• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଜେବି କଲେଜ ରୁଚିକା ମହାନ୍ତି ଆତ୍ମହତ୍ୟାର ୯ ଦିନ ପରେ ବି ପୋଲିସ ହାତ ଖାଲି । ଏମିତିକି ଆତ୍ମହତ୍ୟା ପାଇଁ ଦାୟୀ ୩ ସିନିୟରଙ୍କ ପାଖରେ ପହଞ୍ଚିବା ଲାଗି ଶେଷରେ ଜଣେ ମନସ୍ତତ୍ୱବିତଙ୍କ ସହଯୋଗ ନେଇଛି । ଆଜି ପୁଣି ଥରେ ବୟାନ ଦେଇଥିବା ସମସ୍ତ ଜୁନିଅର ଛାତ୍ରୀଙ୍କୁ ଜେରା ହୋଇଛି । ଚାପ କିମ୍ବା ଭୟରେ କେହି ସଠିକ ତଥ୍ୟ ଦେଇଛନ୍ତି କି ନାହିଁ, ତାର ତର୍ଜମା କରିଛି । ଅନ୍ୟପଟେ ଝିଅକୁ ନ୍ୟାୟ ଦାବିରେ ଏବେ କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ମା । ଏପରିକି, କାଲି ହେବାକୁ ଥିବା ରୁଚିକାଙ୍କ ଶୁଦ୍ଧିକ୍ରିୟା ମଧ୍ୟ କଲେଜ ଫାଟକ ସମ୍ମୁଖରେ କରିବାକୁ ସ୍ଥିର କରିଛନ୍ତି ।

କେବଳ ସାଧାରଣ ଲୋକ ନୁହନ୍ତି, ତଦନ୍ତକାରୀ ସ୍ୱତନ୍ତ୍ର ଟିମ ମନରେ ବି ଏହି ପ୍ରଶ୍ନ। ବାଟବଣା ହେଉଛି କି ତଦନ୍ତ ? ତଥ୍ୟ ଲୁଚାଉଛନ୍ତି କି ହଷ୍ଟେଲ ଅନ୍ତେବାସୀ ? ଖାସ ସେଥିପାଇଁ ଆଜି ଜଣେ ମନସ୍ତତ୍ୱବିତଙ୍କୁ ସାଙ୍ଗରେ ଧରି କାରୁବାକୀ ହଷ୍ଟେଲରେ ପହଞ୍ଚିଥିଲେ ତଦନ୍ତକାରୀ ଟିମ । ପୂର୍ବରୁ ପୋଲିସ ବୟାନ ରେକର୍ଡ କରିଥିବା ସମସ୍ତ ଜୁନିୟରଙ୍କୁ ଆଜି ପୁଣି ଥରେ ଜେରା ହୋଇଥିଲା । ପୋଲିସ କିମ୍ବା ଅନ୍ୟ କିଛି ଭୟରେ କେହି ବୟାନ ଦେଉନାହାନ୍ତି ତ ? ବୟାନ ଦେଉଥିବା ଜୁନିଅରଙ୍କ ଉପରେ କୌଣସି ଚାପ ନାହିଁ ତ ? ଏଥରର ଜେରା ବେଳେ ସ୍ୱତନ୍ତ୍ର ଭାବେ ସେହି ଦିଗ ଉପରେ ଗୁରୁତ୍ୱ ଦେଇଥିଲା ତଦନ୍ତକାରୀ ଟିମ୍ ।

ଏପଟେ ନ୍ୟାୟ ଅପେକ୍ଷାରେ ୯ ଦିନ ହେଲା କଲେଜ ସମ୍ମୁଖରେ ବସିଛନ୍ତି ରୁଚିକାଙ୍କ ମା। ଗୋଟିଏ ଜିଦ୍ ଝିଅ ମୃତ୍ୟୁ ପଛରେ ଦାୟୀ ମୁଖ୍ଯ ଅଭିଯୁକ୍ତ ଧରା ନପଡିବା ଯାଏଁ ସେଠୁ ଉଠିବେନି । ସେଥିପାଇଁ ମନସ୍ତତ୍ୱବିତଙ୍କ ଦ୍ୱାରା କେବଳ ଜୁନିୟର ନୁହେଁ ସିନିଅର ଏବଂ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଆଉ ଥରେ ଜେରା ଲାଗି ଦାବି କରିଛନ୍ତି ରୁଚିକାଙ୍କ ମା । ଅନ୍ୟପଟେ ଆସନ୍ତାକାଲି ହେବାକୁ ଥିବା ରୁଚିକାଙ୍କ ଦଶାହ କର୍ମକୁ କଲେଜ୍ ଫାଟକ ସାମ୍ନା ସେଇ ଧାରଣସ୍ଥଳରେ କରିବାକୁ ସେ ସୂଚନା ଦେଇଛନ୍ତି । ମନସ୍ତତ୍ୱବିତଙ୍କ ସହଯୋଗରେ ତଦନ୍ତ କେତେ ଆଗକୁ ବଢୁଛି, ଅଭିଯୁକ୍ତଙ୍କ ପାଖରେ କେବେ ପହଞ୍ଚୁଛି ପୋଲିସ୍ ଏବେ ତାକୁ ହିଁ ଅପେକ୍ଷା ।