ଭୂତ କୂଅରୁ ମିଳିଲା ମଣିଷର ଶବ
ମହାରାଷ୍ଟ୍ରର ଗୋବଣ୍ଡିରେ ଏକ ନିଛାଟିଆ ଅଞ୍ଚଳରେ ଏକ ପରିତ୍ୟକ୍ତ କୂଅ ଥାଏ। ବର୍ଷ ବର୍ଷ ଧରି ସେହି କୂଅରେ ଭୂତ ରହୁଥିବା ନେଇ ଏକ ଭୟର ବାତାବରଣ ତିଆରି କରାଯାଇଥାଏ। କୂଅ ଆଖପାଖରେ କେହି ରୁହନ୍ତି ନାହିଁ। କୂଅ ନିକଟକୁ ଛୋଟ ଛୁଆଙ୍କୁ ଯିବାକୁ ବାରଣ ଥାଏ। ୨୦୨୩ ଅକ୍ଟୋବ ୧୪ ତାରିଖ। ଘରୁ ଲୁଚି କିଛି ପିଲା ସେହି କୁଅ ନିକଟକୁ ଖେଳିବାକୁ ଯାଇଥିଲେ। କୂଅରେ ପାଣି କମ୍ ଥିବାରୁ ସମସ୍ତେ କୂଅ ଭିତରେ ପଶି ପାଣିରେ ଖେଳିବାକୁ ଓହ୍ଲାଇଥିଲେ। ହଠାତ୍ ଜଣେ ଶିଶୁର ପାଦ କୂଅରେ କିଛି ଜିନିଷରେ ଲାଗିଲା। ଦେଖିଲା ବେଳକୁ ସେଇଟା ଥିଲା ଗୋଟିଏ ମଣିଷ ଶବର ହାତ। ପୂର୍ବରୁ ଯେଉଁ ଭୂତ ଭୟ ଥିଲା ଶବର ହାତ ଦେଖି ପିଲାଙ୍କ ହୋସ୍ ଉଡ଼ିଯାଇଥିଲା। ସମସ୍ତେ ଜୀବନ ବିକଳରେ କୂଅରୁ ବାହାରି ଦୌଡ଼ିଥିଲେ। ବସ୍ତିରେ ପହଞ୍ଚିବା ପରେ ଗାଁରେ କଥା ପ୍ରଘଟ ହୋଇଯାଇଥିଲା।
ଦୁଇଟି ଶବର ଠିକଣା ଦେଲା ଖଣ୍ଡେ କାଗଜ
ବସ୍ତି ବାସିନ୍ଦା ଗୋବଣ୍ଡି ପୁଲିସକୁ ଫୋନ୍ କଲେ। ପୁଲିସ ପହଞ୍ଚିଲା। ଶବ ମିଳିଲା କୂଅ ଭିତରୁ। ଶବ ବାହାରକୁ କଢ଼ାଗଲା। ଆଖପାଖରେ ପୁଲିସ ଯାଞ୍ଚ ଆରମ୍ଭ କଲା। ଖାଲି ମଦ ବୋତଲ ମିଳିଥିଲା। କିଛି ଦୂରରେ ଏକ ଛୋଟ ବ୍ୟାଗରେ ପର୍ସ ଥିଲା। ସେଥିରେ ସେଭଳି କୌଣସି ପରିଚୟପତ୍ର ମିଳିଲା ନାହିଁ। କିନ୍ତୁ ଖଣ୍ଡେ କାଗଜ ମିଳିଲା। ଏଥିରେ ଏକ ମୋବାଇଲ୍ ନମ୍ବର ଲେଖାଥିଲା। ଉକ୍ତ ନମ୍ବରରେ ପୁଲିସ ଫୋନ୍ କଲା। ମୋବାଇଲ୍ ସୁଇଚ ଅଫ୍ ଥିବା ଜଣାପଡ଼ିଥିଲା। ଶବ ସହିତ ଏହି ନମ୍ବର କିଛି ସଂଯୋଗ ଥିବା ପୁଲିସ ସନ୍ଦେହ କରିଥିଲା। ମୋବାଇଲ୍ ନମ୍ବରର ସିଡିଆର୍(କଲ୍ ଡିଟେଲ୍ ରେକର୍ଡ) ମଗାଯାଇଥିଲା। ସିଡିଆର୍ ଆସିବା ପରେ ଶେଷ ନମ୍ବର ଠାବ ହୋଇଥିଲା। ଯେଉଁ ନମ୍ବରରୁ କାଗଜରେ ଲେଖା ଥିବା ନମ୍ବରକୁ ଫୋନ୍ କଲ୍ ଆସିଥିଲା, ପୁଲିସ ଉକ୍ତ ନମ୍ବରକୁ ଫୋନ୍ କଲା।
