ସବୁ କିଛି ଥିଲା ଯୋଜନାବଦ୍ଧ। ହତ୍ୟାକାଣ୍ଡ ପୂର୍ବରୁ ବନ୍ଧୁକ କିଣାଯାଇଥିଲା। ଗୁଳି ବି ଯୋଗାଡ଼ ହୋଇଥିଲା। କେବଳ ସୁଯୋଗକୁ ଅପେକ୍ଷା ଥିଲା। ଅନ୍ଧାର ରାତିରେ ଇନଷ୍ଟାଗ୍ରାମରେ ପ୍ରେମିକା ସହିତ ଯୋଗାଯୋଗ କରି ଘର ବାହାରକୁ ଡାକିଲା ପ୍ରେମିକ। ବାସ୍ ସେଇ ଅନ୍ଧାର ଭିତରେ ଜିରୋ ରେଞ୍ଜରୁ ଗୁଳି ଫୁଟାଇ ସବୁଦିନ ପାଇଁ ନିଜ ପ୍ରେମିକାକୁ ଶୁଆଇଦେଲା। ତୁ ମୋର ହେଲୁନୁ ମାନେ ଜୀବନରେ କାହାର ବି ହେଇପାରିବୁନି…ଏମିତି ଢଙ୍ଗରେ ନିଜ ପ୍ରେକିକାକୁ କହି ହତ୍ୟା କରିଛି ପ୍ରେମିକ। ପ୍ରେମିକାର ଅନ୍ୟ ଜଣେ ଯୁବକଙ୍କ ସହିତ ଥିବା ସମ୍ପର୍କକୁ ସହିନପାରି ପ୍ରେମିକ ଏଭଳି ହତ୍ୟା କରିଛି। ମୁଣ୍ଡ ଓ ପିଠିକୁ ଗୁଳି ମାଡ଼ କରିଛି। ଦେଶର ରାଜଧାନୀ ଦିଲ୍ଲୀ ଛାତି ଉପରେ ଏଭଳି ଗୁଳିକାଣ୍ଡ କମ୍ପନ ସୃଷ୍ଟି କରିଛି।
Also Read
୨୦ ବର୍ଷୀୟା ସାଇରାଙ୍କ ଦୁଇ ଭାଇ ଏବଂ ଦୁଇ ଭଉଣୀ ଅଛନ୍ତି। ତାଙ୍କ ବାପା-ମାଙ୍କ ମୃତ୍ୟୁ ପରେ ସେ ତାଙ୍କ ୪୧ ବର୍ଷୀୟା ଭଉଣୀ ସୈଦା ଏବଂ ତାଙ୍କ ସ୍ୱାମୀଙ୍କ ସହିତ ଦିଲ୍ଲୀର କୁଡି କଲୋନିରେ ରୁହନ୍ତ। ତାଙ୍କୁ ପ୍ରେମ ଜାଲରେ ଫସାଇବା ଓ ପରବର୍ତ୍ତି ସମୟରେ ହତ୍ୟା କରିବା ଘଟଣା ଥିଲା ଲୋମଟାଙ୍କୁରା।
କେମିତି ହେଲା ଏମିତି ସମ୍ପର୍କ
ସାଇରାଙ୍କ ଘର ନିକଟରେ ରିଜୱାନ ରୁହେ। ହତ୍ୟାକାଣ୍ଡର ଦୁଇ ମାସ ତଳେ ଦିଲ୍ଲୀର ଆନନ୍ଦ ଗ୍ରାମ ଅଞ୍ଚଳରେ ପ୍ରଥମ ଥର ପାଇଁ ରିଜଓ୍ଵାନ ସାଇରାଙ୍କୁ ଦେଖିଥିଲା। ରିଜଓ୍ବାନ ଏକ ନିର୍ମାଣ ସ୍ଥାନରେ ୱେଲ୍ଡର ଭାବରେ କାମ କରେ। ପରସ୍ପର ଭେଟ ପରେ ରିଜଓ୍ଵାନା କିଛି ଦିନ ବ୍ୟବଧାନରେ ଇନଷ୍ଟାଗ୍ରାମରେ ସାଇରାଙ୍କୁ ଫଲୋ କରିବା ଆରମ୍ଭ କଲା। ଏବଂ ଖୁବ୍ ଶୀଘ୍ର ଉଭୟ ଚାଟିଂ କରିବା ଆରମ୍ଭ କଲେ। ଫୋନ୍ ନମ୍ବର ଦେବା ନେବା କରିବା ପରେ କଲ୍ କରି ସୁଖଦୁଃଖ ବାଣ୍ଟିଲେ। ସମ୍ପର୍କ ଘନିଷ୍ଠ ହେଲା। ଏମିତି ଗୋଟେ ସମ୍ପର୍କ ଯେ ପ୍ରେମ ଆଡ଼କୁ ମୁହାଁଉଥିଲା, ଏକଥାରେ ସନ୍ଦେହ ନଥିଲା।
ପ୍ରେମିକା ଯେବେ ଆଉ କାହାର ହୁଏ
ରିଜଓ୍ଵାନା ତା’ ପ୍ରେମିକା ସାଇରାଙ୍କୁ ଫୋନ୍ ମାଧ୍ୟମରେ ବିବାହ ପ୍ରସ୍ତାବ ଦେଇଥିଲା। ଉଭୟ ଏହି ପ୍ରସ୍ତାବକୁ ନେଇ ଆଗକୁ ବଢ଼ିଲେ। ନିକଟତର ହେଲେ। ହଠାତ୍ ସବୁ କିଛି ବଦଳିଗଲା। ରିଜୱାନ ତା ପ୍ରେମିକା ସାଇରାକୁ ଅନ୍ୟ ଜଣେ ପୁଅ ସହିତ ଦେଖିଥିଲେ। ଯାହାକୁ ନେଇ ରିଜୱାନ ତାଙ୍କୁ ସେଇ ପୁଅକୁ ନ ଭେଟିବାକୁ ଅନେକ ଥର କହିଥିଲେ। କିନ୍ତୁ ସେ ରାଜି ହେଉ ନଥିଲେ। ନିରାଶ ହୋଇ ସେ ତାଙ୍କ ପ୍ରେମିକା ସାଇରାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ରର ମଞ୍ଜି ବୁଣିଥିଲା।
ଇନଷ୍ଟାଗ୍ରାମରେ ଡାକିନେଇ ମାରିଦେଲା
ଏପ୍ରିଲ ୧୪ ତାରିଖ। ରାତି ସମୟରେ ରିଜଓ୍ବାନ ଇନଷ୍ଟାଗ୍ରାମ୍ ମାଧ୍ୟମରେ ଝିଅଟି ସହିତ ଯୋଗାଯୋଗ କରିଥିଲା। ରାତି ପ୍ରାୟ ୮ଟାରେ କୋଡିଆ କଲୋନି ଗେଟ୍ ନିକଟରେ ତାଙ୍କୁ ଭେଟିବାକୁ କହିଥିଲା। ସେତେବେଳକୁ ରିଜଓ୍ବାନ ପ୍ରଚୁର ମଦ ପିଇଥିଲା। କିଛି ସମୟ କଥାବାର୍ତ୍ତା ପରେ ଜନତା ଫ୍ଲାଟ୍ ଅଞ୍ଚଳ ଆଡ଼କୁ ଯାଇଥିଲେ। ସେଠାରେ ଯେତେବେଳେ ସାଇରା ଏହି ପ୍ରେମ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇବାକୁ କହିଥିଲେ, ଏହି ଘଟଣାକୁ ନେଇ ଉଭୟ ସାଇରା ଓ ରିଜଓ୍ଵାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା।
