Advertisment

ପଦ୍ମକେଶରୀପୁରରେ ପୁଣି ଗୋଷ୍ଠୀ ସଂଘର୍ଷ; ପୁରୁଷ ଶୂନ୍ୟ ଗାଁ, କାହା ଛତ୍ରଛାୟାରେ ଚାଲିଛି ସୁଧ ବେପାର ?

ଗତବର୍ଷେ ଧରି ପଦ୍ମକେଶରୀପୁର ରକ୍ତରଂଜିତ ହେଉଥିବାବେଳେ କାହିଁକି ହୋଇପାରୁନି ଏହାର ସ୍ଥାୟୀ ସମାଧାନ? କାହା ଛତ୍ରଛାୟାରେ ରହି ସୁଧ ବେପାର ଚଳାଉଛନ୍ତି ନିର୍ଦ୍ଦିଷ୍ଟ ଗୋଷ୍ଠୀ ? ସେନେଇ ଲାଗିରହିଛି ନାନା ଚର୍ଚ୍ଚା।

ଅଦ୍ୟତନ ହୋଇଛି
undefined

Padmakesarpur

Advertisment

ମହାଜନୀ କାରବାରର ମହାଜାଲରେ ଛନ୍ଦି ହୋଇଥିବା ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁରରେ ପୁଣି ଖଣ୍ଡଯୁଦ୍ଧ। ସୁଧ ବେପାର ଚଳାଉଥିବା ଗୋଷ୍ଠୀଙ୍କ ବୋମା ଆଉ କାଚ ବୋତଲ ମାଡ଼ରେ ପୁଣି ଥରହର ପଦ୍ମକେଶରୀପୁର। ଗତକାଲି ବିଳମ୍ବିତ ରାତିରେ ସାହିରେ ପଶି ଆତଙ୍କରାଜ ଭିଆଇଛନ୍ତି ନିର୍ଦ୍ଦିଷ୍ଟ ଗୋଷ୍ଠୀ। ଆହତ ହୋଇଛନ୍ତି ପ୍ରାୟ ୧୦ ଜଣ। ଏହା ପରଠୁ ପୁରୁଷ ଶୂନ୍ୟ ହୋଇପଡ଼ିଛି ଗାଁ । ଡିସିପି କହିଛନ୍ତି, ହିଂସାକାରୀଙ୍କୁ ଧରିବା ପାଇଁ ଜାଲ ବିଛାଯାଇଛି।

Advertisment

ମନରେ ଆତଙ୍କ...ଭୟ ଆଉ ଲୁହରେ ବତୁରିଯାଉଛି ଆଖି...ପିଢ଼ି ପରେ ପିଢ଼ି ସାହୁକାରଙ୍କୁ ସୁଧ ଗଣିବା ପରେ ବି ବକେୟା ନାଁରେ ଭୋଗୁଛନ୍ତି ନିର୍ଯାତନା। ମହାଜନୀ କାରବାରର ମହାଜାଲରେ ଛନ୍ଦି ହୋଇଥିବା ପଦ୍ମକେଶରୀପୁର ଗାଁର ସାରଥୀ ଦାସ। ଗତ ରାତିର ଛାତିଥରା ଦୃଶ୍ୟ ବଖାଣିବା ବେଳକୁ ଥରିଉଠୁଛି ତାଙ୍କ ସର୍ବାଙ୍ଗ। ରାତି ପ୍ରାୟ ୧୧ଟା । ହଠାତ୍ ଗୋଟିଏ ଗୋଷ୍ଠୀ ଆସି ତାଙ୍କ ଘରେ ଭଙ୍ଗାରୁଜା କରିଥିଲେ। ଭାଙ୍ଗିଦେଲେ ଆଲମିରା, ଡ୍ରେସିଂ ଟେବୁଲ୍...ଛିନଛତ୍ର କରିପକାଇଲେ ଆସବାବପତ୍ର। ସାରଥୀଙ୍କ କହିବା କଥା, ୩ ବର୍ଷ ତଳେ ବାବୁଲା ଦାସଙ୍କ ଠାରୁ ଟଙ୍କା ୧୦ ହଜାର କରଜ କରିଥିଲେ। ଏହା ଭିତରେ ସୁଧ ବାବଦକୁ ସେ ୫୦ ହଜାର ଟଙ୍କା ଗଣିଲେଣି । ତଥାପି କରଜଭାର ଦର୍ଶାଇ ତାଙ୍କ ଉପରେ ଜୁଲମ୍ କରାଯିବା ସହ ଗତ ରାତିରେ ଭଙ୍ଗାରୁଜା କରିଛନ୍ତି ବାବୁଲାଙ୍କ ସମର୍ଥକ। 

ଆକ୍ରମଣକାରୀଙ୍କ ମୁଣ୍ଡରେ ହେଲମେଟ୍...ଫିଙ୍ଗି ଚାଲିଛନ୍ତି ବୋମା...ଯିଏ ଯେମିତି ପାରିଲା କାଚ ବୋତଲ ସହ ମାଡ଼ କରିଚାଲିଛନ୍ତି ଢେଲା ପଥର । କାହା ହାତରେ କାତି ତ ଆଉ କାହା ହାତରେ ରହିଛି ଲାଠି। ଏଭଳି ହିଂସା ଭିଆଇଛନ୍ତି କରଜ କରିଥିବା ବ୍ୟକ୍ତିମାନଙ୍କ ଘର ଉପରେ। ଏହାକୁ ନେଇ ଦୀର୍ଘ ସମୟ ଧରି ମଞ୍ଚେଶ୍ବର ଥାନା ଅଞ୍ଚଳର ପଦ୍ମକେଶରୀପୁର ପାଲଟିଥିଲା ରଣକ୍ଷେତ୍ର। ଏହି ଆକ୍ରମଣ ପ୍ରତି-ଆକ୍ରମଣରେ ପ୍ରାୟ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ଗାଁରେ ପୋଲିସ ପହଞ୍ଚି ଫ୍ଲାଗମାର୍ଚ୍ଚ କରିଥିଲା। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ଥିବାବେଳେ ସାରା ଗାଁ କିନ୍ତୁ ପୁରୁଷଶୂନ୍ୟ ହୋଇଯାଇଛି। ଏବେ ଗାଁକୁ ଜଗିରହିଛନ୍ତି ୩ ପ୍ଲାଟୁନ ପୋଲିସ ଫୋର୍ସ।

Advertisment

୮ ମାସ ତଳେ ସୁଧ ଟଙ୍କା ଶୁଝିପାରୁନଥିବା ବ୍ୟକ୍ତିଙ୍କ ଉପରେ ସାହୁକାରଙ୍କ ସମର୍ଥକ ଜୁଲମ୍ କରିବାରୁ ଉପୁଜିଥିଲା ଗୋଷ୍ଠୀ ସଂଘର୍ଷ। ଗତ ଏପ୍ରିଲ ୧୦ରେ ଘରେ ପଶି ବୋହୁ ଓ ଶ୍ବଶୁରଙ୍କୁ କେମିତି ହାଣିଥିଲେ ତାହା ମଧ୍ୟ ଜାଣିଥିଲେ । ମାସକୁ ୨୦ ପ୍ରତିଶତ ସୁଧ ହାରରେ ପଦ୍ମକେଶରୀପୁରରେ ଚାଲିଥିବା ମହାଜନୀ କାରବାରକୁ ନେଇ ଲାଗିରହିଛି କ୍ରମାଗତ ରକ୍ତପାତ। ଲୋକଙ୍କ ଅଭିଯୋଗ, ଗାଁର ବାବୁଲା ଦାସ, ମିଟୁ ଦାସ ଓ ସୌଦାମିନୀ ଦାସ ହେଉଛନ୍ତି ସୁଧ ବେପାରର ଜଣେ ଜଣେ କାର୍ପଟଦାର। ଏକଥା ବାବୁଲା ଦାସଙ୍କ ପତ୍ନୀ ମଧ୍ୟ ସ୍ବୀକାର କରୁଛନ୍ତି। କିନ୍ତୁ ସୁଧ ନାଁରେ ଗଣ୍ଡଗୋଳ କଥାକୁ ଅସ୍ବୀକାର କରିଛନ୍ତି। ଗତବର୍ଷେ ଧରି ପଦ୍ମକେଶରୀପୁର ରକ୍ତରଂଜିତ ହେଉଥିବାବେଳେ କାହିଁକି ହୋଇପାରୁନି ଏହାର ସ୍ଥାୟୀ ସମାଧାନ? କାହା ଛତ୍ରଛାୟାରେ ରହି ସୁଧ ବେପାର ଚଳାଉଛନ୍ତି ନିର୍ଦ୍ଦିଷ୍ଟ ଗୋଷ୍ଠୀ ? ସେନେଇ ଲାଗିରହିଛି ନାନା ଚର୍ଚ୍ଚା।

Group Clash Group Clash Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