ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ମୋଡ଼ ! ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ, CBI ତଦନ୍ତ ଦାବି

କ୍ରାଇମବ୍ରାଞ୍ଚ ପ୍ରଥମେ ଅଭିଯୁକ୍ତ ଶର୍ମିଷ୍ଠାକୁ ୫ ଦିନ ରିମାଣ୍ଡ ଆଣି ତଦନ୍ତ ଚଳାଇଥିବା ବେଳେ ପୁଣି ଦ୍ୱିତୀୟ ଥର ପାଇଁ ୩ ଦିନ ରିମାଣ୍ଡରେ ନେଇଛି ।

Manas Swain

କ୍ୟାମେରାମ୍ୟାନ୍ ମାନସ ହତ୍ୟାକାଣ୍ଡ ଘଟଣା । ସିବିଆଇ ତଦନ୍ତ ଦାବି କଲେ ମୃୃତ ମାନସଙ୍କ ପରିବାର । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ସିବିଆଇ ତଦନ୍ତ ଦାବି କରିଛନ୍ତି ମାନସଙ୍କ ପରିବାର ଲୋକେ । ଘଟଣାରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବାରୁ ସିବିଆଇ ହିଁ କେବଳ ନିରପେକ୍ଷ ଭାବେ ତଦନ୍ତ କରିପାରିବ ବୋଲି କହିଛନ୍ତି ମାନସଙ୍କ ମା । ତେଣୁ ଘଟଣାର ସିବିଆଇ ତଦନ୍ତ କରାଇବାକୁ ନିବେଦନ କରିଛନ୍ତି ମାନସଙ୍କ ମା ଜୟନ୍ତୀ ସ୍ୱାଇଁ ।

ସେପଟେ କ୍ରାଇମବ୍ରାଞ୍ଚ ପ୍ରଥମେ ଅଭିଯୁକ୍ତ ଶର୍ମିଷ୍ଠାକୁ ୫ ଦିନ ରିମାଣ୍ଡ ଆଣି ତଦନ୍ତ ଚଳାଇଥିବା ବେଳେ ପୁଣି ଦ୍ୱିତୀୟ ଥର ପାଇଁ ୩ ଦିନ ରିମାଣ୍ଡରେ ନେଇଛି । ଯେଉଁ ମେମୋରୀ ଚିପ ହତ୍ୟାକାଣ୍ଡର ମୂଳ କାରଣ ତାର ଏପର୍ଯ୍ୟନ୍ତ ଟେର ପାଇନି କ୍ରାଇମବ୍ରାଞ୍ଚ । ତେଣୁ କ୍ରାଇମବ୍ରାଞ୍ଚ ଉପରେ ସନ୍ଦେହ କରିଛନ୍ତି ମାନସଙ୍କ ପରିବାର ।

କାରଣ ଏବେ ସୁଦ୍ଧା ସାମ୍ନାକୁ ଆସିଲାନି ମାନସ ହତ୍ୟାର ଉଦ୍ଦେଶ୍ୟ । ଯେଉଁ ମେମୋରୀ ଚିପ୍ ପାଇଁ କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣ କରି ମାରିଦିଆଗଲା, ସେହି ଚିପକୁ ନେଇ ଆଶା ଛାଡ଼ିସାରିଲାଣି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ କହିଛି, ସେହି ମେମୋରୀ ଚିପ୍ ମିଳିବାର ସମ୍ଭାବନା କମ୍ । ତଥାପି ତଦନ୍ତ ଚାଲିଛି । ଅପରପକ୍ଷେ ୫ ଦିନିଆ ରିମାଣ୍ଡ ସରିବା ପରେ ଶର୍ମିଷ୍ଠା, ଝୁନା, ନିରଂଜନ ଓ ରଂଜନକୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା ଓ ପୁଣି ୫ଦିନ ରିମାଣ୍ଡ ଅନୁମତି ମାଗିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ କୋର୍ଟ ନିରଂଜନ ଓ ରଂଜନଙ୍କୁ ଛାଡ଼ି ଶର୍ମିଷ୍ଠା ଏବଂ ଝୁନାକୁ ୩ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ । ରଂଜନ ଓ ନିରଂଜନକୁ ଜେଲ୍ ପଠାଇ ଦିଆଯାଇଥିଲା ।

ତେବେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ଆଣ୍ଡ କୋ’ଙ୍କ ସରିଯାଇଛି ପ୍ରଥମ ପର୍ଯ୍ୟାୟ କ୍ରାଇମବ୍ରାଞ୍ଚ ରିମାଣ୍ଡ । ଏବେ ଦ୍ୱିତୀୟ ପର୍ଯ୍ୟାୟର ରିମାଣ୍ଡକୁ ସାମ୍ନା କରୁଛନ୍ତି ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ । ଆଜିଠୁ ଆରମ୍ଭ ହୋଇଛି ୩ ଦିନିଆ ରିମାଣ୍ଡ ଅବଧି । ତଦନ୍ତବେଳେ ଶର୍ମିଷ୍ଠା ଓ ଝୁନାଙ୍କଠୁ ଆଉ କେଉଁ ତଥ୍ୟ ଆଦାୟ କରିବ କ୍ରାଇମ୍‌ବ୍ରାଞ୍ଚ ? ଖୋଲିବ କି ମେମୋରୀ ଚିପ୍, ଭିଡ଼ିଓ ଆଉ ଏଗ୍ରିମେଣ୍ଟର ସତ ? ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ କିନ୍ତୁ କୌଣସି ତଥ୍ୟ ମିଳିପାରିନି ।

ଗତ ୨୯ରୁ କ୍ରାଇମବ୍ରାଞ୍ଚ ଜାରି ରଖିଛି ଖୋଳତାଡ଼ । ହେଲେ ନା ରହସ୍ୟଜନକ ମେମୋରୀ ଚିପ୍ର କଥା ସାମ୍ନାକୁ ଆସିଛି ନା ଚିପରେ ଥିବା ସନ୍ଦେହଜନକ ଚିତ୍ର ଓ ଚରିତ୍ରଙ୍କ ଗୁମର ଖୋଲିଛି । କାରଣ ଚିପଟି ଏବେ କେଉଁଠି ? କାହା ପାଖରେ ଅଛି ନା ନଷ୍ଟ କରିଦିଆଯାଇଛି ? କୌଣସି ତଥ୍ୟ ଏଯାଏଁ ପାଇନି କ୍ରାଇମବ୍ରାଞ୍ଚ । ଯଦିଓ ଶର୍ମିଷ୍ଠା, ଝୁନା, ନିରଂଜନ, ରଂଜନ ସମେତ ୮ଜଣଙ୍କୁ ଗିରଫ କରିଛି । ସିନ୍ ରିକ୍ରିଏସନ୍ ବି ହୋଇସାରିଛି । ତଥାପି ଚିପକୁ ନେଇ କ୍ରାଇମବ୍ରାଞ୍ଚ ମନରେ ଆଶଙ୍କା ।

କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମେମୋରୀ ଚିପ୍ ମିଳିବାର ଆଉ ସମ୍ଭାବନା ନାହିଁ । ଚିପ୍ ନେଇ ଶର୍ମିଷ୍ଠାଙ୍କୁ ମାନସ ବ୍ଲାକ୍ ମେଲିଂ କରିଥିବା କଥା ବି କୁହାଯାଉଛି । ତଥାପି ଖୋଳତାଡ଼ ଜାରି ରହିଛି । ତେବେ ମେମୋରୀ ଚିପରେଚାପି ହୋଇଯିବନି ତ ମାନସ ମର୍ଡର ମିଷ୍ଟ୍ରି ? ଚିପରେ ଥିବା ସନ୍ଦେହଜନକ ଚିତ୍ର ଓ ଚରିତ୍ରଙ୍କ କଣ ଗୁମର ଖୋଲିବନି ? ହତ୍ୟାର ଉଦ୍ଦେଶ୍ୟ ପ୍ରମାଣିତ ନହେଲେ ମାମଲା ଦୁର୍ବଳ ହେବା ସହ ଅଭିଯୁକ୍ତ ମାନଙ୍କ ଖସିବାର ବାଟ ସହଜ ହୋଇଯିବନି ତ ?