ରିଜଓ୍ଵାନ ନିଜ ପକେଟରୁ ବନ୍ଧୁକ କାଢ଼ି ସାଇରାଙ୍କ ମୁଣ୍ଡ ଓ ପିଠିକୁ ଦୁଇ ରାଉଣ୍ଡ ଗୁଳି ମାଡ଼ କରିଥିଲା। ଗୁଳି ମାରିବା ପରେ ମୋବାଇଲ୍ ସୁଇଚ୍ ଅଫ୍ କରି ଫେରାର ହୋଇଯାଇଥିଲା। ଫେରାର ରିଜୱାନକୁ କ୍ରାଇମବ୍ରାଞ୍ଚ କର୍ଣ୍ଣାଲରୁ ଗିରଫ କରିଥିଲା। ତାକୁ ଏକ ରାସ୍ତାପାର୍ଶ୍ୱ ରେଷ୍ଟୁରାଣ୍ଟ ନିକଟରୁ ଗିରଫ କରାଯାଇଥିଲା। ରିଜଓ୍ଵାନ ହତ୍ୟାକାଣ୍ଡ ସମୟରେ ଯେଉଁ ପୋଷାକ ପିନ୍ଧିଥିଲା ସେହି ପୋଷାକ ହିଁ ଧରାପଡ଼ିଲା ବେଳେ ପିନ୍ଧିଥିଲା। ତେଣୁ ଧରାପଡ଼ିବା ଅଧିକ ସହଜ ହୋଇଥିଲା।
ମିଛି ମିଛିକା ପ୍ରେମ ଓ ଷଡ଼ଯନ୍ତ୍ର
ଏପ୍ରିଲ ୧୪ ସୋମବାର। ସାଇରା ରାତିରେ ଖାଇସାରିବା ପରେ ଶୋଇବାକୁ ଯାଇଥିଲେ। କିନ୍ତୁ ରାତି ପ୍ରାୟ ୧୦ଟା ବେଳେ ଘରୁ ହଠାତ କେଉଁଆଡ଼େ ଗାଏବ ହୋଇଗଲେ। ସାଇରା ଅନେକ ସମୟରେ ରିଜୱାନଙ୍କୁ ଭେଟିବାକୁ ବାହାରକୁ ଯାଉଥିଲେ। ସାଇରାଙ୍କ ପରିବାର ସଦସ୍ୟମାନେ ଏକଥା ଜାଣିଥିବାରୁ ବେଶି ଚିନ୍ତା କଲେନାହିଁ। ସୋମବାର ରାତି ପ୍ରାୟ ୨ଟା। ପିସିଆର ଭ୍ୟାନ୍ ଏକ ରକ୍ତ ଜୁଡ଼ୁବୁଡ଼ୁ ଶବ ଜିଟିବି ଏନକ୍ଲେଭ ନିକଟରେ ଦେଖିବାକୁ ପାଇଥିଲା। ଏହି ଶବଟି ଥିଲା ଜଣେ ଯୁବତୀଙ୍କର। ଏହି ଶବ ଯେ ସାଇରାଙ୍କର ଏକଥା ପୁଲିସ କିଛି ସମୟ ଭିତରେ ସ୍ପଷ୍ଟ କରିଥିଲା।
ପ୍ରେମିକାକୁ ମାରିବାକୁ ବନ୍ଧୁକ, ଗୁଳି କିଣା
ସାଇରାଙ୍କ ଘର ନିକଟରେ ରିଜୱାନ ରୁହେ। ତେବେ ଏହି ପ୍ରେମୀଯୁଗଳଙ୍କ ମଧ୍ୟରେ ମନାନ୍ତର ହେବାରୁ ସାଇରାଙ୍କୁ ରାସ୍ତାରୁ ହଟାଇବାକୁ ମାଷ୍ଟରପ୍ଲାନ୍ ତିଆରି ହୁଏ। ରିଜଓ୍ବାନ ଜଣେ ବନ୍ଧୁଙ୍କ ନିକଟରୁ ବନ୍ଧୁକ ଓ କ୍ୟାଟ୍ରିଜ୍ କିଣିଥିଲା। ଆଉ ଏହି ବନ୍ଧୁକରୁ ହିଁ ଦୁଇ ରାଉଣ୍ଡ ଗୁଳି ଫୁଟାଇ ସାଇରାଙ୍କୁ ହତ୍ୟା କରିଥିଲା।