ମଦ ହତ୍ୟାକାଣ୍ଡର ଆସିଛି ପୋଷ୍ଟ ମର୍ଟମ ରିପୋର୍ଟ । ଉଭୟଙ୍କ ଶରୀରରୁ ସମୁଦାୟ ୧୪ଟି ଗୁଳି ଚିହ୍ନ ମିଳିଥିବା ସୂଚନା ମିଳିଛି। ଅତିକ ଅହମଦ ଶରୀରରେ ୯ଟି ଗୁଳି ଓ ଅଶରଫ ଶରୀରରୁ ମିଳିଛି ୫ଟି ଗୁଳି ଚିହ୍ନ ।
ଅତିକ ଅହମଦ ଓ ଅଶରଫଙ୍କ ଉପରକୁ ୩ ଅଭିଯୁକ୍ତ ସନ୍ନି, ଲଭଲେଶ ଓ ବରୁଣ ଆଖି ବୁଜା ଗୁଳି ମାଡ଼ କରିଥିଲେ। ଫଳରେ ଅତିକ ଅହମ୍ମଦର ମୁଣ୍ଡରେ ଗୋଟିଏ ଗୁଳି ସମେତ ଛାତି ଓ ପିଠିରେ ୮ଟି ଗୁଳି ଲାଗିଛି । ସେହିପରି ଅଶରଫ ଶରୀରରେ ୫ଟି ଗୁଳି ଲାଗିଛି। ଗୋଟିଏ ଗୁଳି ଅଶରଫ ମୁହଁରେ ବାଜିଥିବା ବେଳେ ଓ ଆଉ ୪ଟି ଗୁଳି ତା’ ପିଠି ପାର୍ କରି ପଳାଇଛି। ଉଭୟଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଙ୍କ ଏକ ପ୍ୟାନେଲ ଗଠିତ ହୋଇଥିବା ବେଳେ ଏହାର ଭିଡିଓଗ୍ରାଫି ବି ହୋଇଥିଲା । ଏହି ହାଇ ପ୍ରୋଫାଇଲ ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ ଜଣିଆ ନ୍ୟାୟିକ ପ୍ୟାନେଲ୍ ଗଠନ କରିଛନ୍ତି । ୨ ମାସ ମଧ୍ୟରେ ଏହି କମିଟି ନିଜ ରିପୋର୍ଟ ପ୍ରଦାନ କରିବ ।
Also Read
ଅନ୍ୟପକ୍ଷରେ ଗୁଳିମାଡ଼ କରିବା ପରେ ଆତ୍ମସମର୍ପଣ କରିଥିବା ୩ ଯୁବକ ସନ୍ନି, ଲଭଲେଶ ଓ ବରୁଣକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପ୍ରୟାଗରାଜ ପୋଲିସ ପକ୍ଷରୁ ମଧ୍ୟ ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ଏକ SIT ଗଠନ କରାଯାଇଛି । ସେପଟେ ଏହି ହତ୍ୟା ପାଇଁ ସୁପ୍ରିମକୋର୍ଟ ପୂର୍ବତନ ଜଷ୍ଟିସଙ୍କ ନେତ୍ରୁତ୍ୱରେ ଏକ ପ୍ୟାନେଲ ଗଠନ କରିବାକୁ ଆଇନଜୀବୀଙ୍କ ପକ୍ଷରୁ ଆବେଦନ କରାଯାଇଛି ।
ଏପଟେ ଅତିକ ଓ ଭାଇ ଅଶ୍ରଫ ହତ୍ୟାକାଣ୍ଡ ପଛରେ ନୂଆ ଖୁଲାସା ହୋଇଛି । ଏଇ ହତ୍ୟାକାଣ୍ଡ ପଛରେ ପଶ୍ଚିମ ଉତ୍ତର ପ୍ରଦେଶର ସୁନ୍ଦର ଭଟ୍ଟି ଗ୍ୟାଙ୍ଗର ହାତ ସନ୍ଦେହ କରାଯାଉଛି । ମୁଖ୍ୟ ଅଭିଯୁକ୍ତ ସନି ସିଂ ସୁନ୍ଦର ଭଟ୍ଟି ଗ୍ୟାଙ୍ଗର ସଦସ୍ୟ ବୋଲି କୁହାଯାଉଛି । ଆଶଙ୍କା କରାଯାଉଛି ଏହି ହତ୍ୟାକାଣ୍ଡରେ ଯେଉଁ ଯିଗାନା ପିସ୍ତଲ ସନି ସିଂ ବ୍ୟବହାର କରିଥିଲା, ତାହା ସୁନ୍ଦର ଭଟ୍ଟି ଗ୍ୟାଙ୍ଗ ପକ୍ଷରୁ ତାକୁ ଯୋଗାଇ ଦିଆଯାଇଥିଲା ।
ତେବେ କିଏ ଏହି ସୁନ୍ଦର ଭଟ୍ଟି । ଅତିକ ଅହମଦ ଗ୍ୟାଙ୍ଗ ସହ କଣ ରହିଛି କନେକ୍ସନ ? ଦିନେ ୟୁପି ସହ ଦିଲ୍ଲୀ ଓ ହରିୟାଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର । ସୁନ୍ଦର ଭଟ୍ଟି ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଲୁଟ୍ ଓ ଅପହରଣର ୬୦ରୁ ଅଧିକ ମାମଲା ରୁଜୁ ହୋଇଛି । ଦୀର୍ଘ ଦିନ ଫେରାର ଥିବା ଏହି କୁଖ୍ୟାତ ଅପରାଧୀକୁ ୟୁପି ପୋଲିସ ୨୦୧୪ରେ ନୋଏଡାରୁ ଗିରଫ କରିବାରେ ସଫଳ ହୋଇଥିଲା । ୨୦୨୧ରେ ଏକ ହତ୍ୟା ମାମଲାରେ ତାକୁ ଆଜୀବନ କାରାଦଣ୍ଡ ମିଳିଥିଲା । ବର୍ତ୍ତମାନ ସେ ସୋନଭଦ୍ର ଜେଲରେ ସଜା କାଟୁଛି ।
ସେପଟେ ଉତ୍ତରପ୍ରଦେଶରେ ମାଫିଆ ଡନ୍ ଅତିକ ଅହମ୍ମଦକୁ ହତ୍ୟା ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେ କହିଛନ୍ତି ଉକ୍ତ ଘଟଣାର ନ୍ୟାୟିକ ତଦନ୍ତ କରାଯାଉଛି । ତଦନ୍ତରେ ସବୁ ସ୍ପଷ୍ଟ ହେବ । କିଛି ଲୋକ ରାଜନୈତିକ ଉଦ୍ଦେଶ୍ୟ ରଖି ଉକ୍ତ ବ୍ୟକ୍ତିକୁ କ୍ଲିନଚିଟ ଦେବାକୁ ବସିଛନ୍ତି । ତାକୁ ପୂର୍ବତନ ସାଂସଦ କୁହାଯାଉଛି, କିନ୍ତୁ ଉକ୍ତ ବ୍ୟକ୍ତି ଶତାଧିକ ହତ୍ୟାରେ ସଂପୃକ୍ତ । ଏଭଳି ବ୍ୟକ୍ତିକୁ କ୍ଲିନଚିଟ୍ ଦେବାକୁ ଚେଷ୍ଟା କରାଯାଉଛି, ଏଥିପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ବୈଜୟନ୍ତ କହିଛନ୍ତି ।