Advertisment

Corruption Scandal: ଭୁବନେଶ୍ବର RWD ମୁଖ୍ୟଯନ୍ତ୍ରୀଙ୍କ ଘରେ ରେଡ୍, ମିଳିଲା ଅଢ଼େଇ କୋଟିରୁ ଅଧିକ ନଗଦ ଟଙ୍କା

ଘର ଭିତରେ ଟଙ୍କାର ପାହାଡ଼, ଝରକା ବାଟେ କ୍ୟାସ୍ ବର୍ଷା, ଆଉ ପଡ଼ୋଶୀଙ୍କ ଘର ଆଜବେଷ୍ଟସ ଉପରେ ଗଦା ଗଦା ନୋଟ୍ ବିଡ଼ା । ଖାଲି ୫ ଶହ ଟଙ୍କିଆ ନୋଟର ପରିମାଣ ଏତେ ଯେ ଗଣି ଗଣି ହାଲିଆ ଭିଜିଲାନ୍ସ କର୍ମଚାରୀ ।

ଝରକା ଦେଇ ଟଙ୍କା ବର୍ଷା

ଝରକା ଦେଇ ଟଙ୍କା ବର୍ଷା

Advertisment

ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଟଙ୍କାର ପାହାଡ଼ । ଚାକିରି କାଳରେ କମାଇଛନ୍ତି ଆଖି ତରାଟିବା ଭଳି ସମ୍ପତ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରୁ ଭିଜିଲାନ୍ସ ଠାବ କରିଛି ଅଢେଇ କୋଟିରୁ ଅଧକ ନଗଦ କ୍ୟାସ ସହ ଅଚଳାଚଳ ସମ୍ପତ୍ତିର ସୂଚନା । ଆଉ ରିଟାୟାର୍ଡ ପୂର୍ବରୁ ରିଟାୟାର୍ଡ ହଟ୍ ହୋଇଛନ୍ତି ବୈକୁଣ୍ଠ । ମାନେ ଆସନ୍ତାକାଲି ଚାକିରିରୁ ଅବସର ନେଇଥାନ୍ତେ, ତା ପୂର୍ବରୁ ଆଜି ତାଙ୍କ ଦୁର୍ନୀତିଖୋର ଚେହେରାର ମୁଖା ଖୋଲିଛି ଭିଜିଲାନ୍ସ ।

Advertisment

ଘର ଭିତରେ ଟଙ୍କାର ପାହାଡ଼, ଝରକା ବାଟେ କ୍ୟାସ୍ ବର୍ଷା, ଆଉ ପଡ଼ୋଶୀଙ୍କ ଘର ଆଜବେଷ୍ଟସ ଉପରେ ଗଦା ଗଦା ନୋଟ୍ ବିଡ଼ା । ଖାଲି ୫ ଶହ ଟଙ୍କିଆ ନୋଟର ପରିମାଣ ଏତେ ଯେ ଗଣି ଗଣି ହାଲିଆ ଭିଜିଲାନ୍ସ କର୍ମଚାରୀ । ଓଡ଼ିଶା ଭିଜିଲାନ୍ସ ରେଡ୍ ଇତିହାସରେ ଆଉ ଏକ ବଡ଼ ଧରଣର ରେଡ୍ କରି ଭିଜିଲାନ୍ସ ପାଇଛି ଆୟ ବହିର୍ଭୁତ ସମ୍ପତ୍ତିର ଅସରନ୍ତି ଠିକଣା । ଆସନ୍ତାକାଲି ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ, ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ଲାନ୍ ରୋଡ୍ସ ଡିଭିଜନର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ହେଲେ ତା ପୂର୍ବରୁ ଆଜି ଭୋରରୁ ଛାପା ମାରିଥିବା ଭିଜିଲାନ୍ସ ଟିମ୍ ଠାବ କରିଛି ବୈକୁଣ୍ଠଙ୍କ କଳା ଧନର କୁବେରପୁରୀ ।

ଭୁବନେଶ୍ବର ଡୁମୁଡୁମା ଫ୍ଲାଟ୍ ଓ ଅନୁଗୁଳର କରଡାଗାଡ଼ିଆ ବାସଭବନ ସମେତ ୭ଟି ସ୍ଥାନରେ ଏକ ସମୟରେ ହୋଇଥିଲା ଚଢାଉ । ରେଡ୍ ବେଳେ ଭୁବନେଶ୍ବରରୁ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଲା, ତାକୁ ଦେଖି ତାଜୁବ୍ ଭିଜିଲାନ୍ସ ଟିମ୍ । ଡୁମଡୁମାର ବ୍ୟୟବହୁଳ PDN EXOTICA ଫ୍ଲାଟ୍ ଭିତରେ ଟଙ୍କାର ପାହାଡ଼ ତିଆରି କରିଥିଲେ ବୈକୁଣ୍ଠ । ଆଉ ଭିଜିଲାନ୍ସ ଟିମ୍ ଘର ଭିତରେ ପଶିବା ପରେ ଗୋଟିଏ ରୁମର ଝରକା ବାଟେ ପଡ଼ୋଶୀଙ୍କ ଆଜବେଷ୍ଟସ୍ ଛାତ ଉପରକୁ ଫିଙ୍ଗି ଦେଇଥିଲେ ପୁଳା ପୁଳା ନୋଟ୍ ବିଡ଼ା । ଯାହାର ପରିମାଣ ପ୍ରାୟ ୩୭ ଲକ୍ଷ । ସେପଟେ ଅନୁଗୁଳ କରଡ଼ାଗାଡ଼ିଆ ଘରେ ମଧ୍ୟ ଆଉ ଏକ ମିନି ରିଜର୍ଭ ବ୍ୟାଙ୍କ୍ ରଖିଥିଲେ ବୈକୁଣ୍ଠ । ସେଠାରେ ବି ଟଙ୍କା ଗଣି ଗଣି ଭିଜିଲାନ୍ସ କର୍ମଚାରୀ ନାକେଦମ୍ ହେବାରୁ ଦରକାର ପଡ଼ିଥିଲା ଟଙ୍କା ଗଣିବା ମେସିନ୍ ।

Advertisment

ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ବୈକୁଣ୍ଠଙ୍କ ଭୁବନେଶ୍ବର ଓ ଅନୁଗୁଳ ଘରୁ ମିଳିଛି ୨ କୋଟି ୫୦ ଲକ୍ଷର ନଗଦ କ୍ୟାସ୍ । ସେଭିତରୁ ଭୁବନେଶ୍ବର ବାସଭବନରୁ ୧ କୋଟି ୨୧ ଲକ୍ଷ ଓ ଅନୁଗୁଳ ବାସଭବନରୁ ମିଳିଛି କୋଟିଏ ୩୦ ଲକ୍ଷ । ଏହା ବାଦ୍ ୨ କୋଟି ୭୦ ଲକ୍ଷ ଟଙ୍କା ସେୟାର ମାର୍କେଟରେ ନିବେଶ କରିଛନ୍ତି ବୈକୁଣ୍ଠ ନାଥ ଷଡ଼ଙ୍ଗୀ। ବ୍ୟାଙ୍କରେ ଜମା ରହିଛି ୧ କୋଟି ୫୦ ଲକ୍ଷ। ବୀମାରେ ନିବେଶ କରିଛନ୍ତି ୫୦ ଲକ୍ଷରୁ ଅଧିକ । ସେହିଭଳି ଭୁବନେଶ୍ବର ଡୁମୁଡୁମାରେ ଫ୍ଲାଟ୍, ଅନୁଗୁଳ କରଡ଼ାଗାଡ଼ିଆରେ ଦୁଇ ମହଲା କୋଠା, ପିପିଲି ସିଉଳାରେ ଫ୍ଲାଟ୍ ସମେତ ୭ଟି ପ୍ଲଟ୍ ସମ୍ପର୍କରେ ସୂଚନା ମଳିଛି । ସେପଟେ ରେଡ୍ ବେଳେ ବହୁ ପରିମାଣର ସୁନା ଗହଣା ମିଳିଛି । ଆଲମୀରାରୁ ବହୁ ସଂଖ୍ୟାରେ ଦାମୀ ଶାଢି, ଦାମୀ ବ୍ୟାଗ୍ ଓ ପର୍ସ ଏବଂ ଅନ୍ୟ ମୂଲ୍ୟବାନ୍ ଆସବବାପତ୍ରର ପାଇଛି ଭିଜିଲାନ୍ସ ଟିମ୍ ।

ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଘରୁ ବିପୁଳ ଟଙ୍କା ଓ ସମ୍ପତ୍ତି ତାଲିକା ମିଳିବା ପରେ ସେ କେଉଁ କେଉଁ ପ୍ରକଳ୍ପରେ କାର୍ଯ୍ୟ କରିଛନ୍ତି, ତାକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ। ଏପଟେ ବୈକୁଣ୍ଠନାଥ ଗତ ଫେବ୍ରୁଆରୀରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସୁପାରିସରେ ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି ହୋଇ ଆସିଥିବା କୁହାଯାଉଛି । ତେଣୁ ୟାଙ୍କ ପଛରେ ଓ ସାଙ୍ଗରେ ଆଉ କିଏ ଅଛନ୍ତି, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

Advertisment

ଅଧିକ ପଢ଼ନ୍ତୁ: ଏଥର ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ହଜାରେ ବସ୍, ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ

Bhubaneswar Odisha Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