Suicide Pod'
ଆଜିକାଲି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ସମସ୍ୟାର ସମାଧାନ ନଖୋଜି ଲୋକ ଆତ୍ମହତ୍ୟାକୁ ଶେଷ ପନ୍ଥା ରୂପେ ବାଛି ନେଉଛନ୍ତି। ବିଭିନ୍ନ ଉପାୟରେ ମଧ୍ୟ ଆତ୍ମହତ୍ୟା କରୁଛନ୍ତି। ହେଲେ ଏଥିପାଇଁ ଏକ ମେସିନ୍ ବି ପ୍ରସ୍ତୁତ ହୋଇଛି। ଆପଣ ପୂର୍ବରୁ କଣ ଏହି ମେସିନ୍ ନାଁ ଶୁଣିଛନ୍ତି କି ? ଏହା ବିନା କଷ୍ଟରେ ଜୀବନ ନେଇଯାଏ। ମାତ୍ର ଏହା ବେଆଇନ୍। ହେଲେ ଏହି ମେସିନ୍ ବା ସୁଇସାଇଡ୍ ପଡ୍ ବ୍ୟବହାର କରି ଜଣେ ମହିଳା ଜୀବନ ହାରିଛନ୍ତି। ଯାହାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଛି।
୬୪ବର୍ଷୀୟ ଜଣେ ଆମେରିକୀୟ ମହିଳା ସୁଇଜରଲ୍ୟାଣ୍ଡରେ ଆତ୍ମହତ୍ୟା ମେସିନ୍ ବା ସୁଇସାଇଡ୍ ପଡ୍ରେ ଆତ୍ମହତ୍ୟା କରିଛନ୍ତି। ଏପରି ଯନ୍ତ୍ର ବ୍ୟବହାର କରି ଜୀବନ ହାରିବାରେ ସେ ପ୍ରଥମ ବ୍ୟକ୍ତି। ତେବେ ଆତ୍ମହତ୍ୟାରେ ସାହାଯ୍ୟ, ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନେଇ ତଦନ୍ତ ଆରମ୍ଭ ହୋଇଛି। ଏହି ସୁଇସାଇଡ୍ କ୍ୟାପସୁଲ ପୂର୍ବରୁ କେବେ ବ୍ୟବହାର କରାଯାଇ ନଥିଲା । ଖବର ଅନୁଯାୟୀ ସୋମବାର ପ୍ରଥମ ଥର ପାଇଁ ଏହି ଏହାକୁ ବ୍ୟବହାର କରାଯାଇଛି।
ସୂଚନା ଅନୁସାରେ, ସୋମବାର ଦିନ ଜଣେ ଆମେରିକୀୟ ମହିଳାଙ୍କ ଆତ୍ମହତ୍ୟା ନେଇ ଖବର ମିଳିଥିଲା। ସ୍ୱିସ୍-ଜର୍ମାନ ସୀମା ନିକଟରେ ଥିବା ମେରିଚାଉସେନ୍ ଜଙ୍ଗଲ ନିକଟରେ ଏହି ପଡ୍ ବ୍ୟବହାର କରି ସେ ଆତ୍ମହତ୍ୟା କରିଥିଲେ। ଏନେଇ ଏକ ଆଇନ ସଂସ୍ଥା ପୋଲିସକୁ ସୂଚନା ଦେଇଥିଲା। ତୁରନ୍ତ ପୋଲିସ ସେହି ସ୍ଥାନରେ ପହଞ୍ଚିଥିଲା ମାତ୍ର ସେତେବେଳକୁ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା।
ସୁଇସାଇଡ୍ ପଡ୍ କ’ଣ ?
ସୁଇସାଇଡ୍ ପଡ୍ ହେଉଛି ଏକ 3D- ପ୍ରିଣ୍ଟେଡ୍ କ୍ୟାପସୁଲ୍ ଯାହାକି ବିନା ଯନ୍ତ୍ରଣାରେ ମୃତ୍ୟୁ ପ୍ରଦାନ କରିଥାଏ। ଏହାର ଉଦ୍ଭାବକ ହେଉଛନ୍ତି ନୀତଶେଚ। ଏହା ନାଇଟ୍ରୋଜେନ୍ ହାଇପୋକ୍ସିଆରେ ମୃତ୍ୟୁ ଦେଇଥାଏ। ଏହି ପଦ୍ଧତିରେ ଅମ୍ଳଜାନ ନାଇଟ୍ରୋଜେନରେ ପରିବର୍ତ୍ତିତ ହୋଇଯାଏ। ଯାହାଦ୍ୱାରା ଏଥିରେ ଥିବା ବ୍ୟକ୍ତି ଶୋଇପଡେ ଓ କିଛି ମିନିଟ ମଧ୍ୟରେ ତା’ର ମୃତ୍ୟୁ ହୋଇଯାଏ। ଇଚ୍ଛାମୃତ୍ୟୁର ବିପରୀତ ଭାବରେ ଏହି ପଡ୍ ବ୍ୟକ୍ତିଙ୍କୁ ଡାକ୍ତରଙ୍କ ସାହାଯ୍ୟ ବିନା ନିଜ ଇଚ୍ଛାରେ ଆତ୍ମହତ୍ୟା କରିବାରେ ସାହାଯ୍ୟ କରେ। ତେବେ ଏହା ଏକ ବିବାଦୀୟ ଆତ୍ମହତ୍ୟା ପଡ୍, ଯେଉଁଥିରେ ଜଣେ ବ୍ୟକ୍ତି ଏହା ଭିତରକୁ ଯାଇ ବଟନ୍ ଦବାଇବା ମାତ୍ରେ ତାର ମୃତ୍ୟୁ ଘଟେ।
୧୯୪୨ ମସିହା ପରଠାରୁ ସ୍ୱିଜରଲ୍ୟାଣ୍ଡରେ ଇଚ୍ଛାମୃତ୍ୟୁକୁ ଅନୁମତି ମିଳିଛି। ମାତ୍ର କେବଳ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏହାକୁ ଅନୁମତି ଦିଆଯାଏ। ଏହି ସୁଇସାଇଡ୍ ପଡ୍ଗୁଡିକ ନିୟମ ଉଲ୍ଲଂଘନ କରୁଛନ୍ତି। କାରଣ ଏହାକୁ ଡାକ୍ତରଙ୍କ ପରାମର୍ଶ ବିନା ବ୍ୟବହାର କରିବା ସହ ଏହା ଆତ୍ମହତ୍ୟାକୁ ପ୍ରୋତ୍ସାହିତ ମଧ୍ୟ କରୁଛି। ସ୍ୱିଜରଲ୍ୟାଣ୍ଡର ଆଭ୍ୟନ୍ତରୀଣ ମନ୍ତ୍ରୀ ଏଲିଜାବେଥ ବାମ-ଶ୍ରାଇଡର କହିଛନ୍ତି ଯେ ଏହି ଯନ୍ତ୍ର ସୁରକ୍ଷା ଆଇନର ଆବଶ୍ୟକତାକୁ ପୂରଣ କରୁନି ଏବଂ କେମିକାଲ୍ସ ଆକ୍ଟ ଅନୁଯାୟୀ ଏହା ଏକ ଚିନ୍ତାର ବିଷୟ। ତେବେ ଏହା ମୃତ୍ୟୁକୁ ସରଳ କରିବାର ଏକ ପ୍ରୟାସ ବୋଲି କୁହାଯାଇପାରେ। ଏହା ସତ୍ତ୍ୱେ ସମାଜରେ ଆତ୍ମହତ୍ୟା ଏବଂ ମାନସିକ ସ୍ୱାସ୍ଥ୍ୟର ଧାରଣା ଉପରେ ଏହିପରି ଟେକ୍ନୋଲୋଜିର ପ୍ରଭାବ କ’ଣ ରହିବ, ସେ ନେଇ ଆଲୋଚନା ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727250414.jpg)