ଗୁଗଲରୁ ଶିଖିଥିଲା ରକ୍ତ ସଫା କରିବାର ଉପାୟ . . .ତା’ପରେ ଗର୍ଲଫ୍ରେଣ୍ଡକୁ ୩୫ ଖଣ୍ଡ କଲା ଅଫତାବ୍

କେମିକାଲରେ ରକ୍ତଭିଜା ଚଟାଣର ଦାଗ ସଫା କରିଥିଲା ଅଭିଯୁକ୍ତ

ଗୁଗଲକୁ ଗୁରୁ କରିଥିଲା ଅଫତାବ

ବର୍ବର ହତ୍ୟାକାଣ୍ଡ ପୂର୍ବରୁ ଗୁଗଲ ସାଜିଥିଲା ଗୁରୁ । ମାନବ ଶରୀରର ସଂରକ୍ଷଣ ଓ ହତ୍ୟା ପରେ ରକ୍ତ ସଫା କରିବାର ସବୁ ଉପାୟ ପାଇଁ ଗୁଗଲ ସର୍ଚ କରିଥିଲା ଅଭିଯୁକ୍ତ ଅଫତାବ୍‌ । ଆଉ ତା’ପରେ ଯୋଜନାବନ୍ଧ ଭାବରେ ପ୍ରେମିକାକୁ ତଣ୍ଟି ଚିପି ହତ୍ୟା କରିବା ପରେ ଚାପଡ଼ରେ ଶରୀରକୁ ୩୫ ଖଣ୍ଡ କରିଦେଇଥିଲା । ଆଉ ପ୍ରମାଣ ଲୁଚାଇବାକୁ ରଚିଥିଲା ସାଂଘାତିକ ଷଡ଼ଯନ୍ତ୍ର । ଏବେ ଏହି ନୃଶଂସ ପ୍ରେମିକକୁ ଗିରଫ କରି ମର୍ଡର ମିଷ୍ଟ୍ରିର ରେଡ୍ ପ୍ଲାନ ଖୁଲାସା କରିଛି ପୋଲିସ ।

ଅଧିକ ପଢ଼ନ୍ତୁ: ଫ୍ରିଜ୍‌ରେ ପୁରୁଣା ପ୍ରେମିକାର ଶବ, ରୁମରେ ନୂଆ ପ୍ରେମିକା ! ଅଫତାବ କହିଲା.. Yes I Killed Her

୨୦୨୨, ମେ ୧୮ ତାରିଖରେ ପ୍ରେମିକାକୁ ମାରିଥିଲା ଅଭିଯୁକ୍ତ । ପୋଲିସ୍‌ ସୂଚନା ଅନୁସାରେ, ଅଫତାବ୍‌ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ମୃତଦେହ ଫୋପାଡ଼ିବା ପାଇଁ ଯୋଜନା ଆରମ୍ଭ କରିଥିଲା । ସେ ଶରୀରକୁ ଖଣ୍ଡ ଖଣ୍ଡ କାଟିବାକୁ ଶରୀର ସଂରଚନା ବିଷୟରେ ଗୁଗଲ ପଢ଼ିଥିବା ପୋଲିସକୁ କହିଥିଲା ।

୬ ମାସର ସସପେନ୍ସ ଖୋଲିଲା

ପ୍ରେମିକ ନାଁ ହେଉଛି ଅଫତାବ୍ ଅମିନ ପୁନାଓ୍ୱାଲା । ଆଉ ପ୍ରେମିକା ହେଉଛନ୍ତି ଶ୍ରଦ୍ଧା । ସେମାନଙ୍କ କପୁଲ ଫଟୋ ଦେଖିଲେ ଆପଣ ବି ଅନୁମାନ କରିପାରିବେ ସେମାନଙ୍କ ସଂପର୍କ କେତେ ନିବିଡ଼ । ହେଲେ ଦୁଃଖର ବିଷୟ ଯେଉଁ ପ୍ରେମିକ ସହ ସାତଜନ୍ମର ସାଥୀ ହେବାର ସ୍ୱପ୍ନ ଦେଖୁଥିଲା ଶ୍ରଦ୍ଧା , ତାହାରି ହାତରେ ହିଁ ୩୫ ଖଣ୍ଡ ହୋଇଗଲା । ଆଉ ୧୮ ଦିନ ଧରି କଟା ଶରୀରକୁ ରଖିବା ସହ ୧୮ଟି ସ୍ଥାନରେ ଫିଙ୍ଗିଥିଲା ପିଶାଚ ପ୍ରେମିକ , ଯାହାର କେହି ଟେର୍ ବି ପାଇନଥିଲେ । ହେଲେ ୬ ମାସର ସସପେନ୍ସ ପରେ ଏବେ ସାମ୍ନାକୁ ଆସିଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ସତ ।

ମୃତଦେହ ରଖିବାକୁ ୩ଶହ ଲିଟର ଫ୍ରିଜ

ପ୍ରେମିକାକୁ ହତ୍ୟା କରିବା ପରେ ତୁରନ୍ତ ବାହାରେ ଫୋପାଡ଼ିବା ଅଭିଯୁକ୍ତ ପକ୍ଷରେ ସମ୍ଭବ ନଥିଲା । ସେଥିପାଇଁ କଟା ମୃତଦେହକୁ ଅଫତାବ୍‌ ୩ଶହ ଲିଟର ଫ୍ରିଜରେ ରଖିଥିଲା। ୧୮ ଦିନ ଧରି ସେହି ଫ୍ରିଜରୁ ମୃତଦେହର ଖଣ୍ଡ ସବୁକୁ ନେଇ ଦିଲ୍ଲୀର ୧୮ଟି ସ୍ଥାନରେ ଚତୁରତାର ସହ ଫିଙ୍ଗିଚାଲିଥିଲା । ତାପୁଣି ରାତି ପ୍ରାୟ ୨ଟାରେ ଫିଙ୍ଗୁଥିଲା ଶରୀରର କଟା ଅଂଶ । ତଥାପି ଲୁଚି ରହିଲାନି ଏହି ଅପରାଧ ।

କେମିକାଲରେ ରକ୍ତଭିଜା ଚଟାଣର ଦାଗ ସଫା କରିଥିଲା ଅଭିଯୁକ୍ତ

ଗୁଗଲରେ ସର୍ଚ୍ଚ କରିବା ପରେ ଅଫତାବ କିଛି ରାସାୟନିକ ପଦାର୍ଥ ସାହାଯ୍ୟରେ ଚଟାଣରୁ ରକ୍ତ ଦାଗ ସଫା କରିବା ସହ ଦାଗଯୁକ୍ତ ପୋଷାକକୁ ନଷ୍ଟ କରିଥିଲା । ଆଉ ମୃତଦେହକୁ ବାଥରୁମକୁ ସ୍ଥାନାନ୍ତର କରି ନିକଟସ୍ଥ ଏକ ଦୋକାନରୁ ଫ୍ରିଜ କିଣି ସେଥିରେ ରଖିଥିଲା ଅଭିଯୁକ୍ତ ।

ସୂଚନାଯୋଗ୍ୟ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା ଗତ ମେ ମାସରେ । ଏ ଭିତରେ ବିତିଲାଣି ପ୍ରାୟ ୬ ମାସ । ପୋଲିସ ଆଗରେ ନିଜ ଅପରାଧକୁ ନିଜ ମୁହଁରେ ହତ୍ୟାକାରୀ ଅଫତାବ ସ୍ୱୀକାର କରିଛି ।