• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

 ଭୁବନେଶ୍ୱର ପାଲଟିଛି ଠକଙ୍କ କ୍ୟାପିଟାଲ । ଯିଏ ଯାହାର ଚିତା କାଟିଲା, ଯିଏ ଯାହାକୁ ଚୂନ ଲଗେଇପାରିଲା । ଗାଡ଼ି ହେଉ କି ଚାକିରି, ଘର ହେଉ କି ଜାଗାବାଡ଼ି । ମିଛ ପ୍ରଲୋଭନ ଦେଇ ବେଧଡ଼କ ଢଙ୍ଗରେ କୋଟି କୋଟି ଟଙ୍କାର ଠକେଇ କରୁଛନ୍ତି ଠକ । ଭୁବନେଶ୍ୱର କମିଶନରେଟ୍ ପୋଲିସ ଅଞ୍ଚଳରେ ୪୨୦ ମାମଲାର ବାର୍ଷିକ ରେକର୍ଡରେ ରହିଛି ଏଭଳି ତାଜୁବ୍ କଲାଭଳି ତଥ୍ୟ । ଗତ ପ୍ରାୟ ବର୍ଷକ ଭିତରେ ପାଖାପାଖି ୮ଶହଟି ମାମଲା ସାମ୍ନାକୁ ଆସିଥିବାବେଳେ ୬୮ % ମାମଲାରେ ସ୍ମାର୍ଟସିଟିରେ ପୋଲିସର ବିଫଳତା ଚିନ୍ତା ବଢ଼ାଇଦେଇଛି ।

ସ୍ମାର୍ଟସିଟିରେ ସ୍ମାର୍ଟଠକଙ୍କ ମାୟାଜାଲ । ଚିତା କାଟୁଛନ୍ତି ମୋଟା ଅଙ୍କର । ଚୂନ ଲଗାଉଛନ୍ତି ଭଦ୍ର ବେଶରେ । ପୋଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଠକ । ଭୁବନେଶ୍ୱର କମିଶନରେଟ୍ ପୋଲିସରେ ବାର୍ଷିକ ଠକେଇ ମାମଲାର ରେକର୍ଡରେ ଚଳିତ ବର୍ଷର ୧୧ ମାସର ରିପୋର୍ଟ ଅନୁଯାୟୀ, ସ୍ମାର୍ଟସିଟିରେ ୭୯୧ ଜଣଙ୍କୁ ଠକେଇ କରି ଅପରାଧୀ ମାଲାମାଲ୍ ହୋଇଛନ୍ତି । ତାମଧ୍ୟରୁ ବଡ଼ଗଡ଼ ଥାନାରେ ସର୍ବାଧିକ ୯୧ଟି ମାମଲା ଥିବାବେଳେ, ଖଣ୍ଡଗିରିରେ ୭୯ଟି, ଚନ୍ଦ୍ରଶେଖରପୁରରେ ୬୧ଟି, କ୍ୟାପିଟାଲ୍ ଥାନାରେ ୫୫ଟି ଓ ଲକ୍ଷ୍ମୀସାଗରରେ ୫୪ଟି ମାମଲା ରୁଜୁ ହୋଇଛି । ତେବେ ମହିଳା ଥାନାରେ ସର୍ବନିମ୍ନ ୫ ଓ ବାଲିପାଟଣାରେ ୮ଟି କେସ୍ ରହିଛି । କିନ୍ତୁ ଚିନ୍ତାଜନକ ବିଷୟ ହେଉଛି, ଏହି ୧୧ ମାସରେ ୭୯୧ଟି ଠକେଇ ମାମଲାରୁ ମାତ୍ର ୨୫୪ଟି ମାମଲାରେ ପୋଲିସ ତଦନ୍ତ କରିପାରିଛି । ଅର୍ଥାତ ୬୮ % ମାମଲା ଏବେ ବି ତଦନ୍ତ ଅପେକ୍ଷାରେ ରହିଛି । ତେବେ ଏବେ ପ୍ରଶ୍ନ ଉଠୁଛି,  କାହିଁକି ନିର୍ଦ୍ଧାରିତ ସମୟ ଭିତରେ ସରିପାରୁନି ତଦନ୍ତ ?

ସବୁଠାରୁ ରୋଚକ କଥା ହେଉଛି, ଠକେଇ ମାମଲା ଗୁଡ଼ିକରେ ମହିଳାଙ୍କ ସଂପୃକ୍ତି ମଧ୍ୟ ରହୁଛି । ୭୯୧ଟି ମାମଲାରେ ପୁରୁଷ ଅଭିଯୁକ୍ତଙ୍କ ସଂଖ୍ୟା ୧୭୭ ଥିବାବେଳେ ମହିଳା ଙ୍କ ସଂଖ୍ୟା ୪ ରହିଛି । ବିଶେଷ କରି ଚାକିରି ସହ ଜମି, ଫ୍ଲାଟ୍, ଯାନବାହନ ଆଦି ବିକ୍ରି କ୍ଷେତ୍ରରେ କୋଟି କୋଟିର ଚଞ୍ଚକତା ହୋଇଥିବାର ଜଣାପଡିଛି ।

  • ନମ୍ବର (୧)-  OLXରେ ବିଜ୍ଞାପନ ଦେବା ସହ ଲୋକଙ୍କୁ ଗାଡ଼ି କିଣାଇ ଦେବାର ଲୋଭ ଦେଖାଇ ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ଠକି ଥିଲା ତୃପ୍ତିରଂଜନ ଦାସ । ଯାହା ବିରୋଧରେ ବିଭିନ୍ନ ଥାନାରେ ପ୍ରାୟ ୪୭ଟି ମାମଲା ରହିଛି ।
  • ନମ୍ବର (୨) - ସହିଦନଗର ମା ତାରିଣୀ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଡି ନିରଂଜନ ରଣାଙ୍କୁ ପୋଲିସ ଗିରଫ କରିଥିଲା । ତାଙ୍କ ବିରୋଧରେ ବାଲିଅନ୍ତା ସହ ବଡ଼ଗଡ଼ ଥାନାରେ ରହିଛି ପ୍ରାୟ ୧୦ଟି ମାମଲା ରହିଛି ।
  • ନମ୍ବର (୩) - ଭରତପୁରର ଏକ ବ୍ୟାଙ୍କର ଆସିଷ୍ଟାଣ୍ଡ ବ୍ରାଞ୍ଚ ମ୍ୟାନେଜର ମୀନା ନାୟକଙ୍କୁ ୧ କୋଟି ୧୬ ଲକ୍ଷରୁ ଅଧିକ ଟଙ୍କା ଠକେଇ ମାମଲାରେ ପୋଲିସ ଗିରଫ କରିଥିଲା ।

ରାଜଧାନୀର ଏମୁଣ୍ଡରୁ ସେମୁଣ୍ଡ ଯାଏଁ ଏଭଳି ମାଳ ମାଳ ଠକେଇକୁ ନେଇ ଆଇନଜୀବୀମାନେ ପୋଲିସର ଦୁର୍ବଳ ତଦନ୍ତ ଆଡ଼କୁ ଇଙ୍ଗିତ କରିଛନ୍ତି ।

ସେହିପରି ଗତ କିଛି ମାସ ତଳେ ଅବଶ୍ୟ ଠକ ଓ ଠକେଇକୁ ଚେକ୍ ଦେବା ପାଇଁ କମିଶନରେଟ୍ ପୋଲିସ ଆଣ୍ଟି ଫ୍ରଡ୍ ସେଲ୍ ଆରମ୍ଭ କରିଥିଲା । ଏହି ସେଲ୍ ଡିସେମ୍ବର ୨୧ ସୁଦ୍ଧା ୧୮୭ଟି ମାମଲାର ସମୀକ୍ଷା ସହ ୭୩ଟିର ତଦନ୍ତ ଶେଷ କରିବାରେ ସାହାଯ୍ୟ କରିଥିଲା । ତେବେ 420 ସହ ଉପରମୁହାଁ ହେଉଥିବା ଚୋରି, ସିନ୍ଧିଚୋରି ଆଦିକୁ ରୋକିବା ପାଇଁ ଆାଗକୁ କଡ଼ା ରଣନୀତି ରହିବ ବୋଲି ପୂର୍ବରୁ ଡିସିପି ଉମାଶଙ୍କର ଦାଶ କହିଥିଲେ ।

ରିପୋର୍ଟ -  ଆଲୋକ ମହାନ୍ତି

OTV is now on Whatsapp

Join and get latest news update delivered to you via whatsapp

Join Now