ଚୋର ଲେଖିଲା ଚିଠି, ମୋ ପୁଅ ଦେହ ଖରାପ...ମୁଁ ରାତିରେ ଶୋଇପାରୁନି

'ମହାରାଜ ଜୀ ପ୍ରଣାମ, ମୁଁ ଏକ ବଡ଼ ଭୁଲ କରିଥିଲି । ଅଜ୍ଞତା ହେତୁ ମୁଁ ଗୁଋଘାଟରୁ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି କରିଥିଲି । ସେବେଠାରୁ ମୁଁ ଖରାପ ସ୍ୱପ୍ନ ଦେଖୁଥିଲି ଏବଂ ମୋ ପୁଅର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଛି ।

Loot

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚୋରିର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଚୋର ମନ୍ଦିରରେ ସ୍ଥାପିତ ୧୦୦ ବର୍ଷ ପୁରୁଣା ଅଷ୍ଟଧାତୁ ମୂର୍ତ୍ତି ଚୋରି କରି ନେଇଥିଲା । ଏହା ପରେ ଚୋର ସହିତ ଏମିତି କିଛି ଘଟିଗଲା ଯେ କିଛି ଦିନ ପରେ ସେ ମୂର୍ତ୍ତିକୁ ଆଣି ରାଜପଥ ପାର୍ଶ୍ୱରେ ରଖି ଚାଲିଗଲେ । ଏହା ସହିତ ସେ ଏକ କ୍ଷମା ପ୍ରାର୍ଥନା ପତ୍ର ମଧ୍ୟ ଲେଖିଥିଲେ, ଯାହାକୁ ପଢ଼ି ସମସ୍ତେ ଆଶ୍ଜର୍ଯ୍ୟ ହୋଇଯାଇଥିଲେ । ତେବେ ପୋଲିସ୍‌ ଏବେ ସେହି ଚୋରକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ।

ସୂଚନାନୁସାରେ, ଏହି ଘଟଣା ପ୍ରୟାଗରାଜ ଗଙ୍ଗାପାର ଅଞ୍ଚଳର ନବାବଗଞ୍ଜ ରାମ ଜାନକୀ ମନ୍ଦିରରେ ଘଟିଥିଲା । ଏଠାରେ, ସେପ୍ଟେମ୍ବର ୨୩ରେ, ୧୦୦ ବର୍ଷ ପୁରୁଣା ଅଷ୍ଟଧାତୁ ମୂର୍ତ୍ତି ମନ୍ଦିରରୁ ଚୋରି ହୋଇଥିଲା । ମୂର୍ତ୍ତି ଚୋରି ହେବା ପରେ ମନ୍ଦିରର ପୁରୋହିତଙ୍କୁ ଏତେ ବଡ଼ ଧକ୍କା ଲାଗିଥିଲା କି ସେ ଖାଇବା ପିଇବା ମଧ୍ୟ ବନ୍ଦ କରିଦେଇଥିଲେ । ତେବେ ଏହି ଘଟଣାର ଠିକ୍ ୧୦ ଦିନ ପରେ, ଲୋକମାନେ ଜାତୀୟ ରାଜପଥର ସର୍ଭିସ ରୋଡ୍‌ରୁ ଗୁଋଘାଟ ଲିଙ୍କ୍‌ ରୋଡ୍‌ରେ ଏକ ମୂର୍ତ୍ତି ଦେଖିବାକୁ ପାଇଥିଲେ ।

ଲୋକମାନେ ଏହି ବିଷୟରେ ସ୍ୱାମୀ ଜୟ ରାମଦାସ ମହାରାଜଙ୍କୁ କହିଥିଲେ । ଏହା ପରେ ମୂର୍ତ୍ତିକୁ ଗଋଘାଟ ଖାଲସା ଆଶ୍ରମକୁ ନିଆଯାଇଥିଲା । ଯେତେବେଳେ ସେହି ଅଖା ଖୋଲାଯାଇଥିଲା ସେଥିରେ ମୂର୍ତ୍ତି ସହ ଏକ ଚିଠି ଥିଲା । ଚିଠିଟି ପଢ଼ିବା ପରେ ପୂରା କାହାଣୀ ସାମ୍ନାକୁ ଆସିଥିଲା । ଏହି ଚିଠିଟି ଅଷ୍ଟଧାତୁ ମୂର୍ତ୍ତି ଚୋରି କରିଥିବା ଚୋର ହିଁ ଲେଖିଥିଲା । ଚୋରଜଣକ ଏହି ଚୋରି ପାଇଁ ଅନୁତପ୍ତ ଥିବା ଏହି ଚିଠିରେ ସେ ଲେଖିଥିଲା । ସେ ମନ୍ଦିର ପୁରୋହିତଙ୍କୁ କ୍ଷମା ପ୍ରାର୍ଥନା କରି ଉକ୍ତ ପତ୍ର ଲେଖିଥିଲା ।

ଏହି ଚିଠିରେ ଲେଖାଥିଲା,

'ମହାରାଜ ଜୀ ପ୍ରଣାମ, ମୁଁ ଏକ ବଡ଼ ଭୁଲ କରିଥିଲି । ଅଜ୍ଞତା ହେତୁ ମୁଁ ଗୁଋଘାଟରୁ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି କରିଥିଲି । ସେବେଠାରୁ ମୁଁ ଖରାପ ସ୍ୱପ୍ନ ଦେଖୁଥିଲି ଏବଂ ମୋ ପୁଅର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଛି । ମୁଁ କିଛି ଟଙ୍କା ପାଇଁ ବହୁତ ଖରାପ କାମ କରିଛି । ମୁଁ ଏହାକୁ ବିକ୍ରୟ କରିବା ପାଇଁ ଖଣ୍ଡ ଖଣ୍ଡ କରିଥିଲି। ମୋର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରି ମୁଁ ଏହି ମୂର୍ତ୍ତୀ ଛାଡି ଯାଉଛି । ମୁଁ ଆପଣଙ୍କୁ ଅନୁରୋଧ କରେ ମୋତେ କ୍ଷମା କରିଦେବେ ଏବଂ ପ୍ରଭୁଙ୍କୁ ମନ୍ଦିରରେ ପୁନଃସ୍ଥାପିତ କରିବେ । ଏହାର ପରିଚୟ ଲୁଚାଇବା ପାଇଁ ମୁଁ ଏହାର ଆକାର ବଦଳାଇଥିଲି। ମହାରାଜ ଜୀ ଆମ ପିଲାମାନଙ୍କୁ କ୍ଷମା କରନ୍ତୁ ଏବଂ ଆପଣଙ୍କର ପ୍ରତିମା ଗ୍ରହଣ କରନ୍ତୁ’ ବୋଲି ସେହି ଚିଠିରେ ଲେଖାଥିଲା ।

ମନ୍ଦିରର ପୁରୋହିତ ମୂର୍ତ୍ତି ପାଇବା ପରେ ଏହାକୁ ମନ୍ଦିରରେ ପୁନଃସ୍ଥାପିତ କରି ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ସେପଟେ ଠାକୁରଙ୍କ ପ୍ରତିମା ଚୋରି ହେବା ଦିନଠାରୁ ପୋଲିସ ଖୋଜିବାରେ ବ୍ୟସ୍ତ ଥିଲା । ତେବେ ଏବେ ପ୍ରତିମା ମିଳିବା ପରେ ପୋଲିସ ଏବେ ଚୋରକୁ ଖୋଜୁଛି । ପୋଲିସ ମନ୍ଦିର ଚାରିପାଖରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଚୋରକୁ ଧରିବାକୁ ତଦନ୍ତ ଜାରି ରଖିଛି ।