• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାପାଙ୍କ କାନ୍ଧରେ ବସିଥିଲା କୁନିଝିଅ । ବାପାଙ୍କ ଓଠରୁ ମିଠାମିଠା କଥା ଶୁଣି ଯାଉଥିଲା ଆଗକୁ ଆଗକୁ । ହେଲେ କିଏ ଜଣିଥିଲା ତା’ ବାପାଙ୍କ ଦେହରେ ଗୁଳି ବାଜିବ । ଆଉ ସେ ସେହି ଚାଲିବା ରାସ୍ତାରେ ଟଳିପଡ଼ିବେ । ମାତ୍ର କିଛି ମୁହୂର୍ତ୍ତରେ ବଦଳିଯିବ ସବୁ କିଛି । ଦୁର୍ବୃତ୍ତମାନେ ବାପାଙ୍କୁ ଗୁଳି କରିବା ପରେ ତା’କୁ ନେବାକୁ ଉଦ୍ୟମ କରିବେ ।

ଏପରି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶରେ । ସୋମବାର ଦିନ ଏହି ଘଟଣା ଘଟିଥିବାବେଳେ ଘଟଣାକୁ ନେଇ ପୋଲିସ ଜୋରଦାର ତଦନ୍ତ କରୁଛି । ସୂଚନା ମୁତାବକ ଉତ୍ତରପ୍ରଦେଶର ଶାହାଜାହାନପୁରରେ ଜଣେ ବ୍ୟକ୍ତି ତାଙ୍କର ଛୋଟ ଝିଅକୁ କାନ୍ଧରେ ବସାଇ ଚାଲିଚାଲି ଯାଉଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ହଠାତ୍‌ ଗୁଳି ଚଳାଇଛନ୍ତି ।

ବ୍ୟକ୍ତିଙ୍କ ଦେହରେ ଗୁଳିବାଜିବା ପରେ ସେ ସେହି ରାସ୍ତାରେ ଟଳିପଡ଼ିଥିଲେ । କାନ୍ଧରେ ବସିଥିବା ଛୋଟ ଝିଅ ମଧ୍ୟ ରାସ୍ତାରେ ଖସିପଡ଼ିଥିଲା । ଘଟଣାର ଭିଡିଓ ସେଠାରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଗୋଟିଏ ଛୋଟ କଂକ୍ରିଟ୍‌ ରାସ୍ତାରେ ବ୍ୟକ୍ତି ଜଣକ ଯାଉଛନ୍ତି । ଅନ୍ୟପଟରୁ ଜଣେ ବ୍ୟକ୍ତି ବନ୍ଧୁକ ବାହାର କରି ଗୁଳି ଚଳାଉଛନ୍ତି ।

ଦୁର୍ବୃତ୍ତଙ୍କ ଗୁଳି ବାଜିବା ପରେ ଯୁବକ ଜଣକ ହଠାତ୍‌ ରାସ୍ତାରେ ଖସିପଡ଼ୁଛନ୍ତି । ଆକ୍ରମଣକାରୀମାନେ ସେଠାରୁ ତାଙ୍କ ଝିଅକୁ ନେବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେଥିରେ ବିଫଳ ହେଉଛନ୍ତି। ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିଥିଲା । ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ କରିବା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୀଡ଼ିତ ବ୍ୟକ୍ତି ଜଣକଙ୍କ ନାଁ ଶୋଏବ । ତାଙ୍କ ବୟସ ୩୦ ବର୍ଷ । ସେ ରାସ୍ତାରେ ଚାଲିଚାଲି ତାଙ୍କ ଘରକୁ ଯିବା ସମୟରେ ଏପରି ଘଟଣା ଘଟିଥିବା ପୋଲିସ କହିଛି ।

ଏହି ଘଟଣାରେ ପୋଲିସ ଅଧିକାରୀ ଅଶୋକ ମୀନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଅଭିଯୁକ୍ତ ମାନେ ହେଲେ ଗୁଫ୍ରାନ୍ ଏବଂ ନାଡିମ । ସେମାନଙ୍କୁ ଗିରଫ କରାଯାଇଛି । ତାଙ୍କ ବାଇକ୍ ମଧ୍ୟ ଜବତ କରିଛି ପୋଲିସ ।

ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ତଦନ୍ତ ଜାରି ରହିଛି । ପୂର୍ବରୁ କିଛି ବ୍ୟକ୍ତିଗତ ଶତ୍ରୁତା କାରଣରୁ ଏହି କାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି ।