Why Online Betting Apps Are Popular in Odisha
ଜୀବନ କଣ ଜାଣିବା ଆଗରୁ କିଏ ନିଜ ଜୀବନ ହାରୁଛି । କିଏ ପୁଣି ଲକ୍ଷ ଲକ୍ଷ ଟଙ୍କା ହରାଇବା ପରେ ହାତ ଓ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରୁଛି । ଅନଲାଇନ୍ ବେଟିଂ ଆପ୍ ମାୟାଜାଲରେ ଯୁବପିଢ଼ି । ରାତାରାତି କୋଟି କୋଟି ଟଙ୍କା, ଦାମୀ ଗାଡ଼ି ଜିତିବା ଲୋଭରେ ଲଗାଉଛନ୍ତି ଟଙ୍କା। ଶେଷରେ କିଏ ସର୍ବସ୍ବାନ୍ତ ହେଉଛି ତ’ ଆଉ କିଏ ବାଛିନେଉଛି ଆତ୍ମହତ୍ୟାର ପନ୍ଥା ।
ତେବେ ଏଠି ପ୍ରଶ୍ନ ଗାମ୍ବଲିଂ ବେଟିଂ ଆପ୍ ଭାରତ ବା ଓଡ଼ିଶାରେ ଏତେ ଲୋକପ୍ରିୟ କେମିତି ହେଉଛି ? କଣ ରହିଛି ଏହା ପଛର କାରଣ ? କେମିତି ରାତାରାତି ଲୋକପ୍ରିୟ ହୋଇଯାଉଛି ଗାମ୍ବଲିଂ ବେଟିଂ ଆପ୍ ? ଆସନ୍ତୁ ଜାଣିବା...
ଅଧିକ ପଢ଼ନ୍ତୁ: ସବୁ ସାରିଦେଲା ଅନଲାଇନ୍ ଗେମ୍; ଚାଲିଗଲା ୫ ଲକ୍ଷରୁ ଅଧିକ ଟଙ୍କା...
କେମିତି ଲୋକପ୍ରିୟ ହେଉଛି ଗାମ୍ବଲିଂ ବେଟିଂ ଆପ୍ ?
ପ୍ରଥମେ ଏସବୁ ବେଟିଂ ଆପ୍ ସୋସିଆଲ ମିଡିଆରେ ଗେମ୍ ଆପ୍ ନାଁରେ ବିଜ୍ଞାପନ ଦେଉଛନ୍ତି। ୯୯ ଭାଗ ଲୁଜର୍ଙ୍କୁ ନଦେଖାଇ, ଜଣେ ୨ଜଣ ୱିନର୍ କେମିତି କୋଟି କୋଟି ଟଙ୍କା ଓ ଦାମୀ ଗାଡ଼ି ଜିତୁଛନ୍ତି, ଏସବୁ ଦେଖାଉଛନ୍ତି। ଫଳରେ ଏଥିପ୍ରତି ଆକର୍ଷିତ ହେଉଛନ୍ତି ଅସଚେତନ ଯୁବପିଢ଼ି। ଯାହାଫଳରେ ଅତି କମ୍ ସମୟରେ ଗାମ୍ବଲିଂ ବେଟିଂ ଆପ୍ ଲୋକପ୍ରିୟ ହୋଇ ପାରୁଛି।
ଅନ୍ୟପଟେ ବଡ଼ ବଡ଼ ସେଲିବ୍ରିଟି ଟଙ୍କା ପାଇଁ ସୋସିଆଲ୍ ମିଡ଼ିଆରେ ଗାମ୍ବଲିଂ ବେଟିଂ ଆପ୍ର ପ୍ରଚାର କରୁଛନ୍ତି । ଯାହାଫଳରେ ଯୁବପିଢ଼ି ଅତି ସହଜରେ ବିଶ୍ୱାସ କରି ନେଉଛନ୍ତି।
ଅନ୍ୟକିଛି ଯୁବପିଢ଼ି ରାତାରାତି କୋଟି କୋଟି ଟଙ୍କା, ଦାମୀ ଗାଡ଼ି ଜିତିବା ଲୋଭରେ ଲଗାଉଛନ୍ତି ଟଙ୍କା।
ତେବେ ବେଟିଂ ଆପ୍ ଦୁଇ ପ୍ରକାରର ହୋଇଥିବା ବେଳେ, ମୁଣ୍ଡ ଖଟାଇ ଖେଳିବାକୁ ପଡ଼ୁଥିବା ମାଇଣ୍ଡ୍ ଗେମ୍ ବେଟିଂ ଆପ୍କୁ ସରକାରଙ୍କ ଅନୁମୋଦନ ମିଳିଛି। କିନ୍ତୁ ଗାମ୍ବଲିଂ ବେଟିଂ ଆପ୍ ସଂପୂର୍ଣ୍ଣ ବେଆଇନ। ଆଇନଜୀବୀଙ୍କ ମତରେ, ଓଡ଼ିଶା ସରକାର ଗ୍ୟାମ୍ବଲିଂ ନିରୋଧୀ ଆଇନ ୧୯୫୫ ଅନୁସାରେ, ରାଜ୍ୟରେ ଅନଲାଇନ ଗେମ୍ ପ୍ରଚାର ପ୍ରସାରକୁ ବ୍ୟାନ୍ କରିଛନ୍ତି। କିନ୍ତୁ ଏହାର ପ୍ଲାଟ୍ଫର୍ମକୁ ସିଜ୍ କରାଯାଇନି। ତେଣୁ ଏଭଳି ବେଟିଂ ଆପକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ନୂଆ ଆଇନ ଆଣିବାର ଆବଶ୍ୟକତା ରହିଛି।
ଅନଲାଇନ୍ ଗେମିଂ ଇଣ୍ଡଷ୍ଟ୍ରିର ଏକ ବଡ଼ ସେଗମେଣ୍ଟ ପାଲଟିଛି ବେଟିଂ ଆପ୍ ଓ ଫାଣ୍ଟାସି ଗେମିଂ। ରିପୋର୍ଟ କହୁଛି- ଭାରତରେ ପ୍ରାୟ ୩ ଶହ ଅନଲାଇନ ଜୁଆ ପ୍ଲାଟଫର୍ମରେ ପ୍ରତିଦିନ ୧୪ କୋଟି ୟୁଜର୍ ଭାଗ ନେଉଥିବା ବେଳେ, ଆଇପିଏଲ୍ ଭଳି ବଡ଼ ବଡ଼ ଇଭେଣ୍ଟ ବେଳେ ଏହା ୩୭ କୋଟିକୁ ବି ଟପି ଯାଉଛି। ଏହା କେବଳ ଯୁବପିଢ଼ିଙ୍କ ଆର୍ଥିକ ସ୍ଥିତି ନୁହେଁ, ଶାରୀରିକ ଓ ମାନସିକ ସ୍ଥିତି, ଦୈନନ୍ଦିନ ଜୀବନ, ସାମାଜିକ ତଥା ପାରିବାରିକ ସଂପର୍କକୁ ବି ପ୍ରଭାବିତ କରୁଛି। ନିଶା ଏଭଳି ଘାରୁଛି ଯେ, ତଳିତଳାନ୍ତ ହୋଇଯାଉଥିଲେ ବି, ଋଣ କରି ଟଙ୍କା ଲଗାଉଛନ୍ତି ଅନେକ ଲୋକ। କାଳ ସାଜୁଛି ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାରର ଲୋଭ। ଏପଟେ ପବ୍ଲିକ୍ ଗାମ୍ବଲିଂ ଆକ୍ଟ, ୧୮୬୭ ଅନୁସାରେ ଜୁଆ ଓ ସଟ୍ଟାବାଜିକୁ ବେଆଇନ ଘୋଷଣା କରାଯାଇଥିଲେ ମଧ୍ୟ ଅନଲାଇନ ବେଟିଂ ପାଇଁ ନିର୍ଦ୍ଦିଷ୍ଟ କୌଣସି ଆଇନ ନଥିବାରୁ ଗଳାବାଟ ବ୍ୟବହାର କରି ଗେମିଂ ଆପ୍ ନାଁରେ ଏସବୁର ବିଜ୍ଞାପନ ଓ ପ୍ରଚଳନ ଜାରି ରହିଥିବା ଅଭିଯୋଗ ହେଉଛି।
ସେପଟେ ଏଥିରୁ ନିସ୍ତାର ପାଇବା ପାଇଁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ମନସ୍ତତ୍ତ୍ବବିତ୍ ଓ ମାନସିକ ରୋଗ ବିଶେଷଜ୍ଞ । ଏଭଳି ଆପ୍ କବଳରେ ଫସି ମୁକୁଳିନପାରିବା ଏବଂ ବାରମ୍ବାର ହାରି ବିଷାଦଗ୍ରସ୍ତ ହେବାକୁ ଗାମ୍ବଲିଂ ଡିଜ୍ଅର୍ଡର୍ କୁହାଯାଏ । ଅଭିଭାବକ ଓ ସାଙ୍ଗସାଥିମାନେ ଜଣଙ୍କ ଉପରେ ନଜର ରଖିଲେ, ହୁଏତ ତାଙ୍କୁ ସତର୍କ କରି ଏଭଳି ସମସ୍ୟାକୁ ଏଡ଼ାଯାଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745232449.jpg)