ଜଣେ ବ୍ୟକ୍ତି ଫୋନ୍ ଉଠାଇଥିଲେ। ଫୋନ୍ ଉଠାଇଥିବା ବ୍ୟକ୍ତି ଜଣକ ତାଙ୍କ ସାଙ୍ଗ କରଣଙ୍କୁ ଫୋନ୍ କରିଥିବା ଜଣାପଡ଼ିଥିଲା। ପୁଲିସ କରଣ ସହିତ କଥା କରାଇବାକୁ କହିଥିଲା। କିନ୍ତୁ କରଣ ମୁମ୍ବାଇରେ ଥିବା ଶଶୁର ଘରକୁ ଏକ ସପ୍ତାହ ହେବ ଯାଇଥିବା ବେଳେ ତା ମୋବାଇଲ୍ ନମ୍ବର ସୁଇଚ ଅଫ ଥିବା ବନ୍ଧୁ ଜଣକ ପୁଲିସକୁ ସୂଚନା ଦେଇଥିଲେ। ଶବର ଚେହେରା ଓ କପଡ଼ା ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟକୁ ପଠାଇଥିଲା। ତେବେ ଏହି ଶବ ହିଁ କରଣଙ୍କର ବୋଲି ସମ୍ପୃକ୍ତ ବ୍ୟକ୍ତି ଚିହ୍ନଟ କରିଥିଲେ। କରଣଙ୍କ ଘର ଉତ୍ତରପ୍ରଦେଶର ବାନ୍ଦାରେ ବୋଲି ଜଣାପଡ଼ିଥିଲା। ୧୦ ଜଣିଆ ପୁଲିସ ଟିମ୍ ଗଠନ କରାଗଲା। ପୁଲିସ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା।
ଭିନ୍ନ ସମ୍ପ୍ରଦାୟରେ ଯେବେ ବିବାହ ହୁଏ
ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲା ଚିଲ୍ଲା ଗାଁର କରଣ ରମେଶ ଚନ୍ଦ୍ର(୨୨)। ବାପା ମା ଚାଲିଗଲା ପରେ ଦୁଇ ଭାଇଙ୍କ ସହିତ ରହୁଥିଲେ। ତେବେ ଦୁଇ ଭାଇ ଦିଲ୍ଲୀରେ କାମ କରିବାକୁ ଚାଲିଯାଇଥିଲେ। କରଣ ଗାଁରେ ବ୍ୟବସାୟ କରୁଥିଲେ। ତାଙ୍କ ଘର ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରକୁ ତାଙ୍କ ସମ୍ପର୍କୀୟା ମହାରାଷ୍ଟ୍ର ଗୋବଣ୍ଡିର ଗୁଲନାଜ୍ ଖାଁ(୨୦)ନିୟମିତ ଆସୁଥିଲେ। ଗୋରା ଖାଁଙ୍କ ଝିଅ ଗୁଲନାଜ୍ ଏଭଳି ଯିବା ଆସିବା ଭିତରେ କରଣଙ୍କ ସହିତ ସମ୍ପର୍କ ହୋଇଥିଲା। ଉଭୟ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଥିଲେ। ପ୍ରେମ ସମ୍ପର୍କ ଗଢ଼ି ଉଠିବାରୁ ବିବାହ ପାଇଁ ଯୋଜନା କରିଥିଲେ। କିନ୍ତୁ ପରିବାର ରାଜି ହେଲେନି। କରଣଙ୍କ ପରିବାର ଯଦିଓ ରାଜି ହେଲେ ଗୁଲନାଜଙ୍କ ପରିବାର ଲୋକ କିନ୍ତୁ ରାଜି ହୋଇନଥିଲେ।
ଗୁଲନାଜ ଲୁଚି ଆସି ବିବାହ କରିଥିଲେ। ଉଭୟ ବାନ୍ଦାରେ ୨୦୨୨ ନଭେମ୍ବରରେ ମଧ୍ୟପ୍ରଦେଶରେ ଏକ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ଏହି ନବ ଦମ୍ପତ୍ତି ଦିଲ୍ଲୀରେ ରହୁଥିବା କରଣଙ୍କ ଭାଇଙ୍କ ନିକଟକୁ କିଛି ମାସ ପାଇଁ ଯାଇଥିଲେ। ସେଠାରେ ରହିବା ପରେ ପୁଣି ଗାଁକୁ ଫେରିଆସିଥିଲେ। ଗୁଲାନଜ ତାଙ୍କ ମାଙ୍କୁ ଫୋନ୍ କରି ମନାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହୋଇନଥିଲା। ପରବର୍ତ୍ତି ସମୟରେ ଉଭୟ ଦମ୍ପତ୍ତି ଖୁସିରେ ସଂସାର କରିଥିଲେ। ୨୦୨୩ ମସିହାର କଥା। ଦିନେ ଗୁଲନାଜଙ୍କ ବାପା ଗୋରା ତାଙ୍କୁ ଫୋନ୍ କରିଥିଲେ। ଘରକୁ ସ୍ବାମୀଙ୍କ ସହିତ ଆସିବାକୁ କହିଥିଲେ। ଏହି କଥା ଶୁଣି ଉଭୟ ଦମ୍ପତ୍ତି ଖୁସି ହୋଇଯାଇଥିଲେ।
ଶଶୁର ଘରୁ ଯିବାର ସେଇଟା ପ୍ରଥମ ଓ ଶେଷ
୨୦୨୩ ଅକ୍ଟୋବର ୧୧ରେ ଏହି ନବ ଦମ୍ପତ୍ତି ଉତ୍ତରପ୍ରଦେଶରୁ ଟ୍ରେନ ଯୋଗେ ମୁମ୍ବାଇ ଶଶୁର ଘରକୁ ଗଲେ। ଶଶୁର ଘରେ ଅକ୍ଟୋବର ୧୩ରେ ପହଞ୍ଚିବା ପରେ ଗୁଲନାଜଙ୍କ ତିନି ଭାଇ(ଦୁଇ ନାବାଳକ ବି ଥିଲେ) ଓ ବାପା କରଣଙ୍କୁ ଗାଡ଼ିରେ ବସାଇ ମହାରାଷ୍ଟ୍ରର ଗୋବଣ୍ଡି ଅଞ୍ଚଳକୁ ଆଣିଥିଲେ। ରାତି ସମୟ। ଗୋବଣ୍ଡି ଅଞ୍ଚଳର ସେଇ ଭୂତ କୂଅ ନିକଟରେ ସମସ୍ତେ ମିଳିମିଶି କରଣଙ୍କ ତଣ୍ଟି କାଟିବା ସହିତ ଛୁରି ଭୁଷି ମାରିଦେଲେ। ପ୍ରମାଣ ନଷ୍ଟ କରିବାକୁ ଭୂତ କୂଅରେ ଶବ ଫିଙ୍ଗିଦେଇଥିଲେ। ତାଙ୍କ ପର୍ସରୁ ସମସ୍ତ ପରିଚୟ ପତ୍ର ନେଇଯାଇଥିଲେ। କିନ୍ତୁ ଖଣ୍ଡେ କାଗଜ ଛାଡ଼ି ଦେଇଯାଇଥିଲେ। ସେହି କାଗଜରେ କରଣଙ୍କ ମୋବାଇଲ୍ ନମ୍ବର ଥିଲା। ପରବର୍ତ୍ତି ସମୟରେ ସେହି କାଗଜ ହିଁ ତମାମ ଘଟଣାରୁ ପରଦା ହଟାଇଥିଲା। ଅନ୍ୟପଟେ ସେଦିନ ରାତିରେ ସମସ୍ତେ ଘରକୁ ଫେରିଥିଲେ। ସ୍ବାମୀ କରଣ ଫେରିନଥିବା ସଂକ୍ରାନ୍ତରେ ଗୁଲନାଜ୍ ଜାଣିବାକୁ ପାଇଥିଲେ। ଗୁଲନାଜଙ୍କୁ ବି ସେମାନେ ବାହାରକୁ ଡାକି ଆଣିଥିଲେ। ରାସ୍ତାରେ ଗୁଲନାଜଙ୍କୁ ବି ମାରିନେଇଥିଲେ।
ମାରିବା ପରେ ମୁହଁକୁ ପଥରରେ ଛେଚି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ। ନଭି ମୁମ୍ବାଇରେ ଏକ ଶୁନଶାନ ସ୍ଥାନରେ ଗୁଲନାଜଙ୍କ ଶବ ଫିଙ୍ଗିଦେଇଥିଲେ। ୨୦୨୩ ଅକ୍ଟୋବର ୧୬ରେ ଗୁଲନାଜଙ୍କ ଶବ ମହାରାଷ୍ଟ୍ର ପୁଲିସ ଉଦ୍ଧାର କରିଥିଲା। ପୂର୍ବରୁ ଗୋବଣ୍ଡିର ଭୂତ କୂଅରୁ କରଣଙ୍କ ଶବ ମିଳିଥିବା ବେଳେ ପରବର୍ତ୍ତି ସମୟରେ ଗୁଲନାଜଙ୍କ ଶବ ମିଳିଥିଲା। ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ବିବାହ କରିଥିବାରୁ ଅନର କିଲିଂ କରାଯାଇଥିଲା। ଏହି ମାମଲାରେ ପୁଲିସ ଗୁଲନାଜଙ୍କ ବାପା ଓ ଭାଇଙ୍କୁ ଗିରଫ କରିଥିଲା। ନିକଟରେ ଏହି ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିଛି। ମାମଲାର ବିଚାର ପ୍ରକ୍ରିୟା ଏବେ କୋର୍ଟରେ ଆରମ୍ଭ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738399241.jpg)