• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୀମା ଟପିଲା ବର୍ବରତା । NCC କ୍ୟାଡେଟମାନଙ୍କୁ ଆମାନୁଷିକ ଭାବେ ପିଟିଲେ ସିନିୟର କ୍ୟାଡେଟ । ମହାରାଷ୍ଟ୍ରର ଥାନେର ଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବାନ୍ଦୋଦକର କଲେଜରେ ଚାଲିଥିବା ନ୍ୟାସନାଲ କ୍ୟାଡେଟ୍ କର୍ପସ ତାଲିମ ଶିବିରରେ ଜଣେ ସିନିୟର NCC କ୍ୟାଡେଟଙ୍କ ଅମାନୁଷିକ କାଣ୍ଡକୁ ସାରା ଦେଶରେ ନିନ୍ଦା କରାଯାଇଛି । ଜୁନିୟର NCC କ୍ୟାଡେଟମାନେ ଚ୍ୟାଲେଞ୍ଜ ଡ୍ରିଲ୍ କରି ନ ଥିବାରୁ ସିନିୟର କ୍ୟାଡେଟ କାଦୁଅରେ ଆଣ୍ଠେଇ ଦେଇ ପିଠିକୁ ନିର୍ଧୂମ ପିଟିଥିବା ଦେଖିବାକୁ ମିଳିଛି । ତେବେ ଏ ନେଇ କୌଣସି ଅଭିଯୋଗ ହୋଇନଥିବାରୁ ପୋଲିସ ଏପର୍ଯ୍ୟନ୍ତ ମାମଲା ରୁଜୁ କରିନାହିଁ ।

ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ବାନ୍ଦୋଦକର କଲେଜରେ ଏନସିସି ତାଲିମ ବେଳେ ଏପରି ଘଟଣା ଘଟିଥିବା କୁହାଯାଉଛି । ଭିଡିଓରେ ବାଡ଼ି ଧରିଥିବା ବ୍ୟକ୍ତି ଜଣକ ଜଣେ ସିନିୟର କ୍ୟାଡେଟ ବୋଲି ଜଣାପଡିଛି । ତାଙ୍କର ଚ୍ୟାଲେଞ୍ଜ ଡ୍ରିଲ୍ କରିପାରିନଥିବାରୁ ସେ ଏନସିସି କ୍ୟାଡେଟମାନଙ୍କୁ ଏପରି ଦଣ୍ଡ ଦେଇଛନ୍ତି ।

ମାଡ଼ କାରଣରୁ କିଛି ଛାତ୍ର କାନ୍ଦୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ସେହି ସମୟରେ ଜଣେ ଛାତ୍ର ଝରକା ଦେଇ ଏହି ଭିଡିଓଟି କରିଥିବା କହିଛନ୍ତି ।

ଘଟଣାକୁ ନେଇ କଲେଜର ପ୍ରିନ୍ସପାଲ ସୁଚିତ୍ରା ନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି । ସିନିୟର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସିନିୟର ଛାତ୍ରଙ୍କ ଏପରି ଆଚରଣକୁ କେବେ ବରଦାସ୍ତ କରାଯିବନାହିଁ ।

ଏହା ବ୍ୟତୀତ କଲେଜର ପ୍ରିନ୍ସପାଲ ସୁଚିତ୍ରା ନାୟକ ଆହୁରି କହିଛନ୍ତି ଯେ, ପ୍ରାୟ ୪୦ ବର୍ଷ ହେଲା ପିଲାମାନଙ୍କୁ ଏଠାରେ ଏନସିସି ତାଲିମ ଦିଆଯାଉଛି । ଶିକ୍ଷକ ଅନୁପସ୍ଥିତ ଥିବାରୁ ଏହି ଘଟଣା ଘଟିଛି । ଏପରି କାଣ୍ଡକୁ ଗ୍ରହଣ କରାଯିବନାହିଁ । ଛାତ୍ରମାନେ ଯାହା କହିଛନ୍ତି, ଏପରି କାର୍ଯ୍ୟ ଜଣେ ମାନସିକ ରୋଗୀ ହିଁ କରିପାରିବ ।