ନବ ହତ୍ୟାକାଣ୍ଡ ରିପିଟ୍ ! ପୁଣି ଜଣେ ନେତାଙ୍କୁ ଗୁଳିମାଡ଼, କାରଣ ଅସ୍ପଷ୍ଟ...

ଏହି ଗୁଳିକାଣ୍ଡ ପଛରେ YSRCP ନେତାଙ୍କ ସମ୍ପୃକ୍ତି ରହିଛି ।

Crime

ନବ ଦାସ ହତ୍ୟାକାଣ୍ଡର ରିପିଟ୍ । ପୁଣି ଜଣେ ନେତାଙ୍କୁ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଆନ୍ଧ୍ରପ୍ରଦେଶରେ ଜଣେ ଟିଡିପି ନେତାଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରାଯାଇଛି । ହେଲେ ସୌଭାଗ୍ୟ ବସତଃ ତାଙ୍କ ଜୀବନ ବଞ୍ଚିଯାଇଛି । ଓଡ଼ିଶାସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ୱିପ୍ରହରେ ସର୍ବ ସମ୍ମୁଖରେ ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ରାଜ୍ୟ ରାଜନୀତିକୁ ଏହା ସରଗରମ କରିଛି । ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରିବା ଘଟଣା, ଗଣତନ୍ତ୍ର ପାଇଁ ବିପଦ ବୋଲି କୁହାଯାଉଥିବା ବେଳେ ଏବେ ପୁଣି ଆନ୍ଧ୍ରପ୍ରଦେଶରେ ଘଟିଛି ସମାନ ଘଟଣା । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ।

ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି ନେତା ବୀନା ବାଲାକୋଟି ରେଡ୍ଡୀ ନିଜ ବାସଭବନରେ ଥିବା ବେଳେ ବୁଧବାର ଗୁଳି କରି ହତ୍ୟା ଉଦ୍ୟମ କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଗୁଣ୍ଟୁର ଜିଲ୍ଲାର ରୋମପିଚରେଲାରେ ଘଟିଥିବା ସୂଚନା ରହିଛି । ଟିଡିପି ନେତାଙ୍କ ଅଭିଯୋଗ ଯେ, ଏହି ଗୁଳିକାଣ୍ଡ ପଛରେ YSRCP ନେତାଙ୍କ ସମ୍ପୃକ୍ତି ରହିଛି ।

ପୋଲିସର କହିବାନୁଯାୟୀ, ଟିଡିପି ନେତା ତଥା ପୂର୍ବତନ ସାଂସଦ ବୀନା ବାଲାକୋଟି ରେଡ୍ଡୀଙ୍କୁ ରାତି ପ୍ରାୟ ୧୦.୩୦ରେ ଗୁଳି କରାଯାଇଛି । ତାଙ୍କୁ ପି ଭେଙ୍କଟେଶ୍ୱର ରେଡ୍ଡୀ ନାମକ ଜଣେ ବ୍ୟକ୍ତି ଗୁଳି କରିଛନ୍ତି । 

ଭେଙ୍କଟେଶ୍ୱର ପ୍ରଥମେ ବାଲାକୋଟିଙ୍କ ଘରେ ପହଞ୍ଚି କବାଟ ବାଡ଼େଇଥିଲେ । କବାଟ ଠକ୍ ଠକ୍ ଶୁଣି ବାଲାକୋଟି ଭିତରୁ କବାଟ ଖୋଲିଥିଲେ । ଆଉ ଠିକ୍‌ ଏହି ସମୟରେ ତାଙ୍କୁ ଗୁଳି କରିଥିଲା ଭେଙ୍କଟେଶ୍ୱର ରେଡ୍ଡୀ । ଗୁଳି ଶବ୍ଦ ଶୁଣି ଆଖପାଖରେ ଥିବା ଲୋକେ ଦୌଡ଼ି ଆସିଥିଲେ । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭତ୍ତି କରିଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତ ପି ଭେଙ୍କଟେଶ୍ୱର ରେଡ୍ଡୀ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି । ଗୁଳିକାଣ୍ଡ ପଛର କାରଣ ଏବେ ସୁଦ୍ଧା ଜଣାପଡ଼ିନାହିଁ । ଘଟଣାର ତଦନ୍ତ ଜାରି ରହିଛି । ଗତ ବର୍ଷ ମଧ୍ୟ ବାଲାକୋଟିଙ୍କ ଉପରେ ଭୁଜାଲି ଆକ୍ରମଣ କରାଯାଇଥିଲା । ସେତେବେଳେ ସେ ୱାକ୍‌ରେ ଯାଇଥିଲେ ।