Advertisment

Crime Story: ଶ୍ରଦ୍ଧା ୱାକରଙ୍କ ବାପା ହୃଦଘାତରେ ଆଖି ବୁଜିବା ପରେ ପୁଣି ତାଜା ହେଲା ସେଇ ଭୟଙ୍କର କାହାଣୀ

ସେ ଶରୀରର ଖଣ୍ଡ ଖଣ୍ଡ ଅଂଶଗୁଡ଼ିକୁ ଏକ ୩୦୦ ଲିଟର ରେଫ୍ରିଜରେଟରରେ ସଂରକ୍ଷଣ କରି ଦକ୍ଷିଣ ଦିଲ୍ଲୀର ଭଡ଼ା ଘରେ ରଖିଥିଲେ। ପରବର୍ତ୍ତି ସମୟରେ ତିନି ମାସ ପର୍ଯ୍ୟନ୍ତ ସେ ସେହି ଖଣ୍ଡଗୁଡ଼ିକ ଫ୍ରିଜରୁ ପର୍ଯ୍ୟାୟକ୍ରମେ କାଢ଼ି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ସେ ତାଙ୍କ ପୁରୁଷ ବନ୍ଧୁ ଆଫତାବଙ୍କ ସହିତ ଏକାଠି ଏକ ଭଡା ଘରେ ରହୁଥିଲେ। ଏହି ଘଟଣା ପରେ ସେହି ବର୍ଷ ନଭେମ୍ବର ୧୨ ତାରିଖରେ ଆଫତାବଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ସାରା ଦେଶରେ ଏକ ବଡ଼ ହଇଚଇ ସୃଷ୍ଟି କରିଥିଲା।

author-image
Puspanjali Panda
ଅଦ୍ୟତନ ହୋଇଛି
ଡେଟିଂ ଆପ୍‌ରୁ ଭୟଙ୍କର କାଣ୍ଡ

ଡେଟିଂ ଆପ୍‌ରୁ ଭୟଙ୍କର କାଣ୍ଡ

ଦିଲ୍ଲୀକୁ ଦୋହଲାଇ ଦେଇଥିବା ଶ୍ରଦ୍ଧା ୱାକରଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତାଙ୍କ ବାପା ବିକାଶ ୱାକର ଶେଷରେ ଆଖି ବୁଜିଛନ୍ତି। ଶ୍ରଦ୍ଧାଙ୍କୁ ତାଙ୍କ ପୁରୁଷ ବନ୍ଧୁ ୩୫ ଖଣ୍ଡ କରି କାଟିବା ପରେ ଫ୍ରିଜରେ ରଖିଥିଲେ। ପରେ ଏହି ମାଂସ ଖଣ୍ଡକୁ ଜଙ୍ଗଲରେ ଫିଙ୍ଗିଦେଇଥିଲେ। ପୁଲିସ ଯଦିଓ ଏହି ମାଂସ ଖଣ୍ଡକୁ ଜବତ କରିଥିଲା, କିନ୍ତୁ ଅସ୍ଥି ଟିକକ ବି ବାପାଙ୍କୁ ମିଳିପାରିଲା ନାହିଁ। ଅସ୍ଥି ନପାଇବାରୁ ଅଢ଼େଇ ବର୍ଷ ଧରି ଝିଅର ଶେଷ କୃତ୍ୟରୁ ବଞ୍ଚିତ ଥିବା ବାପାଙ୍କ ହୃଦଘାତରେ ମୃତ୍ୟୁ ପୁଣି ଥରେ ସେହି ବିଭତ୍ସ ହତ୍ୟାକାଣ୍ଡକୁ ତାଜା କରିଦେଇଛି।

Advertisment

ଡେଟିଂ ଆପରୁ ସମ୍ପର୍କ ପରେ ନାରକୀୟ କାଣ୍ଡ

ମୁମ୍ବାଇ ବସାଇର ବାସିନ୍ଦା ଶ୍ରଦ୍ଧା ୱାକର ଏବଂ ଆଫତାବ ପୁନାୱାଲା ଏକ ଡେଟିଂ ଆପ୍ ‘ବମ୍ବଲ’ ମାଧ୍ୟମରେ ୨୦୧୯ ଆରମ୍ଭରେ ମୁମ୍ବାଇ ସହରରେ ପରସ୍ପରକୁ ଭେଟିଥିଲେ। ଏବଂ ତିନି ବର୍ଷ ଧରି ଏକାଠି ରହୁଥିଲେ। ୨୦୨୨ ପ୍ରାରମ୍ଭରେ ୱାକରଙ୍କ ପରିବାର ଏହି ସମ୍ପର୍କକୁ ଗ୍ରହଣ କରିପାରୁନଥିଲେ। ପରିବାରରେ ବିବାଦୀୟ ସ୍ଥିତି ସୃଷ୍ଟି ହେବାରୁ ସେମାନେ ୨୦୨୨ ମେ’ରେ ଦିଲ୍ଲୀ ଚାଲି ଯାଇଥିଲେ। ଦକ୍ଷିଣ ଦିଲ୍ଲୀର ଛତ୍ରପୁର ପାହାଡ଼ି ଅଞ୍ଚଳରେ ରହୁଥିଲେ। ସେମାନେ ଦିଲ୍ଲୀରେ ରହିବା ପରେ ଶ୍ରଦ୍ଧା ବାରମ୍ବାର ଆଫତାବଙ୍କ ଉପରେ ବିବାହ ପାଇଁ ଚାପ ପକାଇ ଆସୁଥିଲେ। ଏହି ବିବାହ ଘଟଣାକୁ ନେଇ ପରସ୍ପର ମଧ୍ୟରେ ପାଟିତୁଣ୍ଡ ମଧ୍ୟ ଅନେକ ସମୟରେ ହେଉଥିଲା। ଆଫଦାବ ତାଙ୍କୁ ମାଡ଼ ମାରୁଥିବା ସଂକ୍ରାନ୍ତରେ ସେ ପରିବାର ଲୋକଙ୍କୁ ମଧ୍ୟ ଅବଗତ କରିଥିଲେ। ଶେଷରେ ଆଫତାବ ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିଲା। କିନ୍ତୁ ଏହି ଘଟଣାକୁ ଆଫତାବ ଲୁଚାଇ ରଖିଥିଲା। ଶ୍ରଦ୍ଧାଙ୍କ ମୋବାଇଲ୍ ସୁଇଚ ଅଫ୍ ଥିବା ବେଳେ କୌଣସି ପ୍ରକାର ଯୋଗାଯୋଗ ନହେବାରୁ ପରିବାର ଲୋକେ ସନ୍ଦେହ କରିବା ଆରମ୍ଭ କରିଥିଲେ।

ଫ୍ରିଜରୁ ପ୍ରେମିକାର ମାଂସ ଖଣ୍ଡ କାଢ଼ି ଜଙ୍ଗଲରେ ଫିଙ୍ଗୁଥିଲେ

ସେଦିନ ଥାଏ ୨୦୨୨ ମେ ୧୮ ତାରିଖ। ଦିଲ୍ଲୀରେ ଶ୍ରଦ୍ଧା ୱାକର(୨୭)ଙ୍କୁ ତାଙ୍କ ଲିଭ୍-ଇନ୍ ପାର୍ଟନର ଆଫତାବ ପୁନାୱାଲା(୩୦) ଗଳାକାଟି ହତ୍ୟା କରିଥିଲେ। ଏବଂ ତାଙ୍କ ଶରୀରକୁ ୩୫ ଖଣ୍ଡ କରି କାଟି ଦେଇଥିଲେ। ସେ ଶରୀରର ଖଣ୍ଡ ଖଣ୍ଡ ଅଂଶଗୁଡ଼ିକୁ ଏକ ୩୦୦ ଲିଟର ରେଫ୍ରିଜରେଟରରେ ସଂରକ୍ଷଣ କରି ଦକ୍ଷିଣ ଦିଲ୍ଲୀର ଭଡ଼ା ଘରେ ରଖିଥିଲେ। ପରବର୍ତ୍ତି ସମୟରେ ତିନି ମାସ ପର୍ଯ୍ୟନ୍ତ ସେ ସେହି ଖଣ୍ଡଗୁଡ଼ିକ ଫ୍ରିଜରୁ ପର୍ଯ୍ୟାୟକ୍ରମେ କାଢ଼ି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ସେ ତାଙ୍କ ପୁରୁଷ ବନ୍ଧୁ ଆଫତାବଙ୍କ ସହିତ ଏକାଠି ଏକ ଭଡା ଘରେ ରହୁଥିଲେ। ଏହି ଘଟଣା ପରେ ସେହି ବର୍ଷ ନଭେମ୍ବର ୧୨ ତାରିଖରେ ଆଫତାବଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ପୁଲିସକୁ ଶ୍ରଦ୍ଧାଙ୍କ ଶବ ତ ମିଳିନଥିଲା। କିଛି ଅସ୍ଥି ପୁଲିସ ଜବତ କରିଥିଲା। ଏହି ଅସ୍ଥିରୁ ଡିଏନଏ ସଂଗ୍ରହ କରି ଏହାକୁ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ପଠାଯାଇଥିଲା। ପରେ ଏହି ଅସ୍ଥି ଶ୍ରଦ୍ଧାଙ୍କର ବୋଲି ପ୍ରମାଣିତ ହୋଇଥିଲା।

Advertisment

ଶ୍ରଦ୍ଧାଙ୍କ ମୁହଁ ପୋଡ଼ି ଦେଇଥିଲେ

ଆଫତାବ କେବଳ ଶ୍ରଦ୍ଧାକୁ ହତ୍ୟା କରିନଥିଲେ ବରଂ ତାଙ୍କର ପରିଚୟ ନଷ୍ଟ କରିବା ପାଇଁ ତାଙ୍କ ମୁହଁକୁ ମଧ୍ୟ ପୋଡ଼ି ଦେଇଥିଲେ। ଭଡ଼ା ଘରେ ଥିବା ଫ୍ରିଜରୁ ଅଳ୍ପ ଅଳ୍ପ କରି ମାଂସ ଖଣ୍ଡ ଧରି ରାତିରେ ଘରୁ ବାହାରିଯାଉଥିଲେ। ଛତ୍ରପୁର ଏନକ୍ଲେଭର ଜଙ୍ଗଲରେ ପିଙ୍ଗି ପୁଣି ଫେରିଆସୁଥିଲେ।

ଅଢ଼େଇ ମାସ ଧରି ଶବକୁ ଲୁଚାଇଥିଲେ

ଭଡ଼ା ଘରୁ ଶ୍ରଦ୍ଧା ନିଖୋଜ ହେବାର ଅଢ଼େଇ ମାସ ଧରି ବାପା ବିକାଶ ଝିଅ ସହିତ ଯୋଗାଯୋଗ କରାଇବାକୁ ଆଫତାବକୁ କହିଥିଲେ। କିନ୍ତୁ ସେ ବିଭିନ୍ନ ଆଳ ଦେଖାଇ ଏହାକୁ ଟାଳି ଦେଇଥିଲେ। ଏହାପରେ ୬ ମାସ ପରେ ଯେତେବେଳେ ଶ୍ରଦ୍ଧାଙ୍କ ନିଖୋଜ ସଂକ୍ରାନ୍ତ ମାମଲା ଥାନାରେ ରୁଜୁ ହେଲା ସେବେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ହୋଇଥିବା ସାମନାକୁ ଆସିଥିଲା।

ବାପାଙ୍କ ଶେଷ ଇଚ୍ଛା

୨୦୨୨ ମସିହାରେ ଦିଲ୍ଲୀରେ ଶ୍ରଦ୍ଧା ୱାକରଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଆଫତାବ ପୁନାୱାଲାଙ୍କ ମୃତ୍ୟୁଦଣ୍ଡ ଦାବି କରିଥିଲେ ବାପା ବିକାଶ ଓ୍ଵାକର(୫୯)। ଶ୍ରଦ୍ଧାଙ୍କ ଶେଷକୃତ୍ୟ ଏପର୍ଯ୍ୟନ୍ତ କରାଯାଇ ନାହିଁ। କାରଣ ଦିଲ୍ଲୀ ପୁଲିସ ଛତ୍ରପୁର ଏନକ୍ଲେଭର ଜଙ୍ଗଲରୁ ଉଦ୍ଧାର ହୋଇଥିବା ତାଙ୍କ ଅସ୍ଥିର ଅବଶେଷ ପରିବାରକୁ ହସ୍ତାନ୍ତର କରିନାହିଁ। ପୁନାଓ୍ଵାଲାରେ ଥିବା ଘରୁ ମଧ୍ୟ ପୁଲିସ କିଛି ଅସ୍ଥି ଜବତ କରିଥିଲା। ଏହାରି ଭିତରେ ମହାରାଷ୍ଟ୍ରର ଭାସାଇର ପାଲଘରରେ ହୃଦଘାତରେ ବିକାଶଙ୍କ ମୃତ୍ୟୁ ହୋଇଯାଇଛି। ବିକାଶ ତାଙ୍କ ପତ୍ନୀ ଓ ପୁଅ ସହିତ ଭାସାଇରେ ରହୁଥିଲେ। ଫେବ୍ରୁଆରି ୯ ତାରିଖ ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା। ତାଙ୍କ ପୁଅ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲା। ସେଠାରେ ତାଙ୍କୁ ଡାକ୍ତର ହୃଦଘାତରେ ମୃତ ଘୋଷଣା କରାଯାଇଥିଲା। ସେ ମାନସିକ ଅବସାଦରେ ଅନେକ ସମୟରେ ରହୁଥିଲେ। ତାଙ୍କ ଝିଅର ପାଉଁଶକୁ ଅପେକ୍ଷା କରିଥିଲେ। ଆଫତାବ ଜେଲରେ ଥିବା ବେଳେ ହତ୍ୟା ମାମଲାର ବିଚାର ଚାଲିଛି। ସେ ଝିଅର ନ୍ୟାୟ ପାଇଁ ୨ବର୍ଷରୁ ଅଧିକ ସମୟ ଧରି ଲଢ଼ୁଥିଲେ।

ପୁଲିସର ବିଳମ୍ବିତ ନ୍ୟାୟ ସବୁକିଛି ଉଜାଡ଼ିଦେଲା

ଗଣମାଧ୍ୟମର ଏହି ବିଭତ୍ସ ହତ୍ୟାକାଣ୍ଡ ଚର୍ଚ୍ଚାରେ ଥିବାରୁ ଶ୍ରଦ୍ଧାଙ୍କ ମାମଲାକୁ ଫାଷ୍ଟ ଟ୍ରାକ୍ କୋର୍ଟକୁ ପଠାଯାଇଥିଲା। ମାମଲା ପଞ୍ଜିକୃତ ହେବାର ୭୫ ଦିନ ପରେ ଅର୍ଥାତ ୨୦୨୩ ଜାନୁଆରୀ ୨୪ରେ ଦିଲ୍ଲୀ ପୁଲିସ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଚାର୍ଜସିଟ୍ ଦାଖଲ ହେବା ପରେ ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରାୟ ୩ ମାସ ଧରି ଚାର୍ଜ ଫ୍ରେମ୍ କରିଥିଲେ। ୨୦୨୩ ମେ ୯ ରେ ଅଭିଯୋଗ ଫ୍ରେମ୍ କରାଯାଇଥିଲା। ଆଫତାବ ପୁନାୱାଲାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୦୨ (ହତ୍ୟା) ଏବଂ ୨୦୧ (ଅପରାଧର ପ୍ରମାଣ ନଷ୍ଟ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପ୍ରଥମେ ମହାରାଷ୍ଟ୍ର ପୁଲିସ ମାମଲା ରୁଜୁ କରିଥିଲା। କିନ୍ତୁ ଦିଲ୍ଲୀରେ ଶବ ମିଳିବାରୁ ଏହି ମାମଲା ଦିଲ୍ଲୀକୁ ସ୍ଥାନାନ୍ତର ହୋଇଥିଲା। ଏବେ ଆଫତାବ ଦିଲ୍ଲୀର ତିହାର ଜେଲରେ ଅଛନ୍ତି। ଶ୍ରଦ୍ଧାଙ୍କ ନିଖୋଜ ମାମଲା ରିପୋର୍ଟ କରିବାରେ ବିଳମ୍ବ କରିଥିବା ମହାରାଷ୍ଟ୍ର ପୁଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରାଯାଇଥିଲା।

Murder Mumbai Mumbai Police
Advertisment
Advertisment