Vistara ଫ୍ଲାଇଟରେ ବୋବାଲ୍ : ବିମାନ ଭିତରେ ପୋଷାକ ଖୋଲି କ୍ୟାବିନ୍‌ କ୍ରୁ ସହ ମାରପିଟ୍‌ କଲେ ମହିଳା

ନୂଆଁ ନୁହେଁ ଏହି ଘଟଣା । କିଛି ଦିନ ଭିତରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ।

Vistara Passenger Arrested

ବିମାନ ଭିତରେ ହଙ୍ଗାମା ଘଟଣା ଥମିବାରେ ନା ନେଉନି । ଏବେ Vistara ଫ୍ଲାଇଟ ଭିତରେ ହଙ୍ଗାମା କରିଛନ୍ତି ଜଣେ ମହିଳା ଯାତ୍ରୀ । ଆବୁଧାବିରୁ ମୁମ୍ବାଇ ଅଭିମୁଖେ ଆସୁଥିବା Vistara ବିମାନରେ ଜଣେ ମହିଳା ଯାତ୍ରୀ କ୍ୟାବିନ୍ କ୍ରୁଙ୍କ ସହିତ ମାରପିଟ୍‌ କରିଛନ୍ତି । କେବଳ ଏତିକି ନୁହେଁ ସେ ଫ୍ଲାଇଟ୍‌ ଭିତରେ ସଭିଙ୍କ ସାମ୍ନାରେ ପୋଷାକ ଉତାରି ଦେବା ସହ କ୍ୟାବିନ୍‌ କ୍ରୁଙ୍କ ଉପରକୁ ଛେପ ପକାଇଛନ୍ତି । ଏହି ଘଟଣା ପରେ ଜଣେ ଇଟାଲୀୟ ମହିଳାଙ୍କୁ ଗିରଫ କରିଛି ପୋଲିସ ।

ଇଟାଲିର ମହିଳା ଯାତ୍ରୀ ପାଓଲା ପେରୁସିଓ (Paola Perruccio) ଇକୋନୋମିକ୍‌ କ୍ଲାସର ଟିକେଟ୍‌ ଦେଖାଇ ବିଜିନେସ୍‌ କ୍ଲାସରେ ବସିବାକୁ ଜିଦ୍‌ କରିଥିଲେ । ହେଲେ ନିୟମ ନଥିବାରୁ କ୍ୟାବିନ୍‌ କ୍ରୁ ଏଥିରେ ରାଜି ହୋଇନଥିଲେ । ଆଉ ଏତିକିରେ ମହିଳା ଯାତ୍ରୀ ଉଦଣ୍ଡୀ ସୀତା ପରି ବ୍ୟବହାର କରିଥିଲେ । ସେ ବିମାନ କର୍ମଚାରୀଙ୍କ ସହ ଖରାପ ବ୍ୟବହାର କରିବା ସହ କ୍ୟାବିନ୍‌ କ୍ରୁଙ୍କୁ ମାରପିଟ୍‌ କରିଥିଲେ । ଖାଲି ସେତିକି ନୁହେଁ ନିଜର ପୋଷାକ ଖୋଲି ବିମାନ ଭିତରେ ବୁଲିଲେ । ସେ ବିମାନ ଭିତରେ ଏତେ ଉତ୍ପାତ କରିଥିଲେ ଯେ ଲ୍ୟାଣ୍ଡ କରିବା ଯାଏଁ ମହିଳାଙ୍କୁ ଏକ ସିଟ୍‌ରେ ବାନ୍ଧି ରଖିଥିଲେ କ୍ୟାବିନ୍ କ୍ରୁ ।

ଅଧିକ ପଢ଼ନ୍ତୁ: ପୁଣି ବିମାନ ଭିତରେ କ୍ରୁ ମେମ୍ବରଙ୍କୁ ଦୁର୍ବ୍ୟବହାର, ଯାତ୍ରୀଙ୍କୁ ବାନ୍ଧିଲା ପୋଲିସ୍

ଆଉ ତା’ପରେ ମୁମ୍ବାଇ ବିମାନ ବନ୍ଦରରେ ବିମାନ ଲ୍ୟାଣ୍ଡ କରବା ପରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ କରିବା ପୂର୍ବରୁ ମହିଳା ଯାତ୍ରୀଙ୍କର ସମସ୍ତ ପ୍ରକାର ଟେଷ୍ଟ କରାଯାଇଥିଲା । ଏବେ ମହିଳା ଯାତ୍ରୀଙ୍କୁ ନୋଟିସ୍‌ ଦିଆଯାଇଛି ।

ତେବେ ଏହି ଘଟଣା ନୂଆ ନୁହେଁ, କିଛି ଦିନ ଭିତରେ ଏପରି ଅନେକ ଘଟଣା ଦେଖିବାକୁ ମିଳୁଛି । କେବେ ଯାତ୍ରୀ ଏୟାର ହୋଷ୍ଟେସ୍‌ ସହ ଅଭଦ୍ର ଆଚରଣ କଲେଣି ତ ପୁଣି କେତେବେଳେ କିଏ ପୋଷାକ ଓହ୍ଲାଇ ବିମାନରେ ବୁଲିଲାଣି । ଏହି ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।