• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ମାତିଛନ୍ତି ସାଇବର ଫ୍ରଡ୍ । ଖୋଦ୍ କ୍ରାଇମବ୍ରାଂଚ୍ ଏଡିଜିଙ୍କ ଠାରୁ ଠକେଇ ଉଦ୍ୟମ କରିଛନ୍ତି ସାଇବର ଠକ । ଆଉ ଏହି କାରନାମା କରିଛି ଓକାକ ସାଇବର ଫ୍ରଡରେ ଧରାପଡ଼ି ନଥିବା ଆଉ ଜଣେ ଅଭିଯୁକ୍ତ । ଏଡିଜିଙ୍କୁ ହ୍ୱାଟସଆପ୍ ମେସେଜରେ ଦୁଇଟି ଆକାଉଣ୍ଟ ନମ୍ବର ପଠାଇ ସାଇବର ଠକ ମାଗିଛି ୯୮ ହଜାର ଟଙ୍କା ।

ଓକାକ୍ ସିଓଇ ସାଇବର ଫ୍ରଡ୍ ମାମଲାର ତଦନ୍ତ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଫେରାର ନାଇଜେରୀୟ ଅଭିଯୁକ୍ତର କାରନାମା । ନିକଟ ସମ୍ପର୍କୀୟ ଭାବେ ପରିଚୟ ଦେଇ ଖୋଦ୍ କ୍ରାଇମବ୍ରାଂଚ୍ ଏଡିଜିଙ୍କୁ ମାଗିଛି ଟଙ୍କା । ଗତ ୯ ତାରିଖରେ ହ୍ୱାଟସଆପରେ ମେସେଜ୍ କରିବା ସହ ଦେଇଛି ଦୁଇ ଦୁଇଟି ଆକାଉଂଟ୍ ନମ୍ବର ଦେଇଛି । କ୍ରାଇମବ୍ରାଂଚ୍ ଏଡିଜିଙ୍କୁ ଠକ ପଠାଇଥିବା ସେହି ହ୍ୱାଟସଆପ ମେସେଜ୍ ପ୍ରଥମେ ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ନାଁରେ ଥିବା ଆକାଉଂଟ୍ ନମ୍ବର ପଠାଇଥିଲା । ତେବେ ଟଂକା ଟ୍ରାନ୍ସଫର ହୋଇପାରୁନଥିବା ରିପ୍ଲାଏ ଯିବା ପରେ ଠକ ପଠାଇଥିଲା ଆଉ ଏକ ଆକାଉଂଟ୍ ନମ୍ବର୍ । ଆଉ ସେହି ଆକାଉଣ୍ଟ ନମ୍ବର ଥିଲା ତ୍ରିପୁରାର ।

ନାଇଜେରିଆର ଏହି ଠକ ଉପରେ ସନ୍ଦେହ ବଢିବା ପରେ ଦୁଇଟି ଆକାଉଣ୍ଟକୁ ବ୍ଲକ୍ କରାଯାଇଛି । ଆକାଉଣ୍ଟ ବାବଦରେ ସବିଶେଷ ତଥ୍ୟ ଯାଂଚ କରୁଛି କ୍ରାଇମବ୍ରାଂଚ୍ । ଫୋନ୍ ନମ୍ବର, ଇମେଲ୍ ଆଇଡି ଏବଂ ଏଟିଏମ୍ ଟ୍ରାଞ୍ଜାକସନର ତଥ୍ୟ କଢାଯାଉଛି । ଓକାକ୍ ସିଇଓଙ୍କ ହ୍ୱାଟସଆପ ନମ୍ବର ହ୍ୟାକ୍ ହେବା ପରେ ତାଙ୍କର ନିକଟତମ ସମ୍ପର୍କୀୟଙ୍କ ପାଖରୁ କ୍ରାଇମବ୍ରାଂଚ୍ ଏଡିଜିଙ୍କୁ ମେସେଜ୍ ଆସିଥିବା ସନ୍ଦେହ କରାଯାଉଛି । ତେବେ ପ୍ରଶ୍ନ ଉଠୁଛି, ଠକ ଜଣକ ପଠାଇଥିବା ଦୁଇଟି ଆକାଉଂଟ୍ ହୋଲଡର ଏହି ନାଇଜେରୀୟ ଗ୍ୟାଙ୍ଗର ସଦସ୍ୟ କି ? ନା ସେମାନଙ୍କ ଅଜାଣତରେ ଜାଲ୍ ଆକାଉଣ୍ଟ କରି ଅପରେଟ୍ କରୁଥିଲେ ସାଇବର ଠକ ?

ନଭେମ୍ବର ୧୭ରେ ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସଆପ ହାକିଂ କରାଯାଇଥିଲା । ଏହାର ଖୋଳତାଡ କରୁ କରୁ କ୍ରାଇମବ୍ରାଂଚ ହାତରେ ଲାଗିଥିଲା ନାଇଜେରିଆ ଲିଙ୍କ୍ । ଦିଲ୍ଲୀ ପୋଲିସ ଗିରଫ କରିଥିବା ନାଇଜେରିୟ ଯୁବକ ମୋରିସଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଂଚ୍ ।

ସାମ୍ନାକୁ ଆସିଥିଲା ଆଉ ଜଣେ ଅଭିଯୁକ୍ତ ନାଇଜେରୀୟ ଯୁବକ ପାସ୍କେଲ । ଦିଲ୍ଲୀ ପୋଲିସ ତାକୁ ବାଙ୍ଗାଲୋରରୁ ଗିରଫ କରିଥିଲା । ଉଭୟ ମୋରିସ ଓ ପାସ୍କେଲ ଦିଲ୍ଲୀ ପୋଲିସର ଏକ ସାଇବର ଫ୍ରଡରେ ୱାଣ୍ଟେଡ୍ ଥିଲେ । ଏମାନଙ୍କୁ ଜେରା ବେଳେ ଓକାକ୍ ସିଇଓ ସାଇବର ଫ୍ରଡ୍ ଘଟଣାରେ ଆଉ ଜଣେ ସମ୍ପୃକ୍ତ ଥିବା ଜଣାପଡିଥିଲା । ସେ ଏବେବି ଫେରାର ଥିବା ବେଳେ ବାଙ୍ଗାଲୋରରେ ରହି ଚଳାଇଛି ସାଇବର ଫ୍ରଡ୍ ଅପରେସନ୍ ଏବଂ ସେ ହିଁ ଏଡିଜିଙ୍କ ପାଖକୁ ଟଙ୍କା ପାଇଁ ମେସେଜ୍ ପଠାଇଥିବା କୁହଯାଉଛି ।